ମୁମ୍ଵାଇ ୨୮।୦୬; ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଜଣେ ବଡ଼ ପ୍ରଶଂସକ ରହିଆସିଛନ୍ତି। ହେଲେ ଏବେ ସେ ତାଙ୍କ ୧୫ ମାସର ନାତୁଣୀ ଇଭାରାଙ୍କୁ ନେଇ ଏକ ମଜାଦାର କଥା ସେୟାର କରିଛନ୍ତି। ସୁନୀଲଙ୍କ କହିବା ଅନୁସାରେ, ତାଙ୍କ ନାତୁଣୀ ପ୍ରତିଦିନ ସକାଳେ ଉଠି "ମୋଦୀ ଜୀ, ମୋଦୀ ଜୀ" ବୋଲି ଡାକିଥାଏ ଏବଂ ପିଏମ୍ ମୋଦୀଙ୍କ ଫଟୋରେ ଲଡୁ ଭୋଗ ମଧ୍ୟ ଚଢ଼ାଏ। 

ନିକଟରେ ଏକ ସାକ୍ଷାତକାରରେ ସୁନୀଲ ସେଟ୍ଟୀ କହିଛନ୍ତି ଯେ, ଆଥିୟା ଶେଟ୍ଟୀ ଓ କେଏଲ୍ ରାହୁଲଙ୍କ ଝିଅ ଇଭାରାଙ୍କୁ ଜଣେ ନାନୀ (ଦେଖାଶୁଣା କରୁଥିବା ମହିଳା) ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କହିଥିଲେ। ସେହି ଦିନ ଠାରୁ ଇଭାରା ପ୍ରତିଦିନ ସକାଳେ ପିଏମ୍ ମୋଦୀଙ୍କ ଫଟୋ ସାମ୍ନାରେ ମିଠା ଭୋଗ ଲଗାଉଛନ୍ତି। ନାତୁଣୀକୁ ଏପରି କରିବାକୁ କେହି କହିନାହାନ୍ତି, ବରଂ ସେ ନିଜ ଇଚ୍ଛାରେ ଏପରି କରୁଛି। 

ସୁନୀଲ କହିଛନ୍ତି, "ଆପଣ ବିଶ୍ୱାସ କରିବେ ନାହିଁ, ମୋ ନାତୁଣୀ ଏବେ ମାତ୍ର ୧୫ ମାସର। ନାତୁଣୀର ଏହି ଆଚରଣରେ ନିଶ୍ଚୟ କିଛି ନା କିଛି ବିଶେଷତା ଅଛି। ଆମେ ତା’ ସାମ୍ନାରେ ମୋଦୀ ଜୀଙ୍କ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ କହିନାହୁଁ। ତଥାପି ସେ ନିଜେ 'ମୋଦୀ ଜୀ, ମୋଦୀ ଜୀ' ବୋଲି କହୁଛି। କିଛି ତ ମ୍ୟାଜିକ୍ ଅଛି। ସର୍ବଦା କହି ଆସିଛି କି ମୁଁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ମୁଁ ଏଠାରେ କୌଣସି ରାଜନୈତିକ ଦଳର କଥା କହୁନାହିଁ, ମୁଁ ଜଣେ ନେତାଙ୍କ କଥା କହୁଛି। ଯଦି କୌଣସି ନେତାମୋତେ ପ୍ରଭାବିତ କରନ୍ତି, ସେ ହେଉଛନ୍ତି ମୋଦୀ ଜୀ। ମୁଁ ଯେତିକି ମୋ ଦେଶକୁ ଭଲପାଏ, ସେତିକି ସେହି ବ୍ୟକ୍ତିତ୍ୱକୁ ମଧ୍ୟ ସମ୍ମାନ କରେ। ତାଙ୍କ ବ୍ୟକ୍ତିତ୍ୱରେ ନିଶ୍ଚୟ କିଛି ନା କିଛି ବିଶେଷତା ରହିଛି।"