ନୂଆଦିଲ୍ଲୀ ୧୭।୧୦; ରୁଷରୁ ତେଲ ଏବଂ ଗ୍ୟାସ କ୍ରୟ ଉପକୁ ହଟିଲା କଟକଣା । ଭାରତ ସମେତ ୫ଟି ଦେଶ ଉପରେ ରୁଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବନି ବୋଲି ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ରୁଷ ଉପରେ କଠୋର କଟକଣା ଲାଗୁ କରୁଥିବା ଆଇନକୁ ସ୍ଥଗିତ ରଖା ଯାଇଛି । ଟ୍ରମ୍ପ୍ ଏକ ଆଦେଶରେ ସ୍ୱାକ୍ଷର କରି କହିଛନ୍ତି ଯେ ଆମେରିକାର ଜାତୀୟ ସ୍ୱାର୍ଥରେ ଏହି ପଦକ୍ଷେପ ନିଆଯାଇଛି।

ଏହି ଆଇନ ଅନୁଯାୟୀ, ଭାରତ ଏବଂ ଚୀନ୍ ଭଳି ଦେଶମାନେ ରୁଷରୁ ତେଲ ଏବଂ ଗ୍ୟାସ୍ କିଣୁଛନ୍ତି, ସେମାନଙ୍କ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଥାନ୍ତା। ଏହି ପ୍ରତିବନ୍ଧକ ଆଇନର ଲକ୍ଷ୍ୟ ଥିଲା ରୁଷର ଅର୍ଥନୀତିକୁ ପ୍ରଭାବିତ କରିବା । ତେବେ ଟ୍ରମ୍ପ ଅକ୍ଟୋବର ୯ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଡିଜେଲ କ୍ରୟ ଚୁକ୍ତି କରିସାରିବା ପରେ ଏହି ଆଇନକୁ ହଟାଇ ଦିଆଯାଇଛି । ଟ୍ରମ୍ପ ୧୮ ସେପ୍ଟେମ୍ବରରେ ରୁଷ ଉପରେ କଟକଣା ଲଗାଇବା ପାଇଁ ବିଲ୍ ରେ ସ୍ୱାକ୍ଷର କରିଥିଲେ। ୧୬ ସେପ୍ଟେମ୍ବରରେ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏହାକୁ ୨୬୨-୧୫୯ ଭୋଟରେ ଅନୁମୋଦନ କରିଥିଲେ। ରୁଷରୁ ଅଶୋଧିତ ତୈଳ କିଣୁଥିବା ପାଞ୍ଚଟି ଦେଶ ତାଲିକାରେ ରହିଛି ଚୀନ୍, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ।

ଅଗଷ୍ଟ ମାସରେ ଭାରତ ରୁଷରୁ ଦୈନିକ ହାରାହାରି ୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ କିଣିଥିଲା। ତେଣୁ, ରୁଷରୁ କ୍ରୟ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବାର ଆଶଙ୍କା ଭାରତ ପାଇଁ ଚିନ୍ତାର କାରଣ ଥିଲା। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଶୁକ୍ରବାର କହିଥିଲେ ଯେ ଭାରତ ତେଲର ଉପଲବ୍ଧତା ଏବଂ ବିଶ୍ୱର ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ଶକ୍ତି ଆବଶ୍ୟକତା ପୂରଣ କରିବାକୁ ନିଷ୍ପତ୍ତି ନେବ। ଏବେ କଟକଣା ଉଠିବା ଭାରତ ପାଇଁ ଆଶ୍ବସ୍ତି ଆଣିଛି । ଟ୍ରମ୍ପ ପ୍ରଶାସନ କହିଛି ଯେ ଏହି ନିଷ୍ପତ୍ତି ଇନ୍ଧନ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ।