ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରମୁଖ ସହରରେ ଚିନିର ଖୁଚୁରା ଦର ପୁଣିଥରେ କିଲୋ ପିଛା ୭୦ ଟଙ୍କା ଛୁଇଁବାକୁ ବସିଲାଣି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବଜାରରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁନାହିଁ । ଗତ ଏକ ବର୍ଷ ମଧ୍ୟରେ ଚିନି ଦର ପାଖାପାଖି ୩୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ଏହା ସିଧାସଳଖ ମଧ୍ୟବିତ୍ତ ଓ ସାଧାରଣ ପରିବାରର ମାସିକ ବଜେଟ୍ ଉପରେ ବୋଝ ଲଦି ଦେଇଛି ।

ତେବେ ଚିନି ଦରରେ ଏହି ବୃଦ୍ଧି ହଠାତ୍ ହୋଇନାହିଁ, ବରଂ ଗତ ଏକ ବର୍ଷ ଧରି ଏହା କ୍ରମାଗତ ଉପରମୁହାଁ ରହିଛି । ତଥ୍ୟ ଅନୁଯାୟୀ, ଗତ ୧୨ ମାସରେ ଚିନି ଦର ପ୍ରାୟ ୩୦ ପ୍ରତିଶତ ମହଙ୍ଗା ହୋଇଛି । ଏପରିକି କେବଳ ଗତ ଏକ ମାସ ମଧ୍ୟରେ ହିଁ ଦରରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ରୋଷେଇଘର ଖର୍ଚ୍ଚକୁ ଆହୁରି ବଢ଼ାଇ ଦେଇଛି । ଦେଶର କୋଲକାତା, ଚେନ୍ନାଇ ଭଳି ପ୍ରମୁଖ ସହରରେ ଦର କିଲୋ ପିଛା ୬୦ରୁ ୭୦ ଟଙ୍କାରେ ପହଞ୍ଚିଛି ।

ସରକାରଙ୍କ କଡ଼ା ପଦକ୍ଷେପ ସତ୍ତ୍ୱେ କାହିଁକି କମୁନାହିଁ ଦର ?

ବଜାରରେ ଅଭାବ ଦୂର କରିବା ପାଇଁ ସରକାର ପୁଣିଥରେ ୨.୫ ଲକ୍ଷ ଟନ୍ ଚିନି ଆମଦାନୀ କୋଟା ଜାରି କରିଛନ୍ତି । ଚିନି କଳଗୁଡ଼ିକୁ ଚଳିତ ମାସରେ ସେମାନଙ୍କ କୋଟାର ୯୦ ପ୍ରତିଶତ ଚିନି ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର ଚିନି କଳଗୁଡ଼ିକ ଶୀଘ୍ର ଓ ଦ୍ରୁତ ଗତିରେ ଉତ୍ପାଦନ ମଧ୍ୟ ଆରମ୍ଭ କରିଛନ୍ତି ।

Also Read: ସୁନା ମୂଲ୍ୟ କମିବା ପଛରେ ଏହି ୩ କାରଣ: ଦର କମିବା ଦେଖି ଲୋଭରେ ସୁନା କିଣିବା ଉଚିତ କି ? କ'ଣ କହିଲେ ଏକ୍ସପର୍ଟ ପଢନ୍ତୁ। Explained

ଘରୋଇ ସ୍ତରରେ ଯୋଗାଣ ବଢ଼ାଇବା ପ୍ରୟାସ ଚାଲିଥିବା ବେଳେ, ଅନ୍ତର୍ଜାତୀୟ ବଜାରରେ ଚିନି ଦର ବୃଦ୍ଧି ଏକ ପ୍ରମୁଖ କାରଣ ସାଜିଛି । ବିଶ୍ୱ ବଜାରରେ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶୀୟ ବଜାର ଉପରେ ପଡ଼ୁଛି । ଗୋଟିଏ ପଟେ ଶୀଘ୍ର ଉତ୍ପାଦନ ଓ ସରକାରୀ କୋଟା ଜାରି ହେଉଥିବା ବେଳେ ଅନ୍ୟପଟେ ବିଶ୍ୱ ବଜାରର ଚାପ ଯୋଗୁ ସାଧାରଣ ଗ୍ରାହକଙ୍କୁ ଶସ୍ତା ଚିନି ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।