ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଥିବା ସଂଘର୍ଷ ଏବେ ନୂଆ ମୋଡ ନେଇଛି । ଇରାନ ଉପରେ ପୁଣି ଥରେ ଭୟଙ୍କର ଆକ୍ରମଣ ଲାଗି ଟ୍ରମ୍ପ ଇସାରା ଦେଇଛନ୍ତି । ଏହାର ଜବାବରେ, ଇରାନ୍‌ ଧମକ ଦେଇଛି । ଗଲ୍ଫ ଅଞ୍ଚଳରେ ସମୁଦ୍ର ତ​‌ଳେ ଯାଇଥିବା ଇଣ୍ଟରନେଟ୍‌ କେବୁଲ କାଟିଦେବ ବୋଲି କହିଛି ଇରାନ୍‌ । ଫଳରେ ଗଲ୍ଫ ଦେଶଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ ଛିନ୍ନ ହୋଇଯିବାର ଆଶଙ୍କା ବୃଦ୍ଧି ପାଇଛି । 

ଫ୍ଲୋରିଡାର ଫୋର୍ଟ ମାୟର୍ସଠାରେ ଆୟୋଜିତ ଏକ ରାଲିରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନ ବିରୋଧରେ ଆଉ ଏକ ‘ଏପିକ୍ ଫ୍ୟୁରି’ପରି ସାମରିକ ଅପରେସନ୍ କରିପାରେ। ଗତ ଫେବୃଆରୀ ୨୮ ରେ ଆମେରିକା ଇରାନ ବିରୋଧରେ 'ଅପରେସନ୍ ଏପିକ୍ ଫ୍ୟୁରି' ଆରମ୍ଭ କରିଥିଲା। ଯଦିଓ ଆଗାମୀ ନଭେମ୍ବର ୩ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଆକ୍ରମଣ ହେବ ନାହିଁ ବୋଲି କୁହାଯାଉଛି, କିନ୍ତୁ ଟ୍ରମ୍ପଙ୍କ ମନୋଭବ ବଦଳିପାରେ । ବୃଦ୍ଧି ପାଉଥିବା ଇନ୍ଧନ ଦର ଏବଂ ରାଜନୈତିକ ଚାପ ଯୋଗୁଁ ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିପାରେ ।

ଇରାନର ଚେତାବନୀ
ଆକ୍ରମଣ ନେଇ ଆମେରିକା ଚେତାବନୀ ଦେବା ପରେ, ଇରାନ ଉତକ୍ଷିପ୍ତ ହୋଇଉଠିଛି । ଇରାନର ସୁରକ୍ଷା ଅଧିକାରୀ ୟାଦୋଲ୍ଲା ଜାଭାନୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ୍ ପୁଣି ଆକ୍ରମଣ କରନ୍ତି, ତେବେ ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା ୭ଟି ମୁଖ୍ୟ ସବ୍‌ମେରିନ୍ ଇଣ୍ଟରନେଟ୍ କେବୁଲ୍‌କୁ କାଟି ଦିଆଯିବ । କେବୁଲ୍ କଟିବା ପରେ ଏହାର ମରାମତି କାର୍ଯ୍ୟରେ ବି ବାଧା ସୃଷ୍ଟି କରାଯିବ । ଫଳରେ ଯୋଗାଯୋଗ ଦୀର୍ଘଦିନ ଧରି ଠପ୍ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ବିଶ୍ୱ ଉପରେ କଣ ପଡ଼ିବ ପ୍ରଭାବ ?
'ଟେଲିଜିଓଗ୍ରାଫି' ଅନୁଯାୟୀ, ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଇଣ୍ଟରନେଟ୍ ଟ୍ରାଫିକ୍ ଏହି ସମୁଦ୍ର ତଳ ଫାଇବର-ଅପ୍ଟିକ୍ କେବୁଲ୍ ଦେଇ ଗତି କରିଥାଏ। ତେବେ ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ମୋଟ୍ ଇଣ୍ଟରନେଟ୍ ବ୍ୟାଣ୍ଡୱିଡଥର ୧ ପ୍ରତିଶତରୁ ବି କମ୍ ଯାଉଥିବାରୁ, ଏହା ଦ୍ୱାରା ପୂରା ବିଶ୍ୱର ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। କିନ୍ତୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା, ଅନଲାଇନ୍ କାରବାର ଏବଂ କ୍ଲାଉଡ୍ ସର୍ଭିସ୍‌ ଗୁରୁତର ଭାବେ ବାଧାପ୍ରାପ୍ତ ହେବ।

ଇସ୍ତାନବୁଲ୍‌ରେ ଏକାଠି ହୋଇଥିବା ତୁର୍କୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଇଟାଲୀ, ଇଜିପ୍ଟ, ପାକିସ୍ତାନ ଏବଂ ସାଉଦି ଆରବର ବୈଦେଶିକ ମନ୍ତ୍ରୀମାନେ ନୂଆ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ସଂଘର୍ଷ ବଢ଼ିଲେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ, ଫଳରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ ବୋଲି ଫ୍ରାନ୍ସ କହିଛି। ସେପଟେ ଗଲ୍ଫ ଦେଶଗୁଡ଼ିକ ତିଆରି କରୁଥିବା ଡାଟା ସେଣ୍ଟରଗୁଡ଼ିକ ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି ହୋଇପାରେ । ତେବେ ଆମେରିକାର ଇରାନ ଉପରେ ପୁଣି ଆକ୍ରମଣ ନିଷ୍ପତ୍ତି, ଭବିଷ୍ୟତରେ ବିଶ୍ବ ପ୍ରତି ଆହୁରି ବିପଦ ବଢ଼ାଇବ, ଏଥିରେ ସନ୍ଦେହ ନାହିଁ ।