ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ଶ୍ରୀଲଙ୍କାର କିମ୍ବଦନ୍ତି ଖେଳାଳି ମହେଲା ଜୟବର୍ଦ୍ଧନେ। ଏନେଇ ଶନିବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାଞ୍ଜାଇଜ୍ ସହ ୧୦ ବର୍ଷର ସମ୍ପର୍କ ତୁଟାଇ ସେ ପଦ ଛାଡ଼ିଥିବା ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ସୂଚନା ଦେଇଛି। ୨୦୧୭ ଆଇପିଏଲ୍‌ ପାଇଁ ସେ ଆଉ ମୁଖ୍ୟ କୋଚ ହେବେ ନାହିଁ।

ଜୟବର୍ଦ୍ଧନେ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଦଳର ମୁଖ୍ୟ କୋଚ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ଗୋଟିଏ ବର୍ଷ ପଦରୁ ବିରତ ରହିବା ପରେ ପୁଣି ୨୦୨୪ରେ ସେ ମୁଖ୍ୟ କୋଚ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କର ଦୁଇଟି କାର୍ଯ୍ଯକାଳ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ଟାଇଟଲ ଜିତିଛି।

୨୦୨୨ ମସିହାରେ ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର 'ଗ୍ଲୋବାଲ୍ ହେଡ୍ ଅଫ୍ ପରଫର୍ମାନ୍ସ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସେ ବିଭିନ୍ନ ଆନ୍ତର୍ଜାତୀୟ ଟି-୨୦ ଲିଗ୍ରେ ଦଳର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଥିଲେ। ଦଳଗୁଡ଼ିକ ମଧ୍ୟରେ ଯେମିତି ଏକ ସମାନ କ୍ରିକେଟ୍ ନୀତି ପାଳନ ହେବ ସେ ଦିଗରେ କାମ କରିଥିଲେ।

Also Read- କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ? ଓଝା ନା ଜାଫର; ରୋଚକ ହେଲା ଦୌଡ଼

ମହେଲା ଜୟବର୍ଦ୍ଧନେଙ୍କ ଇସ୍ତଫା ନେଇ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ନୀତା ଅମ୍ବାନୀ କହିଛନ୍ତି “ ବର୍ଷ ବର୍ଷ ହେଲା ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଆସୁଥିଲେ। ତାଙ୍କର ଶାନ୍ତ ନେତୃତ୍ୱ, ଦଳ ପ୍ରତି ସତ୍ୟ ନିଷ୍ଠା ଏବଂ ଖେଳ ପାଇଁ ଗଭୀର ଭଲପାଇବା ଆମ ପାଇଁ ବହୁତ ଅର୍ଥ ରଖେ।” ମୁମ୍ବାଇ ଇଣ୍ଡିଆନ୍ସ ପ୍ରତି ଜୟବର୍ଦ୍ଧନେଙ୍କ ଅବଦାନ ଓ ପ୍ରତିବଦ୍ଧତା ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ନୀତା ଅମ୍ବାନୀ। ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ଭିତରେ ସେ ସବୁବେଳେ ଏକ ସଦସ୍ୟ ହୋଇ ରହିବେ ବୋଲି ନୀତା କହିଛନ୍ତି।

ଇସ୍ତଫା ନେଇ କ’ଣ କହିଲେ ଜୟବର୍ଦ୍ଧନେ ?

ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବା ପରେ ଜୟବର୍ଦ୍ଧନେଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସ ସହିତ ୧୦ ବର୍ଷ ଧରି ଜଡିତ ରହିବା ତାଙ୍କ କ୍ରିକେଟ କ୍ୟରିୟର ଏକ ସ୍ୱତନ୍ତ୍ର ଅଂଶ ହୋଇ ରହିବ ବୋଲି ସେ କହିଛନ୍ତି। ତାଙ୍କୁ ସପୋର୍ଟ କରିଥିବାରୁ ଓ ତାଙ୍କ ଉପରେ ଭରସା କରିଥିବାରୁ ଓ ଏକ ଭଲ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଦେଇଥିବାରୁ ସେ ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏବଂ ତାଙ୍କ ନେତୃତ୍ୱରେ ଦଳ ଯାହା ହାସଲ କରିଛି ତା’କୁ ନେଇ ସେ ଗର୍ବ ଅନୁଭବ କରିବେ ବୋଲି କହିଛନ୍ତି ଜୟବର୍ଦ୍ଧନେ।

ଜୟବର୍ଦ୍ଧନେ କହିଛନ୍ତି " ଏକାଠୀ ଆମେ ଯେଉଁ ଉପଲବ୍ଧି ହାସଲ କରିଛେ, ସେଥିପାଇଁ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ଏବଂ ମୋ ହୃଦୟରେ 'ଏମ୍ଆଇ' (MI) ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିବ।"

ମହେଲା ଜୟବର୍ଦ୍ଧନେଙ୍କ ଗ୍ଲୋବାଲ ହେଡ୍ କାର୍ଯ୍ୟକାଳ ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ନେଟୱର୍କ ସମ୍ପ୍ରସାରଣ ହୋଇଥିଲା। ନେଟୱାର୍କର ଟିମ୍- ମୁମ୍ବାଇ ଇଣ୍ଡିଆନ୍ସ ମହିଳା, ଏମଆଇ ନ୍ୟୁୟର୍କ ଏବଂ ଏମଆଇ ଏମିରେଟ୍ସ ଟାଇଟଲ୍ ଜିତିଥିଲେ। ହେଲେ ଏବେ ଜୟବର୍ଦ୍ଧନେଙ୍କ ଇସ୍ତଫା ପରେ ତାଙ୍କ ଜାଗା କିଏ ନେବେ ସେ ନେଇ ଫ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।