ମୁମ୍ୱାଇ: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । ଗୁରୁବାର ମହାରାଷ୍ଟ୍ରର ନାନ୍ଦେଡ଼ ସହର ଉପକଣ୍ଠରେ ଥିବା ମାତା ସାହିବ ଗୁରୁଦ୍ୱାର ନିକଟରେ ଜଣେ ନିହଙ୍ଗ ଶିଖ୍ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ବାଦଲଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି । ଏହା ପୂର୍ବରୁ ସକାଳେ ସେ ନିଜ ପରିବାର ସହିତ ତଖତ ଶ୍ରୀ ପାଟନା ସାହିବ ଦର୍ଶନ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ସୁଖବୀର ସିଂହ ବାଦଲ ପରିବାର ସହ ଗୁରୁଦ୍ୱାର ମାତା ସାହିବ କୌର ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଜଣେ ନିହଙ୍ଗ ଶିଖ କୃପାଣ ସାହାଯ୍ୟରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାଦଲଙ୍କ ବାମ ହାତରେ ଆଘାତ ଲାଗିଛି । ତେବେ ଏହି ଆଘତ କେତେ ବଡ଼ ସେନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରି ନାହିଁ । ଆକ୍ରମଣ ପଛର କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଛି ଏବଂ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

 

ଆକ୍ରମଣ ସମୟରେ ବାଦଲଙ୍କ ପତ୍ନୀ ତଥା ଅକାଳୀ ଦଳର ସାଂସଦ ହରସିମରତ୍ କୌର ବାଦଲ ମଧ୍ୟ ତାଙ୍କ ସହିତ ଥିଲେ । ଆକ୍ରମଣ ପରର ଏକ ଭିଡିଓରେ ବାଦଲ ନିଜ ଡାହାଣ ହାତରେ ରେଗୁଆ ରଙ୍ଗର କପଡ଼ା ଗୋଡ଼ାଇ ଚାଲୁଥିବାର ଦେଖାଯାଇଛି । ସୂତ୍ର ଅନୁସାରେ, ଆକ୍ରମଣକାରୀ ସୁଖବୀର ସିଂହ ବାଦଲଙ୍କ ପେଟରେ ଛୁରି ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାକର୍ମୀମାନେ ମଝିରେ ପଶି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ଏହା ପୂର୍ବରୁ ୪ ଡିସେମ୍ବର ୨୦୨୪ରେ ସୁଖବୀର ସିଂହ ବାଦଲ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ବାହାରେ ଏକ ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେତେବେଳେ ତାଙ୍କୁ କୌଣସି ଆଘାତ ଲାଗି ନଥିଲା ଏବଂ ବନ୍ଧୁକଧାରୀଙ୍କୁ ତୁରନ୍ତ କାବୁ କରି ଘଟଣାସ୍ଥଳରୁ ଗିରଫ କରାଯାଇଥିଲା । ଗୋଲ୍ଡେନ୍ ଟେମ୍ପଲରେ 'ସେବାଦାର' ଭାବେ ସେବା କରୁଥିବା ସମୟରେ ବାଦଲଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ୨୦୦୭ରୁ ୨୦୧୭ ମଧ୍ୟରେ ପଞ୍ଜାବରେ ଦଳର ଶାସନ କାଳରେ ହୋଇଥିବା ଭୁଲ୍ ପାଇଁ ଅକାଳ ତଖତ ତାଙ୍କୁ ଏବଂ ଅକାଳୀ ଦଳର ଅନ୍ୟ କେତେକ ନେତାଙ୍କୁ 'ତନଖାହ' ଶୁଣାଇଥିଲା ।