ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଗଠନ ହେଉଛି ନୂଆ ଦଳ ‘ଅରୁଣାଚଳ ଜନତା ପାର୍ଟି’ । ଏନେଇ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ଏହା ସହ ସେ ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ଆତ୍ମଘୋଷିତ ଚାଣକ୍ୟ’ ବୋଲି କହି କଟାକ୍ଷ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କିମ୍ବା ଅନ୍ୟ ଦଳ (ବିଶେଷ କରି ଟିଏମସି)ରୁ ଅଲଗା ହେଉଥିବା ନେତାମାନଙ୍କୁ ଆଶ୍ରୟ କିମ୍ବା ‘ପାର୍କିଂ ସ୍ପେସ୍’ ଯୋଗାଇବା ପାଇଁ ଏଭଳି ଦଳଗୁଡ଼ିକୁ ପୁନର୍ଜୀବିତ କିମ୍ବା ଗଠନ କରାଯାଉଛି । ପୂର୍ବରୁ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ'କୁ ମଧ୍ୟ ଏଭଳି କରାଯାଇଥିଲା ।

ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିବା ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ, ୨୦୨୬ ଅକ୍ଟୋବର ୧୬ ତାରିଖରେ ଅରୁଣାଚଳ ଜନତା ପାର୍ଟି ଗଠନ ହୋଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଅରୁଣାଚଳ ପ୍ରଦେଶର ପାପୁମ୍ ପାରେ ଜିଲ୍ଲା ଅନ୍ତର୍ଗତ ଇଟାନଗର ଆକାଶ ଦୀପର ଡୋକୁମ୍ କଲୋନୀରେ ରହିଛି। ଲୋକପ୍ରତିନିଧି ଆଇନ, ୧୯୫୧ର ଧାରା ୨୯-ଏ ଅଧୀନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ପଞ୍ଜୀକରଣ ପାଇଁ ଦଳ ପକ୍ଷରୁ ଆବେଦନ କରାଯାଇଛି। 

ଜୟରାମ ରମେଶ ଆହୁରି ଲେଖିଛନ୍ତି ଯେ, ‘ନିଶ୍ଚିତ ଭାବରେ ଏହା ଆତ୍ମଘୋଷିତ ଚାଣକ୍ୟଙ୍କ ଅନ୍ୟ ଏକ ଚାଲ୍ । ସେ ପୂର୍ବରୁ ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ନେତାଙ୍କୁ ରଖିବା ପାଇଁ ଅଜଣା ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’କୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ପୁନର୍ଜୀବିତ କରିଥିଲେ।’ ସେ ଅଭିଯୋଗ କରିଛନ୍ତି ଯେ, ଭାରତରେ ଏଭଳି ପ୍ରାୟ ୭୩୪ଟି ପଞ୍ଜୀକୃତ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ରହିଛି । ଏହି ସବୁ ଦଳ ୨୦୨୪-୨୫ ବର୍ଷରେ ୧୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ମୋଟ ଅର୍ଥର ଅଧାରୁ ଅଧିକ ଭାଗ କେବଳ ଗୁଜରାଟର ୨୯ଟି ଏଭଳି ଦଳ ନିକଟକୁ ଯାଇଛି ବୋଲି ଦାବି କରିଛନ୍ତି ଜୟରାମ ରମେଶ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦୨୨ରେ ପଶ୍ଚିମବଙ୍ଗରେ ଗଠିତ ହୋଇଥିବା ପଞ୍ଜୀକୃତ ଅସ୍ୱୀକୃତିପ୍ରାପ୍ତ ଦଳ ‘NCPI’ କିଛି ମାସ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ, ଟିଏମସିର ୨୭ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ଦଳ ଛାଡ଼ି NCPI ରେ ଯୋଗ ଦେଇଥିଲେ । ଏହା ସହ ସେମାନେ NDA କୁ ସମର୍ଥନ ଦେଇଥିଲେ। ଏଭଳି ସ୍ଥିତିରେ ଅରୁଣାଚଳରେ ଗଠିତ ନୂଆ ଦଳକୁ ଦଳଡିଆଁଙ୍କ ପାଇଁ ପାର୍କିଂ ସ୍ଥଳ ଭାବରେ ବ୍ୟବହାର କରାଯାଇପାରେ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ।