ଭୁବନେଶ୍ୱର, ୧୩।୧୧ : ବଙ୍ଗୋପସାଗରରେ ଆସିପାରେ ଆଉ ଏକ ବାତ୍ୟା । ବିଭିନ୍ନ ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ସ୍ଥଳଭାଗ ପାଖାପାଖି ହୋଇପାରେ। ହେଲେ ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି। ୟୁରୋପୀୟ ମଡେଲ କହୁଛି, ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼େ ମୁହାଁଇପାରେ। ଆଉ ଦୁଇଟି ମଡେଲ ଦର୍ଶାଉଛି, ବାଙ୍ଗଲାଦେଶ କିମ୍ବା ମ୍ୟାଁମାର ଦିଗକୁ ମୋଡ଼ିଯାଇପାରେ ବାତ୍ୟା।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ୧୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପର ରୂପ ନେବ । ୧୫ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ବିସ୍ତାରିତ ପୂର୍ବାନୁମାନରେ ଆଇଏମଡି ଦର୍ଶାଇଛି ଯେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ ମଧ୍ୟରେ ଏକମତ ରହିଛି। ମାତ୍ର ସମ୍ଭାବ୍ୟ ଗତିପଥ ଓ ସ୍ଥଳଭାଗ ଛୁଇଁବା ( ଲ୍ୟାଣ୍ଡଫଲ୍) ନେଇ ବି ବିଭିନ୍ନ ମଡେଲ୍ ମଧ୍ଯରେ ଭିନ୍ନ ମତ ରହିଛି।

Also Read :- Horoscope Today : ନଭେମ୍ବର ୧୩ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେଣୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ ନେଇ ଏଯାଏଁ ଆଇଏମଡି କିଛି ବି ସ୍ପଷ୍ଟ କରିନାହିଁ । ଅବପାତ ହେବା ପରେ ହିଁ ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ସ୍ପଷ୍ଟ ଚିତ୍ର ମିଳିପାରେ। ତେବେ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶଖିଲା ରହିପାରେ। ମାତ୍ର କେତେକ ବିଶେଷଜ୍ଞଙ୍କ ମତରେ ୧୭-୧୮ ତାରିଖ ବେଳକୁ ଓଡ଼ିଶାରେ ପାଗ ବଦଳିପାରେ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଅବପାତ କିମ୍ବା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏପରିକି ଅଧିକ ଘନୀଭୂତ ହେଲେ ଏହା ବାତ୍ୟା ରୂପ ନେଇପାରେ। ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରର କାଭାଲିରୁ ମଛଲିପଟ୍ଟନମ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ଯଦି ଏଭଳି ହୁଏ, ତେବେ ଓଡ଼ିଶାରେ ୧୭-୧୮ ବେଳକୁ ପାଗ ବଦଳିପାରେ। ପ୍ରଥମେ ଗଞ୍ଜାମ, ଗଜପତି, ପୁରୀ ଆଦିରେ କିଛି ବର୍ଷା ହୋଇପାରେ। ୧୯-୨୧ ଭିତରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଅଧିକ ବର୍ଷା ସମ୍ଭାବନା ଅଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ଅବପାତ ହେବା ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

ପାଣିପାଗ ବୈଜ୍ଞାନିକ ବିଶ୍ବଜିତ ସାହୁ କହିଛନ୍ତି, ୧୭ ତାରିଖବେଳକୁ ବାତ୍ୟା ସୃଷ୍ଟି ହୋଇପାରେ। ବିଭିନ୍ନ ମଡେଲ୍ ଅନୁସାରେ ପ୍ରଥମେ ଏହା ଏହାର ଗତି ଆନ୍ଧ୍ର ଉପକୂଳ ମୁହାଁ ରହିପାରେ। ହେଲେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଏହା ଦିଗ ବଦଳାଇ ଉତ୍ତର-ପୂର୍ବକୁ ମୁହାଁଇପାରେ। ଏଭଳି ହେଲେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ, ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ଗତି କରିବା ନେଇ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ଓଡ଼ିଶାର କେତେ ନିକଟତର ହୋଇ ଏହା ଗତି କରିବ, ତା' ଉପରେ ଏହାର ପ୍ରଭାବ ନିର୍ଭର କରିବ। ୧୮-୧୯ରେ ରାଜ୍ୟରେ ପାଗ କୋହଲା ରହିପାରେ। ମାତ୍ର ବର୍ଷା ଓ ପବନ ନେଇ ଏବେ କିଛି ଆକଳନ କରିବା ସହଜ ନୁହେଁ।