ନୂଆଦିଲ୍ଲୀ, ୩୦/୧୦ : ସୁପର ଏଲ୍ ନିନୋର ପ୍ରଭାବ ଲଗାତାର ଭାବେ ବଢ଼ି ଚାଲିଛି। କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶ ଏହା କବଳରେ ପଡିଛନ୍ତି । ଏହା ଯୋଗୁ ଗରମ ବଢ଼ିବାରେ ଲାଗିଛି। ଆଗାମୀ ୬ମାସ ଭିତରେ ବିଶ୍ଵରେ ଗରମ ଯୋଗୁ ୩.୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ସେଥିରେ ଭାରତରେ ୫୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ । ଶିକାଗୋ ବିଶ୍ବବିଦ୍ୟାଳୟର କ୍ଲାଇମେଟ ଇମ୍ପାକ୍ଟ୍ ଲ୍ୟାବ୍ ଏଭଳି ଭୟାବହ ଚିତ୍ର ଜାରି କରିଛି।

କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ ପ୍ରଶାନ୍ତ ମହାସାଗରରେ ସୁପର ଏଲ୍ ନିନୋ ରୂପି ରାକ୍ଷାସ ଅଧିକ ମାତ୍ରାରେ ସକ୍ରିୟ ହେବା ଦ୍ଵାରା କେଉଁସବୁ ଦେଶମାନଙ୍କରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିବ ତାର ନକ୍ସା ଜାରି କରିଛି। ଏଲ୍ ନିନୋ ହିଟ୍ ମୋର୍ଗଲିଟି ଟ୍ରାକର ( ଏଲ୍ ନିନୋ ଯୋଗୁ ଗରମରେ ହେଉଥିବା ମୃତ୍ୟୁର ଟ୍ରାକର) ନାମକ ଏହି ଭୟାବହ ଚିତ୍ର ଅନୁସାରେ ଭାରତରେ ୫୫ ହଜାର ଜୀବନ ଯାଇପାରେ । ଚଳିତ ଅକ୍ଟୋବର ମାସରୁ ଆସନ୍ତା ବର୍ଷ (୨୦୨୭) ମାର୍ଚ୍ଚ ମଧ୍ୟରେ ବିଶ୍ଵରେ ଅତିରିକ୍ତ ୩ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିପାରେ । ସେଥିରୁ ଏକ-ତୃତୀୟାଂଶ ମୃତ୍ୟୁ ନାଇଜେରିଆ, ଭାରତ ଓ ବ୍ରାଜିଲରେ ଘଟିବାର ଅନୁମାନ କରାଯାଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଭାରତ ଉପରେ ତାର ମଧ୍ୟ ଗୁରୁତର ପ୍ରଭାବ ପଡିବ। ପୂର୍ବ ପ୍ରଶାନ୍ତ ମହାସାଗରର ଉପର ଅଂଶରେ ତାପମାତ୍ରା ସ୍ବାଭାବିକ ଠାରୁ ୩.୪ ଡିଗ୍ରୀ ସେଲସିୟସ ଅଧିକ ହେବା ପରେ ଅତିରିକ୍ତ ମୃତ୍ୟୁର ଆକଳନ କରାଯାଇଛି। ଗତ ଅକ୍ଟୋବର ୧୮ରୁ ୨୪ ତାରିଖ ଭିତରେ ଏହି ତାପମାତ୍ରା ରେକର୍ଡ କରାଯାଇଛି।

Also Read :- ବଙ୍ଗୋପସାଗରରେ ଡବଲ୍ ବିପଦ : ଏବେ ଗୋଟିଏ, ଆଉ ଗୋଟିଏ ନଭେମ୍ବରରେ ଆସିବ ! ଛାଡିବନି ବର୍ଷା

ବିଶ୍ବ ପାଣିପାଗ ବିଜ୍ଞାନ ସଙ୍ଗଠନ ଅନୁସାରେ ଆସନ୍ତା ନଭେମ୍ବରରୁ ଆଗାମୀ ବର୍ଷ ଜାନୁଆରୀ ମଧ୍ୟରେ ଏଲ୍ ନିନୋ ପ୍ରଶାନ୍ତ ମହାସଗାରର ଉପରି ଅଂଶର ତାପମାତ୍ରା ସ୍ବାଭାବିକ ଠାରୁ ୬ ଗୁଣରୁ ଅଧିକ ବଢ଼ିପରେ। ଯାହାଫଳରେ ସ୍ଥିତି ଭୟାବହ ହୋଇଯିବ। ରିପୋର୍ଟ ଅନୁସାରେ ଜୁନରୁ ଆରମ୍ଭ ହୋଇଥିବା ସୁପର ଏଲ୍ ନିନୋର ପ୍ରଭାବ ଯୋଗୁ ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ପ୍ରବଳ ଗରମରେ ୮,୫୭,୪୦୦ ଲୋକଙ୍କ ମୃତ୍ୟୁ ହୋଇପାରେ । ଯାହାକି ଗତ ସେପ୍ଟେମ୍ବରରେ ବୈଜ୍ଞାନିକମାନେ କରିଥିବା ଆକଳନ ୪ ଲକ୍ଷ ୫୧ ହଜାର ତୁଳନାରେ ୩.୫ ଲକ୍ଷରୁ ଅଧିକ । ତେବେ ଏହି ଅତିରିକ୍ତ ମୃତ୍ୟୁ ସଂଖ୍ୟା ମଧ୍ୟରୁ ଅର୍ଧାଧିକ ଅକ୍ଟୋବରରୁ ଆସନ୍ତା ବର୍ଷ ମାର୍ଚ୍ଚ ମଧ୍ୟରେ ଘଟିବ। ଏହି ଅତିରିକ୍ତ ମୃତ୍ୟୁ ମଧ୍ୟରୁ ନାଇଜେରିଆରେ ସର୍ବାଧିକ ୫୬ ହଜାର ଲୋକଙ୍କ ଜୀବନ ଯିବାକୁ ଥିବା ବେଳେ ଭାରତରେ ୫୫ ହଜାର ୨୦୦, ଇଣ୍ଡୋନେସିଆରେ ୨୯ ହଜାର ୩୦୦, ବ୍ରଜିଲରେ ୧୯ ହଜାର ୫୦୦ ଏବଂ ସୁଦାନରେ ୧୪ ହଜାର ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଅନୁମାନ କରାଯାଇଛି।

ବୈଶ୍ୱିକ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତ ଅଗଷ୍ଟ ସବୁଠାରୁ ଗରମ ରହିଥିଲା ବେଳେ ସେପ୍ଟେମ୍ବର ମଧ୍ୟ ଦ୍ବିତୀୟ ସର୍ବାଧିକ ଗରମ ମାସ ଭାବେ ରେକର୍ଡ କରାଯାଇଛି। ସେପ୍ଟେମ୍ବରରେ ହାରାହାରି ତାପମାତ୍ରା ଥିଲା ୧୬.୨୭ ଡିଗ୍ରୀ ସେଲସିୟସ। ଯାହାକି ୧୯୯୧ରୁ ୨୦୨୦ ମଧ୍ୟରେ ସେପ୍ଟେମ୍ବରର ତାପମାତ୍ରା ହାରାହାରି ତାପମାତ୍ରା ଠାରୁ ୧.୬୩ ଡିଗ୍ରୀ ସେଲସିୟସ ଅଧିକ। କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ ପକ୍ଷରୁ ଏଲ୍ ନିନୋ ହିଟ୍ ମୋର୍ଟାଲିଟି ଟ୍ରାକର୍ ଆରମ୍ଭ କରାଯାଇଛି । ଯାହାଫଳରେ କେଉଁଠାରେ କେତେ ଗରମ ପଡିବ ତାର ଆକଳନ ୬ମାସ ପୂର୍ବରୁ କରାଯାଇପାରିବ । ଫଳରେ ନୀତି ନିର୍ମାତା ତଥା ପ୍ରଶାସନ ବହୁ ପୂର୍ବରୁ ଏହାର ମୁକାବିଲା କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ।