କୋଲକାତା: ତୃଣମୂଳ କଂଗ୍ରେସ (TMC) ର ପରାଜୟ ପରେ ଏବେ ଦଳ ଭିତରେ ବିଦ୍ରୋହ ଚରମରେ ପହଞ୍ଚିଛି । ଲୋକସଭାରେ ସଂସଦୀୟ ଦଳ ଏବେ ଭାଙ୍ଗିବା ସ୍ଥିତିକୁ ଚାଲିଆସିଛି। ଟିଏମସିର ୧୯ ଜଣ ସାଂସଦ ବିଦ୍ରୋହ କରି ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିସାରିଛନ୍ତି। ଏହି କ୍ରମରେ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟକା ଦେଇ ଦଳର ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ଏହି ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ବୈଠକ

ଉତ୍ତର କୋଲକାତାର ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଶନିବାର ସକାଳେ କୋଲକାତାରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ବିରଭୂମର ବିଦ୍ରୋହୀ ସାଂସଦ ଶତାବ୍ଦୀ ରାୟ ମଧ୍ୟ ସେହି ସମାନ ବିମାନରେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ସୁଦୀପ ବନ୍ଦୋପାଧ୍ୟାୟ ଓ ଶତାବ୍ଦୀ ରାୟ ଏକାଠି ଏକ କାରରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ସୂଚନା ମିଳିଛି।

ଗତ କିଛି ଦିନ ହେବ ଟିଏମସିର ବିଦ୍ରୋହୀ ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ କରିସାରିଛନ୍ତି। ଏହି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଏବଂ ଶତାବ୍ଦୀ ରାୟ ନେଉଛନ୍ତି। ଏଭଳି ସ୍ଥିତିରେ ଶତାବ୍ଦୀଙ୍କ ସହ ସୁଦୀପଙ୍କୁ ଦେଖିବା ଦଳୀୟ ଗଣିତ ବଦଳୁଥିବାର ସ୍ପଷ୍ଟ ସଂକେତ ଦେଉଛି। ବିଧାନସଭା ନିର୍ବାଚନ ପରଠାରୁ ହିଁ ତୃଣମୂଳ କଂଗ୍ରେସରେ ସଙ୍କଟ ଜାରି ରହିଛି। ବିଧାନସଭାରେ ବିଧାୟକ ଦଳର ନିୟନ୍ତ୍ରଣ ମମତା ବାନାର୍ଜୀଙ୍କ ହାତରୁ ଖସିଯାଇଥିବା ବେଳେ ଏବେ ଲୋକସଭା ସାଂସଦମାନେ ମଧ୍ୟ ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି।

ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର ଦାବି କରିଛନ୍ତି ଯେ, ପ୍ରାୟ ୨୦ ଜଣ ସାଂସଦଙ୍କ ସମର୍ଥନ ସେମାନଙ୍କ ପାଖରେ ରହିଛି ଏବଂ ସେମାନେ କେନ୍ଦ୍ରର ଶାସକ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) କୁ ସମର୍ଥନ କରିବାକୁ ଚାହାଁନ୍ତି।ଶୁକ୍ରବାର ଦିନ ୧୯ ଜଣ ସାଂସଦଙ୍କ ଦସ୍ତଖତ ଥିବା ଏକ ଦସ୍ତାବିଜ ସାମ୍ନାକୁ ଆସିଥିଲା । କିନ୍ତୁ ସେଥିରେ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସ୍ୱାକ୍ଷର ନଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ବିଦ୍ରୋହୀ ସାଂସଦମାନଙ୍କର ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ଏହାପରେ ସୋମବାର ଦିନ ଏହି ସାଂସଦମାନେ ଲୋକସଭା ବାଚସ୍ପତିଙ୍କୁ ଭେଟି ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ ପାଇଁ ଦାବିପତ୍ର ଉପସ୍ଥାପନ କରିବେ।

ସୁଦୀପ ବନ୍ଦୋପାଧ୍ୟାୟ ହେବେ କି ନୂଆ ନେତା ?

ସୁଦୀପ ବନ୍ଦୋପାଧ୍ୟାୟ ହେଉଛନ୍ତି ସୌଗତ ରାୟଙ୍କ ପରେ ଲୋକସଭାରେ ଟିଏମସିର ସବୁଠାରୁ ବରିଷ୍ଠ ନେତା। ସେ ଦୀର୍ଘ ସମୟ ଧରି ଲୋକସଭାରେ ଦଳର ସଂସଦୀୟ ନେତା ପଦ ସମ୍ଭାଳି ଆସୁଥିଲେ। କିନ୍ତୁ ଏବେ ତାଙ୍କୁ ସେହି ପଦରୁ ହଟାଇ ଅଭିଷେକ ବାନାର୍ଜୀଙ୍କୁ ଦଳର ନେତା କରାଯାଇଥିଲା। ଏହାକୁ ନେଇ ସୁଦୀପ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ସୂତ୍ର ଅନୁସାରେ, ଯଦି ସୁଦୀପ ବନ୍ଦୋପାଧ୍ୟାୟ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦିଅନ୍ତି, ତେବେ ତାଙ୍କୁ ଲୋକସଭାରେ ଏହି ନୂଆ ଗୋଷ୍ଠୀର ନେତା କରାଯାଇପାରେ।