ପୁରୀ: ଶୁକ୍ରବାର ଅର୍ଥାତ ଏପ୍ରିଲ ୮ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଭଣ୍ଡାର ଗଣତିମଣତି। ଦ୍ବିତୀୟ ପର୍ଯ୍ୟାୟରେ ରତ୍ନଭଣ୍ଡାର ଗଣତିମଣତି ଏପ୍ରିଲ ୧୧ ଯାଏ ଚାଲିବ। ଏହା ପରେ ଏପ୍ରିଲ ୧୩ ଏବଂ ୧୬ରୁ ୧୮ ପର୍ଯ୍ୟନ୍ତ ଚାଲିବ ରତ୍ନଭଣ୍ଡାର ଗଣତିମଣତି । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଅବ୍ୟାହତ ରଖାଯିବ। ଏଥିସହ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ସ୍ବାଚ୍ଛନ୍ଦରେ ପ୍ରବେଶ କରିବେ।

ସେହିଭଳି କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ଏଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ବୋପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ । ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read: Ratna Bhandar News : ସମର୍ପଣ ଭାବରେ ଚାଲିଛି ଗଣତି ମଣତି, ଉଦ୍ଦେଶ୍ୟ ଖରାପ ହେଲେ ଦଣ୍ଡ ଦେବେ ଲୋକନାଥ

ସୂଚନାଥାଉକି, ଏହା ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଟିମ୍ ମନ୍ଦିର ଭିତରେ ରତ୍ନ ଅଳଙ୍କାର ଗଣତି କରିଥିଲେ। ଗଣତି ମଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯାଇଥିଲା। ତେବେ ସଂପୂର୍ଣ୍ଣ ଗଣତିମଣତି ସରିବା ପରେ ଏହାକୁ ୧୯୭୮ ମସିହା ତାଲିକା ସହ ମେଳ କରି ୨୦୨୬ର ଟ୍ୟାଗ ଲଗାଯିବ।