କଣାସ ୫।୭: ପ୍ରଥମ ବର୍ଷାରେ ଭୁଶୁଡ଼ିଲା ନୂଆ ବ୍ରିଜର ପଥର ୱାଲ ସମେତ ପିଚୁ ରାସ୍ତା । ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଥିବା ଡେଲାଙ୍ଗ ଡାକପଡା ଲୁଣା ସେତୁ ଏବେ ଅସୁରକ୍ଷିତ । ହୋଇନାହିଁ ଉଦ୍ଘାଟନ ନେତା କାଟିନାହାନ୍ତି ଫିତା, ହେଲେ ଭୁଶୁଡ଼ିଲା ଡେଲାଙ୍ଗ ଡାକପଡା ମୋହନୀପୁରକୁ ସଂଯୋଗ କରୁଥିବା ଲୁଣା ନଦୀର ଉପରେ ହୋଇଥିବା ଲୁଣା ସେତୁ

ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଇଥିବା ଡାକପଡା ଲୁଣା ସେତୁ ଏବେ ଅସୁରକ୍ଷିତ । ପ୍ରଥମ ବର୍ଷାରେ ସେତୁର ଅବସ୍ଥା ଶୋଚନୀୟ । ନୂଆ ବ୍ରିଜର ୱାଲ ସମେତ ପିଚୁ ରାସ୍ତା ତଳକୁ ଧସେଇ ପଶିବା ସହ ପଥର ସବୁ ୨୦ ଫୁଟ ତଳକୁ ଖସି ଯାଇଛି । ଏହି ସେତୁ ଉପରେ ମୁନିଦା, ଗୁଆଳିପଡ଼ା, ଧାନକେରା, ଡେଲାଙ୍ଗ କୋଠବାଡ଼, ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ପ୍ରତ୍ୟେକ ଦିନ ଶହ ଶହ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି, ମେଡିକାଲ, ସରକାରୀ କାର୍ଯ୍ୟ ନିମନ୍ତେ ହଜାର ହଜାର ଲୋକେ ଯାତାୟତ ପାଇଁ ନିର୍ଭରଶୀଳ ଏହି ଲୁଣା ସେତୁ ଉପରେ ।

Also Read:- ରୋଷେଇ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ପୋଡ଼ିଗଲା ଶ୍ରମିକଙ୍କ ହାତ-ଗୋଡ଼

ଅଞ୍ଚଳବାସୀଙ୍କ ସଙ୍ଗୀନ ଅଭିଯୋଗ, ଅତି ନିମ୍ନ ମାନର କାର୍ଯ୍ୟ କରାଯାଇଛି ବୋଲି ପୂର୍ବରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଡେଲାଙ୍ଗ ବିଡିଓଙ୍କୁ ଏ ବାବଦରେ ପୂର୍ବରୁ ଅଭିଯୋଗ କରିଥିଲେ । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏତେ ସୁନ୍ଦର କାର୍ଯ୍ୟ କରାଯାଇଛି ଯେ ପ୍ରଥମ ବର୍ଷାରେ ଭୁଶୁଡି ପଡିଲା ପଥର ୱାଲ ସମେତ ରାସ୍ତା । ନିମ୍ନମାନର କାର୍ଯ୍ୟ କରିଥିବା ଜେଇ, ଏସ୍ଡିଓ ଓ ଠିକାଦାରଙ୍କ ବିରୋଧରେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।