ମୁମ୍ଵାଇ ୧୭।୧୦: ବଲିଉଡ୍ ଅଭିନେତା ଅଜୟ ଦେବଗନ। ତାଙ୍କ ମୁମ୍ବାଇର ଜୁହୁ ସ୍ଥିତ ବଙ୍ଗଳା ଉପରେ ବିଏମସିର ଆକ୍ସନ୍। ବେଆଇନ ନିର୍ମାଣ ଅଭିଯୋଗରେ ବଙ୍ଗଳାର କିଛି ଅଂଶକୁ ଭାଙ୍ଗିଛି ବୃହନ୍ମୁମ୍ବାଇ ମହାନଗର ନିଗମ। ଏହା ପୂର୍ବରୁ ନିର୍ମାଣ କାମ ବନ୍ଦ କରିବାକୁ ନୋଟିସ୍ ଜାରି କରିଥିଲା ବିଏମସି। ତେବେ ନୋଟିସ୍ ସତ୍ତ୍ୱେ କାମ ଜାରି ରହିଥିବା ଅଭିଯୋଗ ପରେ ନିଆଯାଇଛି ଏହି ପଦକ୍ଷେପ। କେଉଁ କାରଣରୁ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ, ଆସନ୍ତୁ ଜାଣିବା ଏହି ରିପୋର୍ଟରୁ। ଜୁହୁର କାପୋଲେ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଥିବା ଏହି ବଙ୍ଗଳା ପ୍ରାୟ ୭ ହଜାର ୮୦୨ ବର୍ଗଫୁଟ୍ ଅଞ୍ଚଳରେ ଅବସ୍ଥିତ।

ବିଏମସିର ଅଭିଯୋଗ ଅନୁସାରେ, ବଙ୍ଗଳାରେ ଆବଶ୍ୟକ ମ୍ୟୁନିସିପାଲ୍ ଅନୁମତି ନ ନେଇ ବିଭିନ୍ନ ନିର୍ମାଣ ଓ ପରିବର୍ତ୍ତନ କାମ କରାଯାଉଥିଲା। ଏଥିରେ କାନ୍ଥ ନିର୍ମାଣ, ଝରକାରେ ପରିବର୍ତ୍ତନ ସହ ଅନ୍ୟାନ୍ୟ କାମ ମଧ୍ୟ ସାମିଲ ରହିଥିଲା। ଏହି ଅଭିଯୋଗକୁ ନେଇ ସେପ୍ଟେମ୍ବର ୧୦ ତାରିଖରେ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ଧାରା ୩୫୪-ଏ ଅନୁଯାୟୀ ନୋଟିସ୍ ଜାରି କରିଥିଲା ବିଏମସି। ନିର୍ମାଣ କାମ ତୁରନ୍ତ ବନ୍ଦ କରିବା ସହ ଆବଶ୍ୟକ ଅନୁମତି ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ।

କିନ୍ତୁ ନୋଟିସ୍ ପରେ ମଧ୍ୟ ନିର୍ମାଣ କାମ ଜାରି ରହିଥିବା ବିଏମସି ଅଭିଯୋଗ କରିଛି। ଏହାପରେ ବଙ୍ଗଳାର କିଛି ଅଂଶ ଭାଙ୍ଗିବାକୁ ପଦକ୍ଷେପ ନେଇଥିଲା ମହାନଗର ନିଗମ। ଅନ୍ୟପଟେ, ଏହି ଘଟଣାକୁ ନେଇ ଅଜୟ ଦେବଗନ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଜୟ ଦେବଗନଙ୍କ ପକ୍ଷରୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ରହିଛି ନଜର।