ୱାସିଂଟନ: ଆମେରିକା ସେନା ଇରାନର ଶକ୍ତି ଭିତ୍ତିଭୂମି ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସବୁଠୁ ବଡ଼ ଅଣ-ପରମାଣୁ ବୋମା ପକାଇବାକୁ ଯୋଜନା କରୁଛି। ତେବେ ଏଥି ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଞ୍ଜୁରୀ ଆବଶ୍ୟକ। ଏହି ବୋମା ‘ମଦର ଅଫ ଅଲ ବମ୍ବସ୍’ ଭାବେ ମଧ୍ୟ ଜଣାଯାଏ। ସିଏନଏନର ଏକ ରିପୋର୍ଟ ଅନୁସାରେ ଇରାନ ବିରୋଧରେ ଜାରି ଯୁଦ୍ଧରେ ‘ଜିବିୟୁ-୪୩/ ବି ମାସିଭ ଅର୍ଡନ୍ସ ଏୟାର ବ୍ଲାଷ୍ଟ ବମ’ (ଏମଓଏବି)ର ଉପଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ହୋଇପାରେ।

ଆମେରିକା ଓ ଇରାନ ଯୁଦ୍ଧକୁ ଏବେ ୮ ମାସ ପୁରିଛି। ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ନ୍ୟୁଜ ମ୍ୟାକ୍ସକୁ ଦେଇଥିବା ସାକ୍ଷାତକାରରେ ଆମେରିକା ଇରାନର ପରମାଣୁ ସ୍ଥଳ ଉପରେ ଆଉ ଏକ ଆକ୍ରମଣ କରିପାରେ ବୋଲି କହିଥିଲେ, ଏଥିରେ ‘ପିକ୍ ଏକ୍ସ ମାଉଣ୍ଟେନ’ ଭଳି ସୁରକ୍ଷିତ ସ୍ଥାନ ମଧ୍ୟ ସାମିଲ ରହିଛି। ହେଲେ ଯେବେ ଟ୍ରମ୍ପଙ୍କୁ ପଚରା ଗଲା ଯେ ସେ ‘ମଦର ଅଫ ଅଲ ବମ୍ବସ୍’ର ଉପଯୋଗ ଉପରେ ବିଚାର କରୁଛନ୍ତି କି? ଏହାର ଜବାବରେ ସେ କହିଥିଲେ ଯେ ଏହା ପରମାଣୁ ଅସ୍ତ୍ର ନୁହେଁ। ଏହା ଏକ ବଡ ବୋମା, ହେଲେ ପରମାଣୁ ନୁହେଁ।

ତେବେ ଟ୍ରମ୍ପ କହିଛନ୍ତି ଯେ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ନାହିଁ। ଆମକୁ ଏପରି କରିବାର ଆବଶ୍ୟକତା ମଧ୍ୟ ନାହିଁ। ହେଲେ ୨୧,୬୦୦ ପାଉଣ୍ଡର ଏମଓଏବିକୁ ପ୍ରଥମ ଥର ଏପ୍ରିଲ ୨୦୧୭ରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଆଫଗାନିସ୍ତାନରେ ବ୍ୟବହାର କରାଯାଇଥିଲା। ଏହା ଦ୍ୱାରା ଆଫଗାନିସ୍ତାନରେ ଇସ୍ଲାମିକ୍ ଷ୍ଟେଟ୍ ର ଏକ ସୁଡ଼ଙ୍ଗକୁ ନଷ୍ଟ କରାଯାଇଥିଲା। ସିଏନଏନ କହିଛି ଯେ ଅଧିକାରୀମାନେ ଏହି ପ୍ରଶ୍ନ ଉଠାଇଛନ୍ତି ଯେ ଏହି ବୋମା ଦ୍ୱାରା ଇରାନ ମାଟି ତଳେ ଲୁଚାଇ ରଖିଥିବା ପରମାଣୁ ସ୍ଥଳକୁ ପ୍ରଭାବୀ ଢଙ୍ଗରେ ନଷ୍ଟ କରାଯାଇ ପାରିବ କି? ତେବେ ଗତ ମାସରେ ଅନୁଷ୍ଠିତ ହୋଇଥିବା ଜାତିସଂଘ ସାଧାରଣ ସଭାରେ ଟ୍ରମ୍ପ କହିଥିଲେ ଯେ ତାଙ୍କୁ ଏବେ ଏକ ବଡ଼ ‘ନିଷ୍ପତ୍ତି’ ନେବାକୁ ପଡିବ। ଏଥିରେ ହୁଏତ ଇରାନ ସହ ବୁଝାମଣା କରିବାକୁ ପଡିପାରେ ନଚେତ ଇସ୍ଲାମିକ ରିପବ୍ଲିକକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯିବ।