ନୂଆଦିଲ୍ଲୀ ,୨୧ /୧୧ -; ୨୦୨୬ ମସିହାର ସବୁଠାରୁ ବଡ଼ ଷ୍ଟକ୍ ମାର୍କେଟ୍ ଡେବ୍ୟୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟ୍ବଟ୍ କ୍ଲଡ୍ ନିର୍ମାତା କମ୍ପାନୀ ଆନ୍ଥ୍ରୋପିକ୍ ଏହାର ଆଇପିଓ ଜରିଆରେ ୮୧.୩ ବିଲିୟନ ଡଲାର ସଂଗ୍ରହ କରି ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସକୁ ପଛରେ ପକାଇ ଦେଇଛି। ଏହା ସହ ଇତିହାସର ସବୁଠାରୁ ବଡ଼ ଇନିସିଆଲ୍ ପବ୍ଲିକ୍ ଅଫରିଂ ରେକର୍ଡ ନିଜ ନାମରେ କରିଛି ଆନ୍ଥ୍ରୋପିକ୍। 

ଜୁନ୍ ମାସରେ ସ୍ପେସ୍ଏକ୍ସ ଆଇପିଓ ଜରିଆରେ ୭୫ ବିଲିୟନ ଡଲାର ସଂଗ୍ରହ କରିଥିଲା। ତେବେ କେବଳ ଆଇପିଓରୁ ସଂଗୃହୀତ ଅର୍ଥକୁ ଦେଖି କୌଣସି କମ୍ପାନୀର ସଫଳତା ଆକଳନ କରିବା ଠିକ୍ ନୁହେଁ। ସେୟାରର ଆରମ୍ଭିକ ମୂଲ୍ୟ, ବଜାରରେ ତାଲିକାଭୁକ୍ତ ହେବା ପରେ ନିବେଶକଙ୍କ ଆଗ୍ରହ ଏବଂ ସେୟାର ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସବୁ ଦିଗକୁ ଦେଖିଲେ ଆନ୍ଥ୍ରୋପିକ୍ ଓ ସ୍ପେସ୍ଏକ୍ସ ମଧ୍ୟରେ ପ୍ରତିଯୋଗିତା ଏତେ ସହଜ ନୁହେଁ।

ଆନ୍ଥ୍ରୋପିକ୍ ବନାମ ସ୍ପେସ୍ଏକ୍ସ: IPOରେ କିଏ କେତେ ଅର୍ଥ ସଂଗ୍ରହ କଲା?ନଭେମ୍ବର ୧୮ ତାରିଖରେ ଆନ୍ଥ୍ରୋପିକ୍ ଏହାର ପ୍ରତି ସେୟାର ମୂଲ୍ୟ ୮୩ ଡଲାର ଧାର୍ଯ୍ୟ କରିଥିଲା। ପ୍ରଥମେ ଏହାର ମୂଲ୍ୟ ସୀମା ୭୦ରୁ ୭୮ ଡଲାର ମଧ୍ୟରେ ରହିଥିଲା। କିନ୍ତୁ ନିବେଶକଙ୍କ ଅଧିକ ଚାହିଦା ଯୋଗୁଁ ଏହାକୁ ବୃଦ୍ଧି କରାଯାଇ ୮୩ ଡଲାର କରାଯାଇଥିଲା। କମ୍ପାନୀ ପ୍ରାୟ ୯୮ କୋଟି ସେୟାର ଜାରି କରି ଏହି ଆଇପିଓ ଜରିଆରେ ୮୧.୩ ବିଲିୟନ ଡଲାର ସଂଗ୍ରହ କରିଛି। ଅତିରିକ୍ତ ସେୟାର କ୍ରୟ ବିକଳ୍ପ ପୂର୍ଣ୍ଣ ଭାବେ ବ୍ୟବହାର ହେଲେ ଏହି ଅର୍ଥରାଶି ୯୩.୫ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ବ୍ୟତୀତ ଘରୋଇ ପ୍ଲେସମେଣ୍ଟ ଜରିଆରେ କମ୍ପାନୀ ଆଉ ୨୬ ବିଲିୟନ ଡଲାର ସଂଗ୍ରହ କରିଛି। ଅନ୍ୟପକ୍ଷରେ, ସ୍ପେସ୍ଏକ୍ସ ଜୁନ୍ ମାସରେ ପ୍ରାୟ ୫୫.୫୬ କୋଟି ସେୟାର ପ୍ରତି ସେୟାର ୧୩୫ ଡଲାର ମୂଲ୍ୟରେ ଜାରି କରି ୭୫ ବିଲିୟନ ଡଲାର ସଂଗ୍ରହ କରିଥିଲା। ଅତିରିକ୍ତ ସେୟାର ବିକଳ୍ପକୁ ମିଶାଇ ଏହାର ମୋଟ୍ ପାଣ୍ଠି ସଂଗ୍ରହ ପ୍ରାୟ ୮୬ ବିଲିୟନ ଡଲାରରେ ପହଞ୍ଚିଥିଲା। ଏହି ହିସାବରେ ସାଧାରଣ ଆଇପିଓ ଜରିଆରେ ଅର୍ଥ ସଂଗ୍ରହ କ୍ଷେତ୍ରରେ ଆନ୍ଥ୍ରୋପିକ୍ ଆଗରେ ରହିଛି।

ସେୟାର ବଜାରରେ ଡେବ୍ୟୁ: କାହାର ସେୟାର ଅଧିକ ଚମକିଲା?ଆନ୍ଥ୍ରୋପିକ୍ ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜରେ ANT ଟିକର୍ ନାମରେ ତାଲିକାଭୁକ୍ତ ହୋଇଥିଲା। ଏହାର ସେୟାର ୮୩ ଡଲାର ଆଇପିଓ ମୂଲ୍ୟ ତୁଳନାରେ ୩୪.୩ ପ୍ରତିଶତ ଅଧିକ ଅର୍ଥାତ୍ ୧୧୧.୫୦ ଡଲାରରେ କାରବାର ଆରମ୍ଭ କରିଥିଲା। ଅନ୍ୟପକ୍ଷରେ, ସ୍ପେସ୍ଏକ୍ସର ସେୟାର ୧୩୫ ଡଲାର ଆଇପିଓ ମୂଲ୍ୟ ବଦଳରେ ୧୫୦ ଡଲାରରେ କାରବାର ଆରମ୍ଭ କରିଥିଲା। ଏହା ଥିଲା ୧୧.୧ ପ୍ରତିଶତର ପ୍ରିମିୟମ୍। ତେବେ ପ୍ରଥମ ଦିନର କାରବାର ଶେଷ ହେବା ବେଳକୁ ଉଭୟ କମ୍ପାନୀର ସ୍ଥିତିରେ ପାର୍ଥକ୍ୟ ଦେଖାଯାଇଥିଲା। ଆନ୍ଥ୍ରୋପିକ୍ର ସେୟାର ଦିନ ମଧ୍ୟରେ ସର୍ବାଧିକ ୧୧୪.୯୯ ଡଲାରରେ ପହଞ୍ଚିଥିଲା। ହେଲେ ପରେ ଏହା ୧୦୦ ଡଲାର ତଳକୁ ଖସି ଆସିଥିଲା। ଶେଷରେ ୯୭.୧୭ ଡଲାରରେ ବନ୍ଦ ହୋଇଥିଲା। ଅର୍ଥାତ୍ ଆଇପିଓ ମୂଲ୍ୟ ତୁଳନାରେ ପ୍ରାୟ ୧୭ ପ୍ରତିଶତ ଅଧିକରେ କାରବାର ଶେଷ କରିଥିଲା। ସେପଟେ ସ୍ପେସ୍ଏକ୍ସର ସେୟାର ପ୍ରଥମ ଦିନରେ ଭଲ ଗତି ବଜାୟ ରଖିଥିଲା। ଏହାର ସେୟାର ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ୧୭୬.୫୨ ଡଲାର ଛୁଇଁଥିଲା। ପରେ ଏହା ୧୬୦.୯୫ ଡଲାରରେ ବନ୍ଦ ହୋଇଥିଲା। ଅର୍ଥାତ୍ ଆଇପିଓ ଆକାର ଓ ପ୍ରାରମ୍ଭିକ ପ୍ରିମିୟମ୍ରେ ଆନ୍ଥ୍ରୋପିକ୍ ଆଗରେ ରହିଥିବା ବେଳେ ପ୍ରଥମ ଦିନର କାରବାରରେ ସ୍ପେସ୍ଏକ୍ସ ନିଜର ଶେୟାର ମୂଲ୍ୟର ଗତି ବଜାୟ ରଖିଥିଲା।

ମୂଲ୍ୟାୟନରେ ୨ ଟ୍ରିଲିୟନ ଡଲାର ଛୁଇଁଲା ଆନ୍ଥ୍ରୋପିକ୍-;

ଆଇପିଓ ପରେ ଆନ୍ଥ୍ରୋପିକ୍ର ସେୟାର ମୂଲ୍ୟ ୧୧୧.୫୦ ଡଲାରରେ ପହଞ୍ଚିବା ପରେ କମ୍ପାନୀର ବଜାର ପୁଞ୍ଜିକରଣ ପ୍ରାୟ ୧.୫ ଟ୍ରିଲିୟନ ଡଲାର ଆକଳନ କରାଯାଇଥିଲା। କିନ୍ତୁ କର୍ମଚାରୀଙ୍କ ଷ୍ଟକ୍ ଅପ୍ସନ୍, ରିଷ୍ଟ୍ରିକ୍ଟେଡ୍ ଷ୍ଟକ୍ ୟୁନିଟ୍ ଏବଂ କନଭର୍ଟିବଲ୍ ସିକ୍ୟୁରିଟିଜ୍କୁ ମିଶାଇ ପୂର୍ଣ୍ଣ ଭାବେ ହ୍ରାସିତ ମୂଲ୍ୟାୟନ ହିସାବ କଲେ ଏହା ପ୍ରାୟ ୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା।

ସ୍ପେସ୍ଏକ୍ସର ଡେବ୍ୟୁ ସମୟରେ ଏହାର ଫୁଲି ଡାଇଲ୍ୟୁଟେଡ୍ ଭାଲ୍ୟୁଏସନ୍ ପ୍ରାୟ ୧.୯୫ ଟ୍ରିଲିୟନ ଡଲାର ଆକଳନ କରାଯାଇଥିଲା। ଏହି ହିସାବରେ ଉଭୟ କମ୍ପାନୀ ପ୍ରାୟ ସମାନ ସ୍ତରରେ ରହିଥିଲେ। ତେବେ ପ୍ରଥମ ଦିନରେ ଆନ୍ଥ୍ରୋପିକ୍ର ସେୟାର ମୂଲ୍ୟ ୯୭.୧୭ ଡଲାରକୁ ଖସିବା ପରେ ଏହାର ଫୁଲି ଡାଇଲ୍ୟୁଟେଡ୍ ଭାଲ୍ୟୁଏସନ୍ ପ୍ରାୟ ୧.୭୫ ଟ୍ରିଲିୟନ ଡଲାରକୁ ହ୍ରାସ ପାଇଥିଲା ବୋଲି ରଏଟର୍ସ ଆକଳନ କରିଛି। ଏଠାରେ ମାର୍କେଟ୍ କ୍ୟାପିଟାଲାଇଜେସନ୍ ଓ ଫୁଲି ଡାଇଲ୍ୟୁଟେଡ୍ ଭାଲ୍ୟୁଏସନ୍ ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ। ପ୍ରଥମଟି କମ୍ପାନୀର ବର୍ତ୍ତମାନ ବଜାରରେ ଥିବା ସେୟାର ଆଧାରରେ ହିସାବ କରାଯାଏ। ଦ୍ୱିତୀୟଟିରେ ଭବିଷ୍ୟତରେ ଜାରି ହୋଇପାରୁଥିବା ଅତିରିକ୍ତ ସେୟାରକୁ ମଧ୍ୟ ହିସାବକୁ ନିଆଯାଏ।

ALSO READ- ୧ ଲକ୍ଷ ଟଙ୍କା ତଳକୁ ମିଳିବନି ଫ୍ଲାଗସିପ ଫୋନ, ୩୦% ପର୍ଯ୍ୟନ୍ତ ବଢ଼ିବ ଦର: କାଉଣ୍ଟରପଏଣ୍ଟ ରିପୋର୍ଟ

ଆନ୍ଥ୍ରୋପିକ୍ର AI ବ୍ୟବସାୟ ବନାମ ସ୍ପେସ୍ଏକ୍ସର ବିବିଧ ବ୍ୟବସାୟ-;

ଆନ୍ଥ୍ରୋପିକ୍ ମୁଖ୍ୟତଃ କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ କାର୍ଯ୍ୟ କରୁଛି। କମ୍ପାନୀର Claude ମଡେଲ୍ ଏହାର ମୁଖ୍ୟ ଉତ୍ପାଦ। ଏହା ସହିତ Claude Code ଭଳି ଉତ୍ପାଦ ଜରିଆରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାକୁ ନିଜ ଆଡ଼କୁ ଆକର୍ଷିତ କରୁଛି।ଅନ୍ୟପକ୍ଷରେ, ସ୍ପେସ୍ଏକ୍ସର ବ୍ୟବସାୟ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନୁହେଁ। ରକେଟ୍ ଉତ୍କ୍ଷେପଣ, ଷ୍ଟାରଲିଙ୍କ୍ ଜରିଆରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଏବଂ xAI ସହ ଜଡ଼ିତ AI କାର୍ଯ୍ୟକଳାପ ଏହାର ବ୍ୟବସାୟର ଅଂଶ। ରଏଟର୍ସର ଏକ ବିଶ୍ଳେଷଣ ଅନୁସାରେ, ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ଆନ୍ଥ୍ରୋପିକ୍ର ଆକଳିତ ଆୟର ପ୍ରାୟ ସମସ୍ତ ଅଂଶ AI ବ୍ୟବସାୟରୁ ଆସିଥିଲା। ଅପରପକ୍ଷରେ ସ୍ପେସ୍ଏକ୍ସର ମୋଟ୍ ଆୟରେ AIର ଅବଦାନ ଅଧାରୁ କମ୍ ଥିଲା। ଏହାର ଅର୍ଥ ହେଉଛି, ଆନ୍ଥ୍ରୋପିକ୍ରେ ନିବେଶ କରିବା ମାନେ ସିଧାସଳଖ ଜେନେରେଟିଭ୍ AIର ବାଣିଜ୍ୟିକ ବିକାଶ ଉପରେ ନିବେଶ କରିବା।

ଆୟ ବଢ଼ୁଛି, କିନ୍ତୁ ଖର୍ଚ୍ଚ ମଧ୍ୟ ଚିନ୍ତା ବଢ଼ାଉଛି-;

ଆନ୍ଥ୍ରୋପିକ୍ର ଆୟ ବୃଦ୍ଧି ଆଶ୍ଚର୍ଯ୍ୟଜନକ ରହିଛି। ୨୦୨୫ରେ କମ୍ପାନୀର ଆୟ ୧୨ ଗୁଣ ବୃଦ୍ଧି ପାଇ ପ୍ରାୟ ୪.୬ ବିଲିୟନ ଡଲାରରେ ପହଞ୍ଚିଥିଲା। ୨୦୨୬ରେ ମଧ୍ୟ ଏହି ଧାରା ଜାରି ରହିଥିଲା। ତୃତୀୟ ତ୍ରୈମାସିକରେ କମ୍ପାନୀର ଆୟ ୧୬.୯୬ ବିଲିୟନ ଡଲାରରେ ପହଞ୍ଚିଥିଲା। ପୂର୍ବ ତ୍ରୈମାସିକ ତୁଳନାରେ ଏହା ୪୭ ପ୍ରତିଶତ ଅଧିକ । କିନ୍ତୁ ଏହି ବିପୁଳ ଆୟ ସହିତ କମ୍ପାନୀର ଖର୍ଚ୍ଚ ମଧ୍ୟ ବଢ଼ୁଛି। AI ମଡେଲ୍ ଚଳାଇବା ଓ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଆନ୍ଥ୍ରୋପିକ୍କୁ ବିପୁଳ ପରିମାଣର କମ୍ପ୍ୟୁଟିଂ କ୍ଷମତା ଏବଂ ଭିତ୍ତିଭୂମିରେ ନିବେଶ କରିବାକୁ ପଡ଼ୁଛି।

୨୦୨୬ର ପ୍ରଥମ ଛଅ ମାସରେ କମ୍ପାନୀ ପ୍ରାୟ ୯ ବିଲିୟନ ଡଲାର କମ୍ପ୍ୟୁଟିଂ କ୍ଷମତା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରିଥିଲା। ଏହା ପୂର୍ବବର୍ଷର ସମାନ ସମୟ ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ। ଏହା ସହିତ ଆମାଜନ୍ ଓ ଗୁଗଲ୍ ଭଳି ଭିତ୍ତିଭୂମି ସହଯୋଗୀଙ୍କ ସହ କମ୍ପାନୀର ପ୍ରାୟ ୯୦୦ ବିଲିୟନ ଡଲାରର କମ୍ପ୍ୟୁଟିଂ ସମ୍ପର୍କିତ ଚୁକ୍ତିବଦ୍ଧ ଖର୍ଚ୍ଚ ପ୍ରତିଶ୍ରୁତି ରହିଛି। ଆହୁରି ଚିନ୍ତାଜନକ କଥା ହେଉଛି, ୨୦୨୬ର ତୃତୀୟ ତ୍ରୈମାସିକରେ କମ୍ପାନୀ ୫୬୭ ନିୟୁତ ଡଲାରର ପରିଚାଳନାଗତ କ୍ଷତି ସହିଥିଲା। ଏହାର ପୂର୍ବ ତ୍ରୈମାସିକରେ କମ୍ପାନୀ ୯୭୪ ନିୟୁତ ଡଲାରର ପରିଚାଳନାଗତ ଲାଭ କରିଥିଲା। ତେଣୁ ନିବେଶକଙ୍କ ସାମ୍ନାରେ ଏବେ ବଡ଼ ପ୍ରଶ୍ନ ହେଉଛି, ଏତେ ବିପୁଳ ଖର୍ଚ୍ଚ ସତ୍ତ୍ୱେ ଆନ୍ଥ୍ରୋପିକ୍ ନିଜର ଦ୍ରୁତ ଆୟ ବୃଦ୍ଧିକୁ ଦୀର୍ଘମିଆଦୀ ଲାଭରେ ପରିଣତ କରିପାରିବ କି?

AI ଶିଳ୍ପ ପାଇଁ ଆନ୍ଥ୍ରୋପିକ୍ର IPO କାହିଁକି ଗୁରୁତ୍ୱପୂର୍ଣ୍ଣ?ଆନ୍ଥ୍ରୋପିକ୍ର ଆଇପିଓ କେବଳ ବିପୁଳ ପାଣ୍ଠି ସଂଗ୍ରହର ରେକର୍ଡ ନୁହେଁ। ଏହା ବିଶ୍ୱ AI ଶିଳ୍ପ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଅତ୍ୟାଧୁନିକ AI ମଡେଲ୍ ବିକାଶ କରୁଥିବା ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଆନ୍ଥ୍ରୋପିକ୍ ପ୍ରଥମ ଥର ପାଇଁ ସାଧାରଣ ନିବେଶକଙ୍କ ପାଇଁ ଷ୍ଟକ୍ ମାର୍କେଟ୍ରେ ପ୍ରବେଶ କରିଛି। ଏହାଦ୍ୱାରା ନିବେଶକମାନେ ଏଣିକି ଚିପ୍ ନିର୍ମାତା କମ୍ପାନୀ, କ୍ଲାଉଡ୍ ସେବା ପ୍ରଦାନକାରୀ କିମ୍ବା AI ଭିତ୍ତିଭୂମି ନିର୍ମାଣ କରୁଥିବା ସଂସ୍ଥାରେ ନିବେଶ କରିବା ସହ ଏକ AI ମଡେଲ୍ ନିର୍ମାତା କମ୍ପାନୀରେ ମଧ୍ୟ ସିଧାସଳଖ ନିବେଶ କରିବାର ସୁଯୋଗ ପାଇବେ। ଏହି ଆଇପିଓ ଅନ୍ୟ AI କମ୍ପାନୀ, ବିଶେଷକରି ପ୍ରତିଦ୍ୱନ୍ଦ୍ୱୀ OpenAI ପାଇଁ ମଧ୍ୟ ଏକ ମୂଲ୍ୟାୟନ ମାନଦଣ୍ଡ ସୃଷ୍ଟି କରିପାରେ। ତେବେ AI ଶିଳ୍ପରେ ନିବେଶ ସହିତ କିଛି ବଡ଼ ବିପଦ ମଧ୍ୟ ରହିଛି। ଅତ୍ୟାଧୁନିକ AI ମଡେଲ୍ ବିକାଶ ପାଇଁ ବିପୁଳ ଖର୍ଚ୍ଚ, କମ୍ପ୍ୟୁଟିଂ ଭିତ୍ତିଭୂମିର ଉପଲବ୍ଧତା ଏବଂ ଏହି ନିବେଶରୁ ପର୍ଯ୍ୟାପ୍ତ ଆୟ ହୋଇପାରିବ କି ନାହିଁ, ତାହା ଏବେ ମଧ୍ୟ ଏକ ବଡ଼ ପ୍ରଶ୍ନ। ଏହା ସହିତ OpenAI, Google, Meta ଭଳି ବଡ଼ ଟେକ୍ନୋଲୋଜି କମ୍ପାନୀ ସହ ଆନ୍ଥ୍ରୋପିକ୍କୁ କଡ଼ା ପ୍ରତିଯୋଗିତା କରିବାକୁ ପଡ଼ିବ।

ଆନ୍ଥ୍ରୋପିକ୍ ବନାମ ସ୍ପେସ୍ଏକ୍ସ: IPO ଲଢ଼େଇରେ କିଏ ଆଗରେ?ମୋଟ୍ IPO ପାଣ୍ଠି ସଂଗ୍ରହ ଓ ପ୍ରାରମ୍ଭିକ ସେୟାର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଆନ୍ଥ୍ରୋପିକ୍ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ପ୍ରଥମ ଦିନର କାରବାରରେ ସେୟାର ମୂଲ୍ୟର ଗତି ବଜାୟ ରଖିବା କ୍ଷେତ୍ରରେ ସ୍ପେସ୍ଏକ୍ସ ମଧ୍ୟ ନିଜର ସ୍ଥିତି ମଜବୁତ ରଖିଛି। ଉଭୟ କମ୍ପାନୀର ବ୍ୟବସାୟ ମଡେଲ୍ ମଧ୍ୟ ଭିନ୍ନ। ସ୍ପେସ୍ଏକ୍ସରେ ନିବେଶ କରିବା ଅର୍ଥ ମହାକାଶ ପ୍ରଯୁକ୍ତିବିଦ୍ୟା, ସାଟେଲାଇଟ୍ ଇଣ୍ଟରନେଟ୍ ଏବଂ AI ଭଳି ଏକାଧିକ କ୍ଷେତ୍ରରେ ନିବେଶ କରିବା। ଅନ୍ୟପକ୍ଷରେ ଆନ୍ଥ୍ରୋପିକ୍ ହେଉଛି ଜେନେରେଟିଭ୍ AIର ଭବିଷ୍ୟତ ଉପରେ ଏକ ସିଧାସଳଖ ନିବେଶ। ତେଣୁ ଆନ୍ଥ୍ରୋପିକ୍ ଆଇପିଓ ଆକାରରେ ନୂଆ ଇତିହାସ ରଚିଥିଲେ ମଧ୍ୟ ସ୍ପେସ୍ଏକ୍ସ ସହ ଏହାର ପ୍ରତିଯୋଗିତା ଶେଷ ହୋଇନାହିଁ। ଆଗାମୀ ଦିନରେ କେଉଁ କମ୍ପାନୀ ନିଜର ବଜାର ମୂଲ୍ୟକୁ ଅଧିକ ସ୍ଥିର ରଖିବା ସହ ନିବେଶକଙ୍କୁ ଦୀର୍ଘମିଆଦୀ ଲାଭ ଦେଇପାରିବ, ତାହା ହିଁ ଏହି ପ୍ରତିଯୋଗିତାର ପ୍ରକୃତ ମାପଦଣ୍ଡ ହେବ।