ଟୋକିଓ ୨୨।୩: ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଷ୍ଟ୍ରେଟ୍ ଅଫ ହୋର୍ମୁଜରେ ବାଣିଜ୍ୟିକ୍ ଜାହାଜଙ୍କ ସୁଗମ ଆବାଗମନ ନିମନ୍ତେ ଇରାନ ଦ୍ୱାରା ବିଛାଯାଇଥିବା ନାଭାଲ ମାଇନ୍ ହଟାଇବାରେ ସହଯୋଗ କରିବାକୁ ଜାପାନ ରବିବାର ଘୋଷଣା କରିଛି। ଜାପାନ ବୈଦେଶିକ ମନ୍ତ୍ରୀ ତୋସିମିତସୁ ମୋତିଗୀଙ୍କ ଅନୁସାରେ ଯଦି କ୍ଷେତ୍ରରେ ସିଜ ଫାୟର ହୁଏ ତେବେ ଜାପନ ତାର ମାଇନସ୍ୱିପର ଜାହାଜ ପଠାଇ ସମୁଦ୍ର ତଳେ ବିଛା ଯାଇଥିବା ମାଇନ ସଫା କରିବାକୁ ବିଚାର କରିପାରେ। ଜାପାନ ଶାନ୍ତିବାଦୀ ସମ୍ବିଧାନର ସୀମାରେ ରହି ସୁରକ୍ଷା ଆଇନ ଅନୁସାରେ ଏହି ପ୍ରସ୍ତାବ ଦେଇଛି।

ମାଇନ ସ୍ୱିପର ଏକ ଏପରି ସ୍ୱତନ୍ତ୍ର ଜାହାଜ ଯାହା ସମୁଦ୍ରର ଏକ ବଡ଼ ଅଞ୍ଚଳରୁ ସମ୍ଭାବିତ ମାଇନସ୍ କୁ ନିଷ୍କ୍ରିୟ କରି ସୁରକ୍ଷିତ ରାସ୍ତା ତିଆରି କରିବାର କାମ କରିଥାଏ। ଜାପାନ ମେରିଟାଇମ ସେଲଫ ଡିଫେନ୍ସ ଫୋର୍ସ ଏହି ଟେକ୍ନୋଲଜିରେ ବିଶ୍ୱର ସବୁଠୁ ସକ୍ଷମ ସଙ୍ଗଠନ। ଯେଉଁଥିରେ ଆୱାଜୀ କ୍ଲାସ ଭଳି ଅତ୍ୟାଧୁନିକ ଜାହାଜ ମଧ୍ୟ ରହିଛି। ସମୁଦ୍ର ତଳେ ମାଇନସ୍ ହଟାଇବା ପାଇଁ ଦୁଇ ପ୍ରକାରର ଜାହାଜ ଉପଯୋଗରେ ଆସିଥାନ୍ତି, ଯେଉଁମାନଙ୍କର କାର୍ଯ୍ୟଶୈଳୀ ଅଲଗା ପ୍ରକାରର। ମାଇନ ହଣ୍ଟର ଜାହାଜର କାମ ହେଉଛି ବିଶେଷ ପ୍ରକାରର ମାଇନକୁ ସମୁଦ୍ର ତଳେ ଖୋଜି ନଷ୍ଟ କରିବା। ଏଥି ପାଇଁ ସୋନାର ଓ ବୁଡାଳୀଙ୍କ ସହାୟତା ନିଆଯାଏ। ଏହା ଛଡା ମାଇନ ସ୍ୱିପର ଜାହାଜ ସମୁଦ୍ରର ଏକ ନିଶ୍ଚିତ ରୁଟକୁ ମାଇନ ମୁକ୍ତ କରିବାର କାମ କରିଥାଏ। ଏହାର ଉଦ୍ଦେଶ୍ୟ କୌଣସି ଗୋଟିଏ ମାଇନ ଖୋଜିବା ନୁହେଁ ବରଂ ପୁରା ରାସ୍ତାକୁ ସୁରକ୍ଷିତ କରିବା। ଏହାଦ୍ୱାରା କାର୍ଗୋ ଓ ଯୁଦ୍ଧପୋତ କୌଣସି ବିପଦ ବିନା ସୁରକ୍ଷିତ ଯାତ୍ରା କରିପାରିବେ।

ଜାପାନର ମାଇନସ୍ୱିପିଂ ଇତିହାସ ବେଶ ପୁରୁଣା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଏହା ପରେ ବିକଶିତ ହୋଇଛି। ଯୁଦ୍ଧ ପରେ ଜାପାନ ଆଗରେ ନିଜ ସମୁଦ୍ର ସୀମାରେ ବିଛା ଯାଇଥିବା ମାଇନସ୍ ସଫା କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ଏଣୁ ଆମେରିକା ସହ ମିଶି ଜାପାନ ୫ ବର୍ଷରୁ ଅଧିକ ସମୟ ଲାଗି ସମୁଦ୍ର ସଫା କରିଥିଲା। ଏହା ଦ୍ୱାରା ବାଣିଜ୍ୟ ବ୍ୟବସାୟ ଓ ମାଛ ଧରା କାମ ପୁଣି ସ୍ୱଭାବିକ ହୋଇପାରିଥିଲା। ୧୯୫୪ ମସିହାରେ ସ୍ଥାପିତ ମେରିନ ସେଲଫ ଡିଫେନ୍ସ ଫୋର୍ସ ଆଜି ଏହି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଙ୍ଗଠନ ହୋଇ ରହିଛି। ଏହା ପୂର୍ବରୁ ମଧ୍ୟ ଜାପାନ ପାରସ୍ୟ ଉପସାଗରରେ ଯୁଦ୍ଧକାଳରେ ବିଛାଯାଇଥିବା ମାଇନସ୍ କୁ ସଫଳତା ପୂର୍ବକ ହଟାଇଥିଲା।

ଜାପାନ ନିକଟରେ ଏବେ ଆୱାଜୀ କ୍ଲାସ୍ ଅତ୍ୟାଧୁନିକ ମାଇନସ୍ୱିପର ଜାହାଜ ରହିଛି। ଏହି ଜାହାଜ ଫାଇବର ରିଇନଫୋର୍ସଡ ପ୍ଲାଷ୍ଟିକ (ଏଫଆରପି)ରେ ତିଆରି। ଏଣୁ ଜାହାଜ ଉପରେ ମାଇନସ୍ ର ଚୁମ୍ବକୀୟ ପ୍ରଭାବ ପଡି ନଥାଏ। ଏହି ଜାହାଜ ମାନବ ରହିତ ଅଣ୍ଡର ୱାଟର ବାହନ (ୟୁୟୁଭି) ଓ ଉନ୍ନତ ସୋନାର ସିଷ୍ଟମର ଉପଯୋଗ କରି ପାଣିତଳେ ଥିବା ମାଇନକୁ ଚିହ୍ନଟ କରି ମାଇନ ନ୍ୟୁଟ୍ରଲାଇଜିଂ ସିଷ୍ଟମରେ ନିଷ୍କ୍ରିୟ କରିଥାଏ। ଏହା ଛଡା ଜାପାନର ‘ସୁଗାକ୍ଷିମା’ କ୍ଲାସ ଜାହାଜ ମଧ୍ୟ ଅଛି। ଏହା ପାରମ୍ପରିକ ମାଇନ ହଟାଇବାରେ ସକ୍ଷମ।