ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଡାଟା ସେଣ୍ଟରଗୁଡ଼ିକରେ ମେମୋରି ଚିପର ବଢୁଥିବା ଚାହିଦା ଏବେ ସମଗ୍ର ଟେକ୍ନୋଲୋଜି ଶିଳ୍ପ ଉପରେ ଚାପ ସୃଷ୍ଟି କରୁଛି। ମେମୋରି ଚିପର ଦର ଦ୍ରୁତ ଗତିରେ ବଢ଼ିବା ନେଇ ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭେମ୍ବୁ ଏକ ରିପୋର୍ଟକୁ ଉଦ୍ଧୃତ କରି ମେମୋରି ଚିପର ଦର ୧୨ ମାସରେ ୫୦୦ ପ୍ରତିଶତ ବଢ଼ିଥିବା କହିଛନ୍ତି। ତାଙ୍କ ଅନୁଯାୟୀ, ମେମୋରି ଏବଂ ଏଆଇ ଟୋକେନର ବଢୁଥିବା ମୂଲ୍ୟ ବ୍ୟବସାୟ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି।

ମେମୋରି ଦରରେ ବଡ଼ ବୃଦ୍ଧି

ଟମ୍ସ ହାର୍ଡୱେରର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ଅଗଷ୍ଟରୁ ୨୦୨୬ ଅଗଷ୍ଟ ମଧ୍ୟରେ କିଛି DDR5 ମେମୋରି କିଟର ହାରାହାରି ଦର ପ୍ରାୟ ୯୦ ଡଲାରରୁ ବଢ଼ି ୪୨୫ ଡଲାରରେ ପହଞ୍ଚିଛି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୮,୬୦୦ ଟଙ୍କାରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଛି। ଅଧିକ କ୍ଷମତା ବିଶିଷ୍ଟ ମେମୋରି କିଟର ଦର ଆହୁରି ଅଧିକ ବଢ଼ିଛି। ୧୨୮GB DDR5-6400 କିଟର ଦର ବର୍ତ୍ତମାନ ୩,୩୯୯ ଡଲାର, ଅର୍ଥାତ୍ ପ୍ରାୟ ୩.୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହାର ସର୍ବନିମ୍ନ ରେକର୍ଡ ଦର ୩୨୯ ଡଲାର ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ।

Also Read- ୨୦୨୭ରେ ଆସୁଛି ଦରବୃଦ୍ଧି ବନ୍ୟା: ମହଙ୍ଗା ମାଡ଼ରେ ଖାଲି ହେବ ପକେଟ, ଏଲନିନୋ ଯୋଗୁ ଠପ୍ ହୋଇଯିବ ବର୍ଷା !

ଶ୍ରୀଧର ଭେମ୍ବୁଙ୍କ ମତରେ, ବର୍ତ୍ତମାନର ମେମୋରି ସଙ୍କଟ କେବଳ ହାର୍ଡୱେର ଶିଳ୍ପରେ ସୀମିତ ରହିବ ନାହିଁ। ଏହା ପ୍ରୋଗ୍ରାମିଂ ଲାଙ୍ଗୁଏଜ ଏବଂ ସଫ୍ଟୱେର ଡିଜାଇନର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିପାରେ। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଏପରି ଭାବରେ ଡିଜାଇନ୍ କରାଯାଇଥିଲା, ଯେପରି ମେମୋରିର ପ୍ରାୟ ‘ମାଗଣା ବୋଲି କୁହାଯାଉଥିଲା। କିନ୍ତୁ ମେମୋରି ଦରରେ ବର୍ତ୍ତମାନର ବୃଦ୍ଧି ସେହି ଧାରଣାକୁ ବଦଳାଇ ଦେଇଛି ବୋଲି ଭେମ୍ବୁ କହିଛନ୍ତି।

ଅଧିକ ମେମୋରି-ଦକ୍ଷ ଭାଷା ଓ କମ୍ପାଇଲର ଆବଶ୍ୟକ

ବେମ୍ବୁଙ୍କ ମତରେ, ଆଗାମୀ ଦିନରେ ଉଚ୍ଚ ମାନର ଏଫିସିଏଣ୍ଚ ଲାଙ୍ଗୁଏଜ୍ ଓ ଅଧିକ ସ୍ମାର୍ଟ କମ୍ପାଇଲର ବିକଶିତ କରିବା ଆବଶ୍ୟକ। ଏଆଇ ସିଷ୍ଟମଗୁଡ଼ିକ ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିବ। ସେ କହିଛନ୍ତି ଯେ କୋଡକ ସୁରକ୍ଷା ଓ ପ୍ରୋଗ୍ରାମିଂରେ ଉତ୍ପାଦକତା ବଢ଼ାଇବା ନାଁରେ ଅତ୍ୟଧିକ ମେମୋରି ବ୍ୟବହାରକୁ ଅଣଦେଖା କରାଯାଇପାରିବ ନାହିଁ। ଭବିଷ୍ୟତରେ କିପରି ପ୍ରୋଗ୍ରାମିଂ ଲାଙ୍ଗୁଏଜରେ କମ୍ ମେମୋରି ବ୍ୟବହାର କରାଯାଇପାରିବ, ସେ ଦିଗରେ ଗବେଷଣା କରିବେ ବୋଲି ଭେମ୍ବୁ ସଙ୍କେତ ଦେଇଛନ୍ତି। ଏନେଇ ସେ କହିଛନ୍ତି “କୋଡର ସୁରକ୍ଷା ଏବଂ କୋଡ୍ ଲେଖିବାରେ ଉତ୍ପାଦକତା ମେମୋରୀ ବ୍ଲୋଟ୍ ର ମୂଲ୍ୟରେ ଆସିପାରିବ ନାହିଁ। ଏହାକୁ ନେଇ ମୋର ଗବେଷଣାର କରିବାର ଅଛି।”

Also Read- ଦାମ୍ ବଢ଼ିଲେବି ଚିନ୍ତା ନାହିଁ, ବର୍ଷେ ଯାଏ ପୁରୁଣା ରେଟ୍ରେ ରିଚାର୍ଜ

ଏଆଇ ଡାଟା ସେଣ୍ଟର ନିର୍ମାଣରେ ବଢୁଛି ନିବେଶ

AIର ଚାହିଦା ବଢ଼ିବା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଡାଟା ସେଣ୍ଟର ନିର୍ମାଣ ପାଇଁ କମ୍ପାନୀଗୁଡ଼ିକ ନିବେଶ ବଢ଼ାଉଛନ୍ତି। ଓପନଏଆଇ ଆମେରିକାର ଓହାଇଓରେ ୧୦ ଗିଗାୱାଟ୍ କ୍ଷମତାର ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ସଫ୍ଟବ୍ୟାଙ୍କର ଏସବି ଏନର୍ଜି ସହିତ ଚୁକ୍ତି କରିଥିବା ଖବର ଆସିଛି। ଏହି ପ୍ରକଳ୍ପକୁ ଏନ୍‌ବିଡିଆ ପକ୍ଷରୁ ମଧ୍ୟ ସପୋର୍ଟ ମିଳିଛି।

ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଡାଟା ସେଣ୍ଟର କ୍ଷେତ୍ରରେ ବଡ଼ ନିବେଶ କରୁଛନ୍ତି। ଏଚସିଏଲ୍ ଟେକ୍ ପ୍ରାୟ ₹୩,୫୦୦ କୋଟି ନିବେଶ କରି ଡାଟା ସେଣ୍ଟର ସ୍ଥାପନ କରିବାକୁ ଯୋଜନା କରିଥିବା ବେଳେ ଚିସିଏସ୍ ପ୍ରାୟ ୭ ବିଲିୟନ୍ ଡଲାର ଖର୍ଚ୍ଚ କରି ୧ ଗିଗାୱାଟ୍ କ୍ଷମତାର ଡାଟା ସେଣ୍ଟର ୟୁନିଟ୍ ସ୍ଥାପନ କରିବାକୁ ଯୋଜନା କରୁଛି। ଏଆଇର ବଢୁଥିବା ଚାହିଦା ଯୋଗୁ ଡାଟା ସେଣ୍ଟର ନିର୍ମାଣ ଦ୍ରୁତ ହେଉଥିବା ବେଳେ ମେମୋରି ଚିପ୍ର ଦର ବୃଦ୍ଧି ଟେକ୍ନୋଲୋଜି କମ୍ପାନୀ ଓ ସଫ୍ଟୱେର ବ୍ୟବସାୟ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।