ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆ ନେତା କିମ୍ ଜୋଙ୍ଗ ଉନ୍ ଶନିବାର ଅଚାନକ ଚୀନ୍ ଗସ୍ତରେ ପହଞ୍ଚିଛନ୍ତି। ବର୍ଷକରୁ ପ୍ରାୟ ଅଧିକ ସମୟ ପରେ ସେ ଚୀନ୍ ପହଞ୍ଚିଥିବା ବେଳେ ଏଥି ପାଇଁ ଚୀନ୍ ଓ ଉତ୍ତର କୋରିଆକୁ ସଂଯୁକ୍ତ କରୁଥିବା ନୂଆ ପୋଲ ‘ନ୍ୟୁ ୟାଲୁ ରିଭର ବ୍ରିଜ’କୁ ଉପଯୋଗ କରିଛନ୍ତି। ଏହି ବ୍ରିଜ ରାସ୍ତାରେ ସେ ପୂର୍ବୋତ୍ତର ଚୀନ୍ ର ଲିୟାଓନିଙ୍ଗ ପ୍ରୋଭିନ୍ସର ଡାଣ୍ଡୋଙ୍ଗ ସହରରେ ପହଞ୍ଚିଛନ୍ତି। କିମ୍ ଜୋଙ୍ଗ ଉନଙ୍କ ଏହି ଗସ୍ତକାର୍ଯ୍ୟକ୍ରମ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେନଜେନ ଗସ୍ତରେ ଆସିବା ସ୍ଥିର ହୋଇଛି।

ଏହି ଚୀନ୍ ଗସ୍ତ ପାଇଁ କିମ୍ ଜୋଙ୍ଗ ଉନ ନିକଟରେ ଉଦଘାଟିତ ହୋଇଥିବା ନ୍ୟୁ ୟାଲୁ ରିଭର ବ୍ରିଜ ଦେଇ ସୀମା ବର୍ତ୍ତି ଚୀନ୍ ସହର ଡାଣ୍ଡୋଙ୍ଗରେ ପହଞ୍ଚିଛନ୍ତି। ଏଥି ପାଇଁ ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କେତେକ ସ୍ଥାନରେ ଯାତାୟାତ କଟକଣା ମଧ୍ୟ ଲଗାଯାଇଛି। କିମ୍ ଜୋଙ୍ଗ ଉନଙ୍କ ଏହି ଗୋପନୀୟ ଗସ୍ତ କାର୍ଯ୍ୟକ୍ରମ ଆଗାମୀ ଏପିଇସି ଶିଖର ସମ୍ମିଳନୀ ଓ ଆମେରିକା-ଉତ୍ତରକୋରିଆ ମଧ୍ୟରେ ନୂଆ କରି କଥାବାର୍ତ୍ତା ସମ୍ଭାବନା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଉନଙ୍କ ଏପରି ଚୀନ୍ ଯାତ୍ରା ଏବେ ସାରା ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ତେବେ ତାଙ୍କ ଗସ୍ତର ଏଜେଣ୍ଡାକୁ ନେଇ ଏବେବି ସନ୍ଦେହ ଲାଗି ରହିଛି।

ଉତ୍ତରକୋରିଆର ସିନୁଇଜୁ ଓ ଚୀନ୍ ର ଡେଣ୍ଡୋଙ୍ଗ ସହରକୁ ସଂଯୁକ୍ତ କରୁଥିବା ‘ନ୍ୟୁ ୟାଲୁ ରିଭର ବ୍ରିଜ’ ନିର୍ମାଣ ପ୍ରାୟ ୧ ଦଶନ୍ଧୀ ପୂର୍ବରୁ ସରିଲାଣି। ତେବେ ଲୋକଙ୍କ ଯାତାୟାତ ଲାଗି ଏହାକୁ ଗତ ଅକ୍ଟୋବର ୧୫ ତାରିଖରେ ଉନ୍ମୁକ୍ତ କରାଯାଇଥିଲା। ଏହି ପୋଲର ନିର୍ମାଣ କାମ ୨୦୧୪ ମସିହାରେ ଶେଷ ହୋଇଥିଲା। ଯେଉଁ ବର୍ଷ ନିର୍ମାଣ କାମ ସରିଲା ସେହି ବର୍ଷ ଏହାକୁ ଯାତାୟାତ ଲାଗି ଖୋଲିଦିଆଯିବ ବୋଲି ଆଶା କରାଯାଉଥିଲା। ଏଥି ପାଇଁ ଚୀନ୍ ପଟରୁ ସଂଯୁକ୍ତ କରୁଥିବା ସଡ଼କ, କଷ୍ଟମ ସୁବିଧା ଓ ସମ୍ପର୍କିତ ଅନ୍ୟ ଭିତ୍ତିଭୂମି ନିର୍ମାଣ କାମ ମଧ୍ୟ ସେହି ବର୍ଷ ସରିଥିଲା। ତେବେ ଉତ୍ତର କୋରିଆ ପକ୍ଷରୁ କାମରେ ଢିଲା କରାଯାଇଥିଲା। ଏଣୁ ପୋଲ ଯାତାୟାତ ନିମନ୍ତେ ଖୋଲିବାରେ ବିଳମ୍ବ ହୋଇଥିଲା।

୩ କିଲୋମିଟର ଦୀର୍ଘ ଏହି ୪ ଲେନ ପୋଲ ଚୀନ୍ ର ଉତ୍ତର-ପୂର୍ବ ସହର ଡେଣ୍ଡେଙ୍ଗକୁ ଉତ୍ତର କୋରିଆ ସହର ସିନିଇଜୁକୁ ସଂଯୁକ୍ତ କରୁଛି। ଏହି ନୂଆ ଲିଂକ ଯୋଗୁ ଡେଣ୍ଡୋଙ୍ଗ-ସିନିଇଜୁ ରୁଟରେ ଥିବା ପୁରୁଣା ପୋଲ ବୋଝ କମିବ ବୋଲି ଆଶା କରାଯାଉଛି।