ପୁରୀ: ଏପ୍ରିଲ ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା କରାଯାଇଛି।

ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟା ରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ତେବେ ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ।

Also Read: ବୁଧବାରଠୁ ପୁଣି ଚାଲିବ ଗଣତିମଣତି, ପୂର୍ଣ୍ଣ ସହଯୋଗ ପାଇଁ ମୁଖ୍ୟ ପ୍ରଶାସକଙ୍କ ନିବେଦନ

ସେହିପରି ମାର୍ଚ୍ଚ ୨୫ ତାରିଖରେ ଶ୍ରୀମନ୍ଦିର ଚଳନ୍ତି ରତ୍ନଭଣ୍ଡାର ରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା। ଆସନ୍ତାକାଲି ୮ ତାରିଖ ଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଏସଓପି ଅନୁଯାୟୀ ଶନିବାର, ରବିବାର ଶ୍ରଦ୍ଧାଳୁ ଙ୍କ ଭିଡ଼ ପାଇଁ ଅଳଙ୍କାର ଗଣତି ମଣତି ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଶନିବାର ମଧ୍ୟ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ହେବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

୮ ତାରିଖରୁ ୧୧ ତାରିଖ ଏବଂ ୧୩ ତାରିଖରେ ରତ୍ନ ଅଳଙ୍କାର ଗଣତି ମଣତି ହେବ। ଏଥିସହ ୧୬ ତାରିଖରୁ ୧୮ ତାରିଖ ଯାଏଁ ମଧ୍ୟ ଗଣତି ମଣତି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆସନ୍ତା ୧୪ ତାରିଖ ଓଡ଼ିଆ ନବବର୍ଷରେ ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ବ୍ୟବହାର ହେବ। ନୂତନ ରତ୍ନ ପଲଙ୍କର ସଂସ୍କାର କରାଯିବା ପରେ ଏହା ବ୍ୟବହାର କରାଯିବ। ତିନୋଟି ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇଥିବା ବେଳେ ଏଥିରେ ରୂପା ଆଚ୍ଛାଦିତ କରାଯାଇଛି।

Also Read: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଅଶୁଭ ସଙ୍କେତ ବୋଲି କହୁଛନ୍ତି ସେବାୟତ

ତେବେ ପୁରୁଣା ରତ୍ନ ପଲଙ୍କ ଶ୍ରୀମନ୍ଦିର ନିଳାଦ୍ରୀ ମ୍ୟୁଜିୟମରେ ରଖାଯିବ। ପରିଚାଳନା କମିଟି ବୈଠକ ରେ ନିଷ୍ପତ୍ତି ପରେ ପୁରୁଣା ରତ୍ନ ପଲଙ୍କ କେଉଁଠାରେ ରଖାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଛତିଶା ନିଯୋଗ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ।