କୋଲକାତା: ଦୁର୍ଗାପୂଜା ସମାପନ ଉପଲକ୍ଷେ ବିଜୟ ଦଶମୀ ଅବସରରେ ବୁଧବାର ପ୍ରତିମା ବିସର୍ଜନ ଆରମ୍ଭ ହୋଇଯାଇଛି। ତେବେ ଚୋରେବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରତିମା ବିସର୍ଜନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଗତ ସପ୍ତାହନ୍ତରେ ଏହି ପୂଜାମଣ୍ଡପରେ ଦଳାଚକଟା ହେବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନକୁ ନେଇ ଅନିଶ୍ଚିତତା ଦେଖା ଦେବାର ଅନେକ କାରଣ ରହିଛି। ଏଥିରେ ସବୁଠୁ ପ୍ରଥମ ଓ ବଡ଼ କାରଣ ହେଉଛି ପ୍ରଶାସନର ନିର୍ଦ୍ଦେଶ।

ପ୍ରଶାସନ ନିର୍ଦ୍ଦେଶରେ କୁହାଯାଇଛି ଯେ ଏହି ଘଟଣାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ସାମୂଦାୟିକ ପୂଜାମଣ୍ଡପରେ ଥିବା କୌଣସି ଜିନିଷ ଏପରିକି ମୂର୍ତ୍ତି ଯେପରି ଏପଟସେପଟ ନ ହୁଏ। ଏଣୁ ମୂର୍ତ୍ତିଗୁଡିକୁ ନ ଛୁଇଁ ବିସର୍ଜନ କରିହେବନି। ଏଣୁ ତଦନ୍ତ କେବେ ସରିବ ସେ ପର୍ଯ୍ୟନ୍ତ ବିସର୍ଜନ କିପରି ଅଟକି ରହିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଦେବୀ ଦୁର୍ଗାଙ୍କ ପ୍ରତୀକ ପବିତ୍ର କଳଶର ପ୍ରତିକାତ୍ମକ ବିସର୍ଜନ ବୁଧବାର ହୋଇଯାଇଛି। ହେଲେ ମୂର୍ତ୍ତିମାନଙ୍କ ଭୌତିକ ବିସର୍ଜନ କେବେ ହେବ ଏବେ ତାହା କେହି କହି ପାରୁନାହାନ୍ତି।

ଅନ୍ୟ କଥାଟି ହେଉଛି ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣା ପରେ ଚୋରେବାଗାନ ସାର୍ବଜନୀନର ଆୟୋଜକଙ୍କୁ ପୂଜାମଣ୍ଡପରୁ ଦୂରରେ ରଖା ଯାଇଛି। ଚୋରେବାଗାନ ସାର୍ବଜନୀନ ଦୁର୍ଗାପୂଜା କମିଟି ଉପାଧ୍ୟକ୍ଷ ସାନ୍ତନୁ ଦୁବେ ଓ ସାଧାରଣ ସମ୍ପାଦକ ରାଜକୁମାର ସେୱଡା ଓରଫ ରାଜାଙ୍କୁ ଅକ୍ଟୋବର ୧୮ ତାରିଖ ସକାଳେ ପୋଲିସ ଗିରଫ କରିନେଇଥିଲା। ସେମାନେ ଏବେ ଜେଲରେ ଅଛନ୍ତି। ଏଥିରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଘଟଣା ପରଠାରୁ ପୂଜା ମଣ୍ଡପ ଆଖପାଖରେ ଆୟୋଜକ କମିଟିର ମୁଖ୍ୟ ମୁହଁ ମାନଙ୍କୁ ଦେଖା ଯାଇ ନାହିଁ।

ଏଥିରେ ଯଦି ପ୍ରଶାସନ ମୂର୍ତ୍ତି ବିସର୍ଜନ ଲାଗି ଅନୁମତି ଦିଏ ସବୁଠୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟାକୁ ଏବେ ପୂରଣ କରିବ କିଏ? କୋଲକାତା ପୋଲିସ ଏସଆଇଟି ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ଏହା ସହିତ କୋଲକାତା ହାଇକୋର୍ଟର ଜନୈକ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ପୃଥକ ଯାଞ୍ଚ ମଧ୍ୟ ହେବ। ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାର ପିଛା ୨୫ ଲକ୍ଷ ଓ ଆହତଙ୍କ ଲାଗି ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଘୋଷଣା କରିଛନ୍ତି।