ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଆଇପିଏଲର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫୫ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୪ ୱିକେଟ ହରାଇ ୨୫୫ ରନ କରିଥିଲା । ବେଙ୍ଗାଲୁରୁ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୦ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସତ୍ତ୍ୱେ, ସନରାଇଜର୍ସ ହାଇଦ୍ରାବାଦ ଟପ୍-୨ରେ ସ୍ଥାନ ପାଇପାରିଲା ନାହିଁ । ୧୭୮ ରନ କରିବା ସହ ବେଙ୍ଗାଲୁରୁ ଦଳ ଟେବୁଲରେ ପ୍ରଥମ ସ୍ଥାନ ବଜାୟ ରଖି ପ୍ରଥମ କ୍ୱାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି । ଅନ୍ୟପକ୍ଷରେ, ୧୮ ପଏଣ୍ଟ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦକୁ ବେଙ୍ଗାଲୁରୁ ଏବଂ ଗୁଜରାଟ ତୁଳନାରେ କମ ନେଟ୍ ରନ୍ ରେଟ୍ ଯୋଗୁଁ ଟପ୍-୨ରୁ ବାହାର ହେବାକୁ ପଡିଛି ।

୨୫୬ ରନର ବିଶାଳ ଲକ୍ଷ୍ୟ ପିଛା କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ଆରସିବି ଭଲ ଆରମ୍ଭ କରିଥିଲା । ଦଳ ପାଇଁ ଭେଙ୍କଟେଶ ଆୟର ୧୯ ବଲରେ ୪୪ ରନ୍ ଏବଂ କୋହଲି ୧୧ ବଲରେ ୧୫ ରନ କରିଥିଲେ । ଦେବଦତ୍ତ ପାଡିକ୍କଲ କେବଳ ୨୧ ରନ କରିପାରିଥିଲେ । ରଜତ ପାଟିଦାର ୩୯ ବଲରେ ୫୬ ରନ କରିଥିଲେ । କ୍ରୁଣାଲ ପାଣ୍ଡ୍ୟା ୪୧ ରନ୍, ଟିମ୍ ଡେଭିଡ୍ ୧୫ ରନ୍ କରିଥିଲେ । ହାଇଦ୍ରବାଦ ପାଇ ଇଶାନ ମଲିଙ୍ଗା ସର୍ବାଧିକ ଦୁଇ ୱିକେଟ୍ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପାଇଁ ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ପ୍ରଥମ ୱିକେଟ୍ ପାଇଁ ୪୫ ରନର ପାର୍ଟନରଶିପ୍ କରିଥିଲେ । ଟ୍ରାଭିସ୍ ହେଡ୍ (୨୬)ଙ୍କୁ ରସିଖ ଆଉଟ୍ କରିଥିଲେ । ଅଭିଷେକ ଶର୍ମା ୨୨ବଲରୁ ୫୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ହେନରିଚ୍ କ୍ଲାସେନ୍ ଏବଂ ଇଶାନ୍ କିଶାନଙ୍କ ମଧ୍ୟରେ ୪୮ ବଲରେ ୧୧୩ ରନ ପାର୍ଟନରଶିପ ହୋଇଥିଲା । ହେନରିଚ୍ କ୍ଲାସେନ୍ ୨୪ ବଲରୁ ୫୧ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଚତୁର୍ଥ ୱିକେଟ୍ ପାଇଁ ନୀତୀଶ ରେଡ୍ଡୀ ଏବଂ ଇଶାନ କିଶନଙ୍କ ମଧ୍ୟରେ ୨୨ ବଲରେ ୪୫ ରନ୍ ପାର୍ଟନରଶିପ୍ ହୋଇଥିଲା । ଇଶାନ କିଶନ ଇନିଂସରେ ଶେଷ ବଲରେ ୭୯ ରନ୍ କରି ଆଉଟ୍ ହୋଇଥିଲେ । ନୀତୀନ ରେଡ୍ଡୀ ୧୨ ବଲରୁ ୨୯ ରନ କରି ଅପରାଜିତ ରହିଥିଲେ ।