ଭୁବନେଶ୍ବର ୨୭।୭: ଲଗାଣ ବର୍ଷା ଓ ସମ୍ଭାବ୍ଯ ବନ୍ୟା ସ୍ଥିତିକୁ ନେଇ ଲୋକସେବା ଭବନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା । ଲଘୁଚାପ ଗଭୀର ଅବପାତର ରୂପ ନେବା ପରେ ଏହାର ଗତି ଉପରେ ନଜର ରଖାଯାଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି । କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଆଉ କିଛି ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଫଳରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ SRC, ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକ ପରେ ସ୍ଥିତି ଦେଖି ସରକାର ଆଗୁଆ ପଦକ୍ଷେପ ନେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।

Also Read:- ଆଜି ଫାଟିବ ବାଦଲ, ୨୭ ଜିଲ୍ଲାରେ ହଠାତ ମାଡ଼ି ଆସିବ ବନ୍ୟା ! ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅପରାହ୍ନରେ ବାଲେଶ୍ୱର ଏବଂ କ୍ୟାନିଂ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ପ୍ରଭାବରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖାଦେବାର ମଧ୍ୟ ସମ୍ଭାବନା ରହିଛି ।