ଭୁବନେଶ୍ୱର, ୩୦/୧୦ : ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ ବିତ୍ପାତ ଭିଆଇ ବିଦାୟ ନେଇଛି ଅର୍ଣ୍ଣବ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଅଜାଡ଼ି ଛତିଶଗଡ଼ ପଳାଇଛି। ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ରହିଛି। ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ୩୧ ତାରିଖବେଳକୁ ଏହା ଅବପାତ ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ-ନିକୋବର ପାଖରେ। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଆନ୍ଧ୍ର ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ସେହିପରି ୫ ତାରିଖ ପରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବା ପୂର୍ବାନୁମାନ କରାଯାଉଛି ।

ଆଇଏମଡି ବର୍ତ୍ତମାନ ସୁଦ୍ଧା କେବଳ ଅବପାତ ସମ୍ଭାବନା କହିଥିବାବେଳେ ବିଭିନ୍ନ ବିଦେଶୀ ମଡେଲ୍ ଏହାକୁ ଅଧିକ ଘନୀଭୂତ ହେବା ନେଇ ଆକଳନ କରିଛନ୍ତି। ଆଇଏମଡି ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ବର୍ଷା ଲାଗି ରହିବ।

୩୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣରେ କାଁ ଭାଁ ବର୍ଷା ସମ୍ଭାବନା ଅଛି। ୩୧ରେ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ଏବଂ ଉତ୍ତର ଉପକୂଳର କାଁ ଭାଁ ବର୍ଷା ହୋଇପାରେ। ନଭେମ୍ବର ୧ରୁ ବର୍ଷା ବଢ଼ିପାରେ। ୧ରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତରର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ପବନ ୩୦-୪୦ କିମି ରହିପାରେ।

୨ ତାରିଖରେ ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତିର ଅନେକ ସ୍ଥାନ ଏବଂ ବାଲେଶ୍ଵରରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ପବନ ୩୦-୪୦ କିମି ବେଗରେ ବହିପାରେ। ରାୟଗଡ଼ା, ଗଞ୍ଜାମ, କୋରାପୁଟ, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ଏବଂ ୩୦-୪୦ ପବନ ଆଶଙ୍କା ଅଛି। ୩ ତାରିଖରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ।

Also Read :- ବନ୍ୟା ପାଣିରୁ ରକ୍ଷା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ: ନଡ଼ିଆ ବାଡ଼େଇ ଋଷିକୂଲ୍ୟା ମାଆଙ୍କୁ ଗୁହାରି କଲେ ଶେରଗଡ଼ବାସୀ

ଅର୍ଣ୍ଣବ ପ୍ରକୋପରେ ଓଡ଼ିଶାରେ ବୁଧବାରଠାରୁ ଗୁରୁବାର ସକାଳ ଭିତରେ ଅତି ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଭୟାନକ ଏବଂ ରେକର୍ଡ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିଲିମିଟର ବର୍ଷା ଯୋଗୁ ଭୟାନକ ସ୍ଥିତି ଉପୁଜିଛି। କନ୍ଧମାଳର ଜି.ଉଦୟଗିରିରେ ୪୬୨.୪ ମିମି, ରାଇକିଆରେ ୩୮୪.୮, ଗଞ୍ଜାମର ସାନଖେମୁଣ୍ଡିରେ ୩୮୮, ସୋରଡ଼ାରେ ୩୭୫, ଚିକିଟିରେ ୩୦୯.୨, ଗଜପତିର ମୋହନାରେ ୩୦୭.୬ ମିମି ବର୍ଷା ହୋଇଛି। ୧୧ଟି ବ୍ଳକରେ ୨୦୦ ମିମିରୁ ୩ଶହ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି। ୩୧ଟି ବ୍ଳକରେ ୧୦୦ରୁ ୨୦୦ ମିମି ଭିତରେ ବର୍ଷା ହୋଇଛି।