ବରଗଡ଼: ଅଧିକ ଲାଭ ଆଶାରେ ବାଇଗଣ ଚାଷ କରିଥିଲେ ଚାଷୀ, ହେଲେ ଏବେ ମିଳୁନି ଉଚିତ ମୂଲ୍ୟ। ଦିନେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା ବାଇଗଣକୁ ଏବେ ମାତ୍ର ୩ରୁ ୪ ଟଙ୍କାରେ କିଣିବାକୁ ମାଗୁଛନ୍ତି ବେପାରୀ। ପଡ଼ୋଶୀ ରାଜ୍ୟରୁ ଆମଦାନୀ ଓ ମଣ୍ଡି ବ୍ୟବସ୍ଥାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବରଗଡ଼ରୁ ଏମିତି ଚିତ୍ର ସାମ୍ନାକୁ ଆସିଛି।

ଜମିରେ ଭରପୂର ବାଇଗଣ ଫସଲ, ହେଲେ ଚାଷୀଙ୍କ ମୁହଁରେ ନାହିଁ ହସ। ଅଧିକ ଲାଭ ଆଶାରେ ଧାନ ଚାଷ ଛାଡ଼ି ବାଇଗଣ ଚାଷ କରିଥିଲେ ଅନେକ ଚାଷୀ। କିନ୍ତୁ ଏବେ ବଜାରରେ ଦର ହ୍ରାସ ସେମାନଙ୍କ ଆଶାରେ ପାଣି ପକାଇ ଦେଇଛି। ଯେଉଁ ବାଇଗଣ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହାର ଦର ଖସି ୩ରୁ ୪ ଟଙ୍କାରେ ପହଞ୍ଚିଛି। ପଡ଼ୋଶୀ ରାଜ୍ୟରୁ ବାଇଗଣ ଆମଦାନୀ ଯୋଗୁଁ ସ୍ଥାନୀୟ ବଜାରରେ ଦର କମିଥିବା କହୁଛନ୍ତି ଚାଷୀ। ଫଳରେ ମଞ୍ଜି, ସାର, ଔଷଧ, ଜଳସେଚନ ଓ ଶ୍ରମିକ ଖର୍ଚ୍ଚ ଉଠାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେଣୁ ବିଲରେ ବାଇଗଣ ପଡ଼ି ପଚିଶଢ଼ି ନଷ୍ଟ ହେଉଛି।

Also Read: ବଜାରକୁ ଗଲେ ଲାଗୁଛି ଡର, ଚାଉଳଠୁ ପରିବା ସବୁ ମହଙ୍ଗା; କେମିତି ଚଳିବ ପରିବାର ?

ଗୋଟିଏ ପଟେ ଅଣଧାନ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି, ଅନ୍ୟପଟେ ଅମଳ ପରେ ମିଳୁନି ଉଚିତ ବଜାର ଓ ମୂଲ୍ୟ। ମଣ୍ଡି ଓ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ବାଧ୍ୟ ହୋଇ କମ୍ ଦରରେ ଫସଲ ବିକ୍ରି କରୁଛନ୍ତି ଚାଷୀ। ତେଣୁ ବାଇଗଣର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହ ବିକ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦାବି ହେଉଛି। ନଚେତ୍ ଅଧିକ ଲାଭ ଆଶାରେ ଅଣଧାନ ଚାଷ କରୁଥିବା ଚାଷୀଙ୍କ ପାଇଁ ଏହା ଆଗକୁ ବଡ଼ ସଙ୍କଟ ସୃଷ୍ଟି କରିପାରେ।