ପୁରୀ, ୨୨/୧୦: ଗୁରୁବାର ଆଶ୍ବିନ ଶୁକ୍ଳ ପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ଭିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ପ୍ରାତଃ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ସମ୍ପନ୍ନ ହୋଇଛି। ସେହିଭଳି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଠାକୁରଙ୍କ ବାଳଧୂପ ହେବ। ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଜାରି ରହିବ।

Also Read :- ଆସୁଛି ବଡ଼ ବାତ୍ୟା : ନେବ 'ଭେରି ସିଭିୟର ସାଇକ୍ଲୋନ୍'ର ରୂପ, ପୁରୀ-ଗଞ୍ଜାମ ଭିତରେ ଲ୍ୟାଣ୍ଡଫଲ୍ !

ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ପରିଧାନ କରି ଶ୍ରୀଭୁଜରେ ସୁବର୍ତ୍ତନଳୀ ଲାଗି ହେବେ। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ଠାକୁରେ ବାରଲାଗି ପାଟ ବିଭିନ୍ନ ପୁଷ୍ପ ଅଳଙ୍କାର,ଫୁଟା ଶିରିକାପଡ଼ା ଓ ଉତ୍ତରୀୟ ପରିଧାନ କରିବେ। ଏହି ବେଶରେ ଥାଇ ଠାକୁରଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସଂପନ୍ନ ହେବ। ସ୍ବତନ୍ତ୍ର ବାଳଧୂପରେ ଠାକୁରଙ୍କୁ ପାଚିଲା କଦଳୀ,ସେଓ,ଚାଉଳିଆ,ନଡ଼ିଆ ଆଦି ଫଳମୂଳ ସହ ଲିଆ,ଛତୁଆ ଆଦି ଅର୍ପଣ କରାଯିବ। ପଞ୍ଚୁକ ଅବସରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ହେବ। ତେବେ ଚଳିତ ବର୍ଷ ଦ୍ଵାଦଶୀ କ୍ଷୟ ଥିବାରୁ ବାଙ୍କଚୂଡ଼ ତଥା ବାମନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି।

ଶ୍ରୀମନ୍ଦିର କାର୍ତ୍ତିକ ନୀତି ଅନୁସାରେ ଶ୍ରୀମନ୍ଦିର ଦ୍ଵାର ରାତି ୪ଟାରେ ଫିଟିବା ପରେ ପ୍ରାତଃ ୫ଟାରେ ମଙ୍ଗଳ ଆଳତି,୬ଟା୧୫ରେ ଅବକାଶ ନୀତି ହୋଇ ରାଧାଦାମୋଦର ବେଶ ଆରମ୍ଭ ହେବ। ୮ଟାରେ ଗୋପାଳ ବଲ୍ଲଭ ଭୋଗ ଓ ସକାଳଧୂପ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ହେବ । ଏହାପରେ ବାଳଧୂପ ଭୋଗ ହେବ । ୧୨ଟାରେ ଭୋଗମଣ୍ଡପ ଶେଷ ହୋଇ ଭକ୍ତ ଅନ୍ନମହାପ୍ରସାଦ ପାଇବେ । ସାଢ଼େ ୧ଟା ମଧ୍ୟରେ ମଧ୍ୟାହ୍ନଧୂପ ଓ ସାଢ଼େ ୨ଟା ମଧ୍ୟରେ ୨ୟ ଭୋଗମଣ୍ଡପ ହେବ। ତେବେ ଏହି ନୀତି ସମୟ କେବଳ ସୂଚନା ପାଇଁ ଥିଲା ବେଳେ ସେହି ଦିନର ନୀତି ଉପରେ ଅସଲ ସମୟ ନିର୍ଭର କରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି।