ନୂଆଦିଲ୍ଲୀ: ପାର୍ବଣରେ ଯାଗଣ ଶୃଙ୍ଖଳିତ ରଖିବା ଲାଗି ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଖୁଚୁରା ଓ ପାଇକାରୀ ବଜାରରେ ଗତ ମାସେ ହେଲା ଚିନି ଦର କେଜି ପିଛା ୪ ଟଙ୍କା ବଢିକି ରହିଛି। ଖାଉଟି ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଚିନିର ଦୈନିକ ହାରାହାରି ଖୁଚୁରା ଓ ପାଇକାରୀ ଦର ଯଥାକ୍ରମେ କେଜି ପିଛା ୫୯ଟଙ୍କା ୫୦ ପଇସା ଓ ୫୫ଟଙ୍କା ୪୦ ପଇସା ରହିଛି। ବାର୍ଷିକ ଆଧାରରେ ଦେଖିଲେ ଚିନି କେଜି ପିଛା ଦର ପାଖାପାଖି ୧୨ରୁ ୧୩ ଟଙ୍କା ବଢିଛି। ବର୍ଷକ ପୂର୍ବରୁ ଖୁଚରା ବଜାରରେ କେଜି ପିଛା ଚିନି ଦର ୪୬ଟଙ୍କା ୫୦ ପଇସାରେ ବିକ୍ରି ହେଉଥିଲା। ସେହିପରି ପାଇକାରୀ ଦର କେଜି ପିଛା ୪୩ଟଙ୍କା ୨୩ ପଇସା ରହୁଥିଲା।

ଦେଶର ପ୍ରମୁଖ ମହାନଗରମାନଙ୍କ ମଧ୍ୟରୁ କୋଲକାତାରେ ନଭେମ୍ବର ୩ ତାରିଖ ଦିନ ଚିନି କେଜି ପିଛା ଦର ସର୍ବାଧିକ ୬୫ ଟଙ୍କାରେ କାରବାର ହେଉଥିଲା। ତେବେ ବର୍ଷକ ପୂର୍ବରୁ ଏହି ଦର ଏଠାରେ ୫୦ ଟଙ୍କା ଥିଲା। ଏହା ପଛକୁ ଦିଲ୍ଲୀରେ କେଜି ପିଛା ଚିନି ୬୪ ଟଙ୍କାରେ କାରବାର ହେଉଛି। ତେବେ ବର୍ଷକ ପୂର୍ବରୁ ଏହା ୪୬ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ଚିନି ପ୍ରତି କେଜି ୬୧ ଟଙ୍କାରେ ବିକ୍ରି ହେଉଛି। ଏଠାରେ ବର୍ଷକ ପୂର୍ବରୁ ୪୫ ଟଙ୍କା ଥିଲା।

ତେବେ ଚଳିତବର୍ଷ ଚିନି ଦର ଉଚ୍ଚ ରହିବାର କାରଣ ହେଉଛି ୨୦୨୫-୨୬ରେ ଉତ୍ପାଦନ ହ୍ରାସ ହେବା। ପାର୍ବଣ ଚାହିଦା, ଫସଲହାନୀ, ବୈଶ୍ୱିକ ସ୍ତରରେ ଯୋଗାଣ ହ୍ରାସ ସାଙ୍ଗକୁ କଳାବଜାରୀ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ତେବେ ଦର ନିୟନ୍ତ୍ରଣ ପାଇଁ ସରକାର ବ୍ୟବସାୟୀଙ୍କ ଭଣ୍ଡାରଣ ସୀମା ନିର୍ଦ୍ଧାରଣ କରିବା ସହିତ ଆମଦାନୀ, ଅତି ନିକଟରୁ ଦେଖରେଖ କରିବା ଓ ଆଗୁଆ ଆଖୁ ପେଡା କାମ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଜାତୀୟ ସମବାୟ ଚିନି କାରଖାନା ମହାସଂଘ ଲିମିଟେଡ (ଏନଏଫସିଏସଏଫ) ୨ ନଭେମ୍ବର ସୋମବାର କହିଥିଲେ ଯେ ଭାରତ ୨୦୨୬-୨୭ ଚିନି ଋତୁ (ସେପ୍ଟେମ୍ବର-ଅକ୍ଟୋବର)ରେ ୮.୪୫ ଲକ୍ଷ ଟନ ଚିନି ଉତ୍ପାଦନ କରିଛି। ଏଥି ପାଇଁ ଅକ୍ଟୋବର ୮ ତାରିଖରୁ ପେଡା ଆରମ୍ଭ ହୋଇଥିଲା ଓ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୧୫୨ ମିଲ ଚିନି ଉତ୍ପାଦନ କରିଥିଲେ। ଏଣୁ ପାର୍ବଣ ଋତୁରେ ଦେଶରେ ଚିନିର ଘରୋଇ ଯୋଗାଣ ବଢିଛି।