ଢାକା: ବାଂଲାଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କକ୍ସବଜାରରେ ଥିବା ସି-ସାଇଡ ରିସର୍ଟରେ ଶନିବାର ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଉଖିୟା ପୋଲିସ ଷ୍ଟେସନ ମୁଖ୍ୟ ମହମଦ ଅତିକୁର ରହମାନ ମଜୁମଦାର କହିଛନ୍ତି ଯେ ଏହି ଘଟଣା ମେରିନ ଡ୍ରାଇଭରେ ପଟୁଆରଟେକ୍ ବିଚ୍ ରେ ଥିବା ଟୁପଟୁପ ରିସର୍ଟରେ ଘଟିଛି। ସକାଳ ପାଖାପାଖି ସାଢେ ୬ଟା ବେଳେ ଅଚାନକ ରିସର୍ଟରେ ନିଆଁ ଲାଗିଯାଇଥିଲା। ଫାୟାର ସର୍ଭିସ ମୁଖପାତ୍ର ତହ୍ଲାବିନ ଜାସିମ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟେ ବେଳେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଓ ୯ ଜଣ ଆହତ ହୋଇଥିବା ଗଣମାଧ୍ୟମକୁ ସୂଚିତ କରିଛନ୍ତି।

ଏହି ୩ ମହଲା ରିସର୍ଟ ମୁଖ୍ୟତଃ କାଠ ଓ ବାଉଁସରେ ନିର୍ମିତ ହୋଇଥିଲା। ଜ୍ୱଳନଶୀଳ ସାମଗ୍ରୀ କାରଣରୁ ନିଆଁ ତୁରନ୍ତ ବ୍ୟାପିଯାଇଥିଲା ଓ ପୁରାଭବନ ଜଳିବାକୁ ଲାଗିଥିଲା। କକ୍ସ ବଜାର ଫାୟାର ସର୍ଭିସର ଉପସହାୟକ ସୟେଦ ମହମଦ ମର୍ସେଦ ହୁସେନ କହିଛନ୍ତି ଯେ ରିସର୍ଟର ପୁରା ନିର୍ମାଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ କାଳରେ ରିସର୍ଟରେ ପାଖାପାଖି ୩୦ ଜଣ ଅବସ୍ଥାନ କରୁଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୪ରୁ ୫ ଜଣ ଜୀବନ ବଞ୍ଚାଇ ବାହାରକୁ ବାହାରି ପାରିଛନ୍ତି। ଅଗ୍ନିକାଣ୍ଡରେ ଆହତ ୯ ଜଣଙ୍କୁ କକ୍ସ ବଜାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହସ୍ପିଟାଲର ରେସିଡେଣ୍ଟ ମେଡିକାଲ ଅଫିସର ସବୁକ୍ତିଗିନ ମହମୁଦ ସୋହେଲ କହିଛନ୍ତି ଯେ ପୋଡି ହୋଇ ଆହତ ହୋଇଥିବା ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ତେବେ ଉଚ୍ଚରୁ ପଡି ଆହତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। କକ୍ସ ବଜାର ଡେପୁଟି କମିଶନର ଏ.ମନ୍ନାନ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୬ଟି ଶବ ଉଦ୍ଧାର ହୋଇଛି। ଶବ ଚିହ୍ନଟ କରିବା ଲାଗି ପରିବାରକୁ ହସ୍ତାନ୍ତର ପୂର୍ବରୁ ଡିଏନଏ ନମୁନା ନିଆଯିବ। ତେବେ ରିସର୍ଟରେ କେଉଁ କାରଣରୁ ଅଗ୍ନିକାଣ୍ଡ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ହେଲେ ପ୍ରାରମ୍ଭିକ ଆକଳନରୁ ନିଆଁ ରିସର୍ଟ କିଚେନରୁ ବ୍ୟାପିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।