ଭୁବନେଶ୍ୱର, ୨୨/୧୦:ଆସିପାରେ ବଡ଼ ବାତ୍ୟା । ସମୁଦ୍ର ଭିତରେ ଆରମ୍ଭ ହୋଇଗଲାଣି ଲଘୁଚାପ ଗଠନ ପ୍ରକ୍ରିୟା । କ୍ରମଶଃ ବଳ ବଢ଼ାଇ ଏହା ବାତ୍ୟା ରୂପ ନେବ। ତା'ପରେ ଭୀଷଣ କିମ୍ବା ଅତି ଭୀଷଣ ରୂପ ବି ନେଇପାରେ। ଆସନ୍ତା ୨୭ତାରିଖ ରାତି କିମ୍ବା ୨୮ ତାରିଖରେ ମାଡ଼ ହୋଇପାରେ ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ।

ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଏଭଳି ପ୍ରାକ୍ ଆକଳନ ଦେଖାଇଛତି ସମ୍ଭାବ୍ୟ ବାତ୍ୟାକୁ ନେଇ । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଶକ୍ତିଶାଳୀ ବାତ୍ୟା ହେବା ନେଇ ଆଶଙ୍କା ପ୍ରକଟ କରିଛନ୍ତି। ଯଦି ଏହି ବାତ୍ୟା ହୁଏ,ଏହାର ନା‘ଅର୍ଣ୍ଣବ’ରହିବ।

ଅବଶ୍ୟ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଏଯାଏଁ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ପୂର୍ବାନୁମାନ ଜାରି କରିନାହିଁ। ଆଇଏମଡି ଅନୁସାରେ ଗଳ୍ପ ଅଫ୍ ଥାଇଲାଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଥାଇଲାଣ୍ଡ ଏବଂ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୩ ତାରିଖବେଳକୁ ଦକ୍ଷିଣ ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇ ଘନୀଭୂତ ହେବା ସମ୍ଭାବନା ଅଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି,ଏବେ ପାଗ ଶୁଖିଲା ରହିବ। କିନ୍ତୁ,୨୬ରୁ ବର୍ଷା ହୋଇପାରେ। ବିଦେଶୀ ମଡେଲ୍ ଇସିଂଡବଲୁଏଫ ଏବଂ ଜିଏଫଏସ କିନ୍ତୁ ଭୟାନକ ପୂର୍ବାନୁମାନ ଚିତ୍ର ଦେଖାଇଛନ୍ତି । ଏହି ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଶକ୍ତିଶାଳୀ ରୂପ ନେଇ ଅତି ଭୀଷଣ (ଭେରି ସିଭିୟର) କିମ୍ବା ଅତ୍ୟନ୍ତ ଭୟାନକ ବାତ୍ୟା (ଏକଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପ ନେଇପାରେ । ପବନ ବେଗ ଘଣ୍ଟା ପ୍ରତି ୮୮ରୁ ୧୧୭କିଲୋମିଟର ରହିଲେ,ତାହାକୁ ଭୀଷଣ ବାତ୍ୟା ( ସିଭିୟର ସାଇକ୍ଲୋନ) କୁହାଯାଇଥାଏ। ୧୧୮-୧୬୫ କିମି ପବନ ହେଲେ ଅତି ଭୀଷଣ (ଭେରି ସିଭିୟର) ବାତ୍ୟା କୁହାଯାଏ। ପବନ ବେଗ ଘଣ୍ଟା ପ୍ରତି ୧୬୫ କିମି ଟପିଲେ (୧୬୬-୨୨୧ କିମି) ତାହା ଅତ୍ୟନ୍ତ ଭୟାନକ ବାତ୍ୟା (ଏକଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ହୋଇଥାଏ। ଏଥିରୁ ଅନୁମାନ କରାଯାଇପାରେ,ସମ୍ଭାବ୍ୟ ବାତ୍ୟା ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ।

ଜିଏଫଏସ୍ ମଡେଲ୍ ଅନୁସାରେ ସମ୍ଭାବ୍ୟ ବାତ୍ୟା ୨୭ ତାରିଖ ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ସମ୍ଭବତଃ ପୁରୀରୁ ଗଞ୍ଜାମ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗକୁ ପ୍ରବେଶ କରିପାରେ। ଇସିଏମଡବngଏଫ ସମ୍ଭାବ୍ୟ ଚିତ୍ର ମାଧ୍ୟମରେ ଦର୍ଶାଉଛି,ସମ୍ଭାବ୍ୟ ବାତ୍ୟା ୨୭ ତାରିଖ ବିଳମ୍ବିତ ରାତିରେ ହିଁ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ସମ୍ଭବତଃ ପୁରୀ-ଗଞ୍ଜାମ ମଧ୍ୟରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବର୍ତ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି। ସମୁଦ୍ର ପତ୍ତନ ତାପମାତ୍ରା ୨୯-୩୦ ଡିଗ୍ରୀ ସେଲସିୟସ୍ ରହୁ ଥିବାବେଳେ ୱିଣ୍ଡସିର ଭାଲ୍ୟୁ କମ୍ ରହୁଛି। ଏହା ବାତ୍ୟା ଗଠନ ପାଇଁ ସହାୟକ ହେଉଛି। ସମ୍ଭାବ୍ୟ ବାତ୍ୟା ଘନୀଭୂତ ହୋଇ ଭୀଷଣ ରୂପ ନେଇପାରେ। ଏହା ପରେ ଆଉ କେତେ ଅଧିକ ଶକ୍ତିଶାଳୀ ହେବ,ତାହା ଆଉ କିଛିଦିନ ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ବଙ୍ଗୋପସାଗରରେ ତାମିଲନାଡୁ ନିକଟରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ଆରବ ସାଗରକୁ ଯିବ। ଆରବ ସାଗରରେ ଏହା ଅଧିକ ଘନୀଭୂତ ନ ହେଲେ ବଙ୍ଗୋପସାଗର ବାତ୍ୟା ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୬ରୁ ପାଗ ବଦଳିପାରେ।

Also Read :- ଦିଲ୍ଲୀର ତିହାର ଜେଲ୍‌ରୁ ମୁକ୍ତ ହେଲେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଙ୍ଗ ସେଣ୍ଟରର ତଥ୍ୟ ଆଧାରରେ ଆସନ୍ତା ସପ୍ତାହରେ ଏକ ବାତ୍ୟା ଗଠନର ୬୦% ଆଶଙ୍କା ରହିଛି। ୟୁରୋପୀୟ ମଡେଲ୍ ମଧ୍ୟ ବାତ୍ୟା ସମ୍ଭାବନା ଦେଖାଉଛନ୍ତି। ୨୩ରେ ଲଘୁଚାପ,୨୫ରେ ଅବପାତ,୨୬-୨୭ରେ ଗଭୀର ଅବପାତ ଓ ୨୮ ସୁଦ୍ଧା ବାତ୍ୟା ରୂପ ନେଇପାରେ। ଆରମ୍ଭରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମକୁ ମୁହାଁଇପାରେ । ପରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଦିଗରେ ଯାଇପାରେ। ଏହା ଆହୁରି ଉତ୍ତରକୁ ମୁହାଁଇବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ। ୨୬ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ବର୍ଷା ବଢ଼ିପାରେ। କିନ୍ତୁ,ଏବେଠାରୁ କିଛି ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ।