କଟକ: ଟିଟିଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ‎ଏହି ଘଟଣାରେ ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍ ଭ୍ୟାନ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆଗାମୀ ଦିନରେ ମଧ୍ୟ ‎ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ସମୟରେ ଜଣାପଡ଼ିଛି, ଟିଟିଲାଗଡ଼ରେ ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍ ଭ୍ୟାନ୍ (OD-03Q-4284)ର ଫିଟନେସ ‎ନାହିଁ । ବୀମାର ବୈଧତା ବି ନାହିଁ । ନିୟମ ଉଲ୍ଲଙ୍ଘନ ପାଇଁ ବାରମ୍ବାର ଚାଲାଣ ବି କଟିଛି। ପୁଣି ମାଲଗାଡ଼ିରେ ଯାତ୍ରୀ ‎ପରିବହନ କରି ଦୁର୍ଘଟଣା ଘଟାଇବା ଭଳି ଘଟଣାରେ ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଗାଡ଼ିର ପଞ୍ଜିକରଣ ‎ପ୍ରମାଣପତ୍ର ରଦ୍ଦ କରାଯିବା ସହ ଗାଡ଼ିକୁ ସ୍କ୍ରାପ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ‎ମାଲ୍ ଗାଡ଼ିରେ ଯାତ୍ରୀ ପରିବହନ କରି ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା ଗାଡ଼ି ଗୁଡ଼ିକ ‎ବିରୋଧରେ ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି। ‎

Also Read: ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ଗାଡ଼ିରେ ଥିଲେ ୫୦ରୁ ଅଧିକ ଲୋକ.

ଏଥିପାଇଁ ରାଜ୍ୟବ୍ୟାପୀ ସମସ୍ତ ଆରଟିଓ ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଗ୍ରହଣ କରାଯିବ। ମେ ୮ ଯାଏ ଏହି ‎ବିଶେଷ ଅଭିଯାନ ଜାରି ରହିବ। ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ, ଅତିରିକ୍ତ ପରିବହନ ଆୟୁକ୍ତ(ସଡ଼କ ସୁରକ୍ଷା) ‎ଦୀପ୍ତିରଂଜନ ପାତ୍ର କହିଛନ୍ତି, ସଡ଼କକୁ ଗାଡ଼ି ଆସିଲେ ମୋଟର ଯାନ ନିୟମ ପାଳନ କରିବା ବାଧ୍ୟତାମୂଳକ । ମାଲବାହୀ ‎ଗାଡ଼ି ଯାତ୍ରୀ ପରିବହନ କରିବା ବେଆଇନ । ତେଣୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଏଭଳି ନିୟମ ଉଲ୍ଲଙ୍ଘନରୁ ବିରତ ରହିବାକୁ ‎ସେ ଅନୁରୋଧ କରିଛନ୍ତି।