ବାରିପଦା ୩।୬: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନର । ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଚରମ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା ଏବଂ ପ୍ରଶାସନିକ ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ସ୍ମୃତିମୟୀ ବନଜା ଦାସଙ୍କୁ ସରକାରୀ ସେବାରୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ, ଆସନ୍ତା 'ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ' (ଏସଆଇଆର-୨୦୨୬) କାର୍ଯ୍ୟକ୍ରମର ଭର୍ଚ୍ଚୁଆଲ୍ ଟ୍ରେନିଂରେ ସ୍ମୃତିମୟୀ ବନଜା ଦାସ ଅନୁପସ୍ଥିତ ଥିଲେ । ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ବି ସେ ଜବାବ ରଖିନଥିଲେ ।

ଏହାସହ ବିଏଲ୍ଓ ପ୍ରଶିକ୍ଷଣ ଶିବିର ଆୟୋଜନରେ ବିଫଳ ହେବା, ମନମୁଖୀ ଭାବେ କାର୍ଯ୍ୟକ୍ରମ ଘୁଞ୍ଚାଇବା ଏବଂ ବିନା ପୂର୍ବ ସୂଚନାରେ କାର୍ଯ୍ୟରୁ ଅନୁପସ୍ଥିତ ରହି ସେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ ର ଉଲ୍ଲଂଘନ କରିଛନ୍ତି । ଫଳରେ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏଣ୍ଡଏ) ରୁଲ୍ସ ଅନୁଯାୟୀ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।