ଭୁବନେଶ୍ୱର: ଜଣେ ହୋଟେଲରେ ବାସନ ମାଜୁଥିଲା। ଆଉ ଜଣେ ଲୁଚାଛପାରେ ହାଣ୍ଡିଆ ବିକୁଥଲା । ଆଉ କିଏ ଭିକ୍ଷାବୃତ୍ତି କରୁଥଲା । ଶିକ୍ଷା କ'ଣ ଏହି ପିଲାମାନେ ଜାଣିନଥିଲେ । କାରଣ, ଦାରିଦ୍ର୍ୟ, ଅଭାବ ଓ ଅବହେଳାର ଶିକାର ହୋଇ ଶିକ୍ଷାରୁ ବଞ୍ଚିତ ଥିଲେ ଏମାନେ । ହେଲେ ପଙ୍କରୁ ପଦ୍ମ ଫୁଟିବା ଭଳି ଏମାନେ ଚମକିଛନ୍ତି । ବସ୍ତିରେ ଥିବା ଏହି ୬ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ବାଜିମାତ କରି ପ୍ରେରଣା ସାଜିଛନ୍ତି । ସାମାଜିକ ସଙ୍ଗଠନ ଆଶାଏଁର ଛତ୍ରଛାୟାରେ ପିଲାମାନେ ନିଜ ସଫଳତାର ପାହାଚ ଗଢ଼ିଛନ୍ତି ।

ସ୍ଥାନୀୟ ନୀଳପଡ଼ିଆ ବସ୍ତିର ବାଲେ ମୁର୍ମୁ (୧୬) । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ରୁ ୨୪୦ ନମ୍ବର ରଖି ପାସ୍ କରିଛନ୍ତି । ସପ୍ତମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିବା ବାଲେ ବାବୁଘରେ ବାସନ ମାଜିବା ସହ ଘରକାମ କରୁଥିଲେ । ପଢ଼ିବା ପ୍ରତି ଆଗ୍ରହ ନଥିବାରୁ ସ୍କୁଲ ଯିବା ବନ୍ଦ କରିଦେଇଥିଲେ । କିନ୍ତୁ "ଆଶାଏଁ' ଅନୁଷ୍ଠାନର ଟିମ୍ ବସ୍ତିକୁ ଆସି ପୁଣିଥରେ ପାଠପଢ଼ା ଆରମ୍ଭ କରିବାକୁ ପ୍ରେରଣା ଦେବା ପରେ ତାଙ୍କ ଜୀବନ ବଦଳିଯାଇଥିଲା । ବାଲେ ଏବେ ଆଇଟିଆଇ ପଢ଼ିବା ସହ ଭବିଷ୍ୟତରେ ଶିକ୍ଷକ ହୋଇ ବସ୍ତି ପିଲାଙ୍କୁ ପଢ଼ାଇବେ ବୋଲି କହିଛନ୍ତି ।

ସେହିପରି ଡମଣା ମଣ୍ଡପ ବସ୍ତିର ସ୍ୱପ୍ନା କାଲା । ଇଏ ମଧ୍ୟ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି । ସପ୍ତମ ଶ୍ରେଣୀ ପରେ ସ୍କୁଲ ଯିବା ବନ୍ଦ କରି ଘରେ ମା'ଙ୍କୁ ହାଣ୍ଡିଆ ପ୍ରସ୍ତୁତି ଓ ବିକ୍ରିରେ ସାହାଯ୍ୟ କରୁଥିଲେ। ଯଦିଓ ପଢ଼ିବା ପ୍ରତି ଆଗ୍ରହ ନଥିଲା, ତଥାପି କମ୍ ବୟସରେ ବିବାହ ହୋଇଯିବାର ଭୟ ତାଙ୍କୁ ଭିତରୁ ଦୁର୍ବଳ କରୁଥିଲା । ପରିବାର ବିବାହ ପାଇଁ ଆଗେଇ ଆସୁଥିବା ବେଳେ "ଆଶାଏଁ' ଟିମ୍ ପରିବାରକୁ ବୁଝାଇବା ପରେ ପୁଣି ଥରେ ପଢ଼ା ଆରମ୍ଭ କରିଥିଲେ ସ୍ୱପ୍ନା । ଚଳିତ ବର୍ଷ ସେ ୬୦୦ରୁ ୨୭୧ ନମ୍ବର ରଖି ମାଟ୍ରିକ ପାସ୍ କରିଛନ୍ତି ।

ଆଉ ଜଣେ ହେଲେ ଡମଣା ମଣ୍ଡପ ବସ୍ତିର ବର୍ଷା ଦିଗୀ । ଅନ୍ୟମାନଙ୍କ ମଧ୍ୟରେ ଗୋଲାପୀ ପାତ୍ର, ଏ ଚରଣ ରେଡି, ରାଜା ସାହୁ ମଧ୍ୟ ମାଟ୍ରିକ ପାସ୍ କରିଛନ୍ତି । ଏମାନେ ସମସ୍ତେ ଜରି ଗୋଟାଇ ନିଜ ଘର ଚଳାଉଥିଲେ । ହେଲେ ଏବେ ଏମାନେ ପାଠ ପଢିବେ । ଏମାନଙ୍କ ଭଳି ଆଉ କିଛି ପିଲା ମଧ୍ୟ ଚମକିଛନ୍ତି । ‘ପ୍ରମେୟ’ ପକ୍ଷରୁ ଆୟୋଜିତ ମା' ପାଇଁ କବିତାଟିଏ କାର୍ଯ୍ୟକ୍ରମରେ ଛାତ୍ରୀ ସୁହାନା ଖାତୁନ ମା'ଙ୍କ ଉପରେ ଲିଖିତ କବିତା ପାଠ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୁହାନା ବସ୍ତିରେ ରୁହେ । ବାପାମା ତାକୁ ବେସାହାରା ଭାବେ ଛାଡିଦେଇଥିଲେ । ଫଳରେ ସୁହାନା ଜରି ଗୋଟାଇ ନିଜ ଗୁଜୁରାଣ ମେଣ୍ଟାଉଥିଲା । ଏହି ସମୟରେ ଆଶାଏଁ ତାକୁ ଉଦ୍ଧାର କରିଥିଲା । ସୁହାନାକୁ ଶିକ୍ଷାର ସ୍ରୋତକୁ ନିଆଯାଇଥିଲା ।

​​​​​​​also read- ୧୩ରୁ ଅସମ୍ଭାଳ ତାତି ! ୪ ଡିଗ୍ରୀ ବଢ଼ିଯିବ ଦିନର ପାରଦ, ଅସହ୍ୟ ଗୁଳୁଗୁଳିରେ ଆକ୍ତାମାକ୍ତା ହେବେ ଉପକୂଳିଆ

ପାଠ ପଢିବା ସହ ନାଚଗୀତ ମଧ୍ୟ ଜାଣିଲା ସୁହାନା । ଏବେ ସୁହାନା କେବଳ ପାଠରେ ଭଲ କରିନି, କବିତା ପାଠୋତ୍ସବରେ ନିଜ ସାହିତ୍ୟ ଦକ୍ଷତା ଦେଖାଇଛି। ସେହିପରି ପ୍ରିୟାଂଶ ନାୟକ, କୁନି ପୂର୍ତ୍ତି, ଚାନ୍ଦିନୀ ହେମ୍ବ୍ରମ୍‌, ସଞ୍ଜୁ ଦେଓଗାମ, କାହ୍ନା ସାହୁ, ମାମା ସାହୁ, ମାଙ୍ଗ ପାତ୍ର, ସୁବାସ ଦାସ, ଜିନଗି ପୂର୍ତ୍ତି ପ୍ରମୁଖ ମା'ଙ୍କ ଉପରେ ଲେଖିଥିବା କବିତା ଆବୃତ୍ତି କରି ପ୍ରଶଂସା ପାଇଥିଲେ। ଏହି ପିଲାମାନେ ଭବିଷ୍ୟତ, ତେଣୁ ଏମାନଙ୍କୁ ଗଢିତୋଳିବାକୁ ଆଶାଏଁ ପ୍ରତିଶ୍ରୁତିବଦ୍ଧ ବୋଲି ଅଧ୍ୟକ୍ଷ ରତ୍ନାକର ସାହୁ କହିଛନ୍ତି।