ନୂଆଦିଲ୍ଲୀ, ୧୫।୧୧ : ପାକିସ୍ତାନ ଶୀତଋତୁରେ ବରଫପାତ ଆରମ୍ଭ ହେବା ପୂର୍ବରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ପ୍ରସ୍ତୁତି କରୁଛି। ଏଥିଲାଗି ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ପ୍ରାୟ ୮୦ଟି ଆତଙ୍କୀ ଲଞ୍ଚପ୍ୟାଡ୍ ବନାଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୬୦ରୁ ଅଧିକ ଲଞ୍ଚପ୍ୟାଡ୍ ଜମ୍ମୁ କ୍ଷେତ୍ରରେ ନିୟନ୍ତ୍ରଣ ରେଖା(ଏଲଓସି) ସାମ୍ନାରେ ରହିଛି। ଏହିସବୁ ଠିକଣାରେ ଥର୍ମାଲ ଥର୍ମାଲ ସେନ୍ସର, ଆଣ୍ଟି ଡ୍ରୋନ୍ ଡ୍ରୋନ୍ ସିଷ୍ଟମ ଲଗାଯାଇଛି।

Also Read :- ଭୟଙ୍କର ରୂପ ନେଲାଣି 'ଅକଭାନ୍' : ଓଡିଶା-ଆନ୍ଧ୍ର ଆଡ଼କୁ ମାଡ଼ି ଆସୁଛି, ୧୮ରେ ବଡ଼ ବିପଦ !

ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିରଙ୍କ ନିର୍ଦ୍ଦେଶରେ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏହାର ସଞ୍ଚାଳନ କରୁଛି। ପ୍ରତି ଲଞ୍ଚ ପ୍ୟାଡ୍ରେ ଲସ୍କର-ଇ-ତାଇବା ଏବଂ ଜୈସ୍-ଇ-ମହମ୍ମଦର ୪-୫ ଜଣ ଲେଖାଏଁ ଆତଙ୍କୀଙ୍କୁ ରଖାଯାଇଛି। ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି।

ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନର ଅନେକ ବଡ଼ ଆତଙ୍କୀ ଠିକଣା ଧ୍ବଂସ ହୋଇଯାଇଥିଲା। ଏହାପରେ ପାକିସ୍ତାନ ନିଜର ରଣନୀତି ବଦଳାଇ ଦେଇଛି। ଏବେ ବଡ଼ ଠିକଣା ବଦଳରେ ଛୋଟ ଛୋଟ ଲଞ୍ଚପ୍ୟାଡ୍ ବନାଉଛି। ପ୍ରତି ଲଞ୍ଚପ୍ୟାଡରେ କମ୍ ସଂଖ୍ୟକ ଆତଙ୍କୀଙ୍କୁ ରଖାଯାଉଛି । ଉଦ୍ଦେଶ୍ୟ ହେଲା ଯଦି କୌଣସି ଏକ ଠିକଣା ଉପରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ପୂରା ଆତଙ୍କୀ ନେଟଓ୍ୱର୍କ ଏକସଙ୍ଗରେ କ୍ଷତିଗ୍ରସ୍ତ ହେବନାହିଁ । ଛୋଟ ଠିକଣାର ଚିହ୍ନଟ ମଧ୍ୟ କଷ୍ଟକର ହୋଇପାରେ।

ପିଓକେରେ ବନାଯାଇଥିବା ଆତଙ୍କୀ ଲଞ୍ଚପ୍ୟାଡରେ ଥର୍ମାଲ ସେନ୍ସର ଏବଂ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି। ଥର୍ମାଲ ସେନ୍ସର ସହାୟତାରେ ଅନ୍ଧାର ଏବଂ ଖରାପ ପାଗରେ ବି ମନୁଷ୍ୟର ଉପସ୍ଥିତି ସଂପର୍କରେ ଚିହ୍ନଟ କରିହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ସଭିଲାନ୍ସ ଲାଗି ଆସିଥିବା ଡ୍ରୋନକୁ ଚିହ୍ନଟ କରିବା ଏବଂ ତାକୁ ରୋକିବାକୁ ବ୍ୟବହାର କରାଯାଇଥାଏ। ଏହି ଉପକରଣ ଜରିଆରେ ଆତଙ୍କୀ ଠିକଣାର ସୁରକ୍ଷା ବଢ଼ାଇବାକୁ ଉଦ୍ୟମ କରାଯାଇଛି।

ଅନ୍ୟପଟେ ଆଇଏସଆଇ ଲସ୍କର-ଇ-ତୋଇବାର ମୁଖ୍ୟ ହାଫିଜ୍ ସୟିଦ୍ ଏବଂ ଜୈସ୍-ଇ-ମହମ୍ମଦର ମୁଖ୍ୟ ମସୁଦ୍ ଆଝାରକୁ ସୁରକ୍ଷିତ ଠିକଣାକୁ ପଠାଇ ଦେଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଉଭୟଙ୍କୁ ସେମାନଙ୍କର ପୁରୁଣା ଠିକଣାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ହାଫିଜକୁ ଲାହୋରର ଜୋହର ଅଞ୍ଚଳରୁ ରାଓ୍ୱଲପିଣ୍ଡିର ଗ୍ୟାରିସନ୍ ଗ୍ରାଉଣ୍ଡ, ମସୁଦକୁ ସିନ୍ଧ ପ୍ରଦେଶର ନବାବଶାହସ୍ଥିତ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ସୂଚନା ମିଳିଛି।

ସୂଚନାଥାଉକି, ହାଫିଜ ସୟିଦ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର କୋଟ ଲାଖପତ୍ ଜେଲରେ ଦଣ୍ଡାଦେଶ କାଟୁଥିବା ପାକିସ୍ତାନ ଦାବି କରୁଛି। ତେବେ ସେ ଜେଲ୍ ବଦଳରେ ଆଇଏସଆଇର ସୁରକ୍ଷିତ ଠିକଣାରେ ରହୁଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଦାବି କରୁଛନ୍ତି। ଲସ୍କରର ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟିବା ବଦଳରେ ସେ ଅଡିଓ ମେସେଜ୍ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛି ।