• ୭ ଜିଲ୍ଲାରୁ ୧୦,୦୩୧ ଆକାଉଣ୍ଟ ଯାଞ୍ଚ
  • ୩୩୯ ମାମଲା ପଞ୍ଜିକୃତ, ୩୫ ଗିରଫ
  • ରାଜ୍ୟ ବାହାରୁ ପରିଚାଳନା ହେଉଛି ମ୍ୟୁଲ ଆକାଉଣ୍ଟ

ଭୁବନେଶ୍ବର ୧୧।୩: ଓଡ଼ିଶା ପୋଲିସ ପକ୍ଷରୁ ସାଇବର ଅପରାଧକୁ ମାତ୍ ଦେବା ପାଇଁ ଆରମ୍ଭ କରାଯାଇଛି ସାଇବର-କବଚ ଏନଫୋର୍ସମେଣ୍ଟ । ଏହି ଅଭିଯାନ ବିଭିନ୍ନ ରେଞ୍ଜରେ ଜାରି ରହିଥିବା ବେଳେ ସେଣ୍ଟ୍ରାଲ ରେଞ୍ଜ ପୋଲିସ ୭ ଜିଲ୍ଲାରେ ଆକାଉଣ୍ଟ ଯାଞ୍ଚ କରିଛି । ୧୩ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କେନ୍ଦ୍ରୀୟ ରେଞ୍ଜର କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ଜିଲ୍ଲାରେ ଯାଞ୍ଚ କରାଯାଇଛି । ସାଇବର ଆର୍ଥିକ ଠକେଇ, ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ଜାଲିଆତି ସିମ୍ ପ୍ରଦାନକୁ ରୋକିବା ପାଇଁ "ସାଇବର-କବଚ" ଶୀର୍ଷକ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଚଳାଇଥିଲା ।

ଏହି ଅଭିଯାନ ସମୟରେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସମନ୍ୱୟ ରଖି ସନ୍ଦିଗ୍ଧ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକର ଏକ ବଡ଼ ଧରଣର ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା । ସମଗ୍ର ଅଞ୍ଚଳରେ ମୋଟ୍ ୧୦,୦୩୧ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା । ତଥ୍ୟ ଆଧାରରେ, ୩୩୯ ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ଅଧିକ ତଦନ୍ତ ପାଇଁ ୧,୪୦୮ ଆକାଉଣ୍ଟଧାରୀ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଦିଆଯାଇଥିଲା । ଏହି ଅଭିଯାନ ସମୟରେ ସାଇବର ଠକେଇ କାର୍ଯ୍ୟକଳାପ ସହିତ ଜଡିତ ୩୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଏ ଖବର ବି ପଢ଼ନ୍ତୁ:- ଗ୍ୟାସ୍ ସଙ୍କଟ ରାଜନୀତି : ରାସ୍ତା ଉପରେ କାଠ ଚୁଲି ଜାଳି ଚା’ କଲା ବିଜେଡି, କଂଗ୍ରେସ କହିଲା କଳାବଜାରୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସରକାର

ସାଇବର ଠକେଇର ଶୀକାର ହେବାକୁ ଯାଉଥିବା ଲୋକଙ୍କୁ ଠିକ୍ ସମୟରେ ପୋଲିସର ସହାୟତା ମିଳିଥିବା କାରଣରୁ ୫୦ ଲକ୍ଷ ୬୦ ହଜାର ୨୮୦ ଟଙ୍କା ବ୍ଲକ କରିବାରେ ପୋଲିସ ସଫଳତା ପାଇଛି । ତଦନ୍ତରୁ ଜଣାପଡିଛି ଯେ, ଅନେକ ମ୍ୟୁଲ୍ ଆକାଉଣ୍ଟ ଓଡ଼ିଶା ବାହାରୁ ପରିଚାଳିତ ହେଉଛି । ଏହାସହ ସେମାନଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହାୟତା ନେଟୱାର୍କ ଚାଲିଥିବା ପୋଲିସକୁ ସୂଚନା ମିଳିଛି । ବିଶେଷକରି କିଛି କମିଶନ ପାଇଁ ଗ୍ରାହକମାନେ ନିଜ ଆକାଉଣ୍ଟକୁ ସାଇବର ଫ୍ରଡଙ୍କ ହାତରେ ଦେଇ ଦେଇଛନ୍ତି ।

ଏହି ଅଭିଯାନରେ ଜାଲିଆତି ମାଧ୍ୟମରେ ବହୁ ପରିମାଣରେ ସିମ୍ କାର୍ଡ ଜାରି କରୁଥିବା ସନ୍ଦେହ କରାଯାଉଥିବା ପଏଣ୍ଟ-ଅଫ୍-ସେଲ୍ (PoS) ଏଜେଣ୍ଟମାନଙ୍କ ବିରୁଦ୍ଧରେ ମଧ୍ୟ ସମାନ୍ତରାଳ ତଦନ୍ତ କରାଯାଇଥିଲା । କାରଣ ଏହି ସିମ୍‌ ଗୁଡ଼ିକୁ ସାଇବର ଅପରାଧୀ ମାନେ ପ୍ରାୟତଃ ଅନଲାଇନ୍ ଠକେଇ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାର କରନ୍ତି । କେନ୍ଦ୍ରୀୟ ରେଞ୍ଜ ପୋଲିସ ସାଇବର ଅପରାଧର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି । ଏହାସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସାଇବର ଅପରାଧ ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ନାଗରିକ ମାନଙ୍କୁ ସତର୍କ ରହିବାକୁ ଏବଂ ୧୯୩୦କୁ କଲ୍ କରି କିମ୍ବା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ତୁରନ୍ତ ଯେକୌଣସି ସାଇବର ଠକେଇ ରିପୋର୍ଟ କରିବାକୁ ରେଞ୍ଜ ଆଇଜି ସତ୍ୟଜିତ ନାୟକ ପରାମର୍ଶ ଦେଇଛନ୍ତି ।