ତେହେରାନ ୨୨।୩: ଇରାନ ସରକାରୀ ଗଣମାଧ୍ୟମ ପ୍ରେସ ଟିଭି ରବିବାର ଏକ ବୟାନରେ ଦେଶର ଦକ୍ଷିଣ ଉପକୂଳରେ ଶତ୍ରୁର ଯୁଦ୍ଧ ବିମାନକୁ ଖସାଇ ଦେଇଥିବାର ବଡ଼ ଦାବି କରିଛି। ରିପୋର୍ଟ ଅନୁସାରେ ଏହା ଏକ ଏଫ-୧୫ ଯୁଦ୍ଧ ବିମାନ, ଯାହାକୁ ଇରାନ ଏୟାରଡିଫେନ୍ସ ସିଷ୍ଟମ ଇଣ୍ଟରସେପ୍ଟ କରି ଖସାଇଛି। ଆମେରିକା ଓ ଇରାନ ମଧ୍ୟରେ ଜାରି ଯୁଦ୍ଧରେ ଏବେ ଆମେରିକା ସେନାକୁ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ରିପୋର୍ଟ ଅନୁସାରେ ଆମେରିକା ଏ ପର୍ଯ୍ୟନ୍ତ ଯୁଦ୍ଧରେ ୧୭ଟି ବାୟୁ ଯାନ ହରାଇଛି। ଏଥିରେ ୧୨ଟି ଡ୍ରୋନ ଥିବା ବେଳେ ୪ଟି ମାନବ ଚାଳିତ ଯୁଦ୍ଧ ବିମାନ ରହିଛି।

ଏହା ଛଡା ଇରାନ ଏକ ଆମେରିକୀୟ ଏଫ-୩୫ ଯୁଦ୍ଧ ବିମାନକୁ ଜଖମ ମଧ୍ୟ କରିଛି। ଏହା ପୂର୍ବରୁ ଯେତେବେଳେ ଭାରତ ‘ଅପରେସନ ସିନ୍ଦୂର’ ଏଫ-୧୬ ବିମାନ ଖସାଇଥିବାର ଦାବି କରିଥିଲା ସେତେବେଳେ ଆମେରିକା ଏହାକୁ ଖାରଜ କରିଦେଇଥିଲା। ହେଲେ ଏବେ ପରିସ୍ଥିତି ବଦଳି ଯାଇଛି ଓ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଦେଶକୁ ବଡ଼ ସାମରିକ କ୍ଷତି ସହିବାକୁ ପଡୁଛି।

ଧ୍ୱଂସ ହୋଇଛି କେଉଁ ସବୁ ଏୟାରକ୍ରାଫ୍ଟ?
ଇରାନ ସହ ଯୁଦ୍ଧରେ ସବୁଠୁ ଅଧିକ କ୍ଷତି ଡ୍ରୋନ ସେକ୍ଟରରେ ହୋଇଛି। ଇରାନ ଆମେରିକାର ୧୨ଟି ଏମକ୍ୟୁ-ନାଇନ୍ ରିପର ଡ୍ରୋନ ଖସାଇଛି। ଏହା ଆମେରିକାର ଏକ ଅତ୍ୟାଧୁନିକ ଡ୍ରୋନ ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଓ ସଠିକ ଆକ୍ରମଣ ପାଇଁ ଉପଯୋଗ କରାଯାଏ। ଏଥିରେ ହେଲଫାୟାର ମିଜାଇଲ ଲାଗିଥାଏ ଓ ଏହା ପାଖାପାଖି ୨୭ ଘଣ୍ଟା ଧରି ଆକାଶରେ ଉଡିପାରେ। ଆମେରିକା ଏହି ଡ୍ରୋନଗୁଡିକୁ ଇରାନର ସାମରିକ ଘାଟି ଓ ରିଭଲ୍ୟୁସନାରୀ ଗାର୍ଡ କ୍ୟାମ୍ପଗୁଡିକୁ ଟାର୍ଗେଟ କରିବାକୁ ପଠାଇଥିଲା। ତେବେ ଇରାନର ଏୟାରଡିଫେନ୍ସ ସିଷ୍ଟମ ଓ ମିଜାଇଲ ସିଷ୍ଟମ ଏଗୁଡିକୁ ରାସ୍ତାରେ ନଷ୍ଟ କରିଦେଇଛି। ଗୋଟିଏ ଗୋଟିଏ ରିପର ଡ୍ରୋନର ମୂଲ୍ୟ ପାଖାପାଖି ୨୫୦ କୋଟି ଟଙ୍କା ବୋଲି କୁହାଯାଉଛି।

ଦୁର୍ଘଟଣାରେ ଧ୍ୱଂସ ହୋଇଛି କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର
ଆମେରିକାର ଏଫ-୧୫ ଯଦିଓ ପୁରୁଣା ପ୍ଲାଟଫର୍ମ, ହେଲେବି ଆଜି ମଧ୍ୟ ଏହାକୁ ସେତିକି ଶକ୍ତିଶାଳୀ ମନେ କରାଯାଉଛି ଯେତିକି ୭୦ ଦଶକରେ ମନେ କରାଯାଉଥିଲା। ଏହା ଏୟାର-ଟୁ-ଏୟାର ଓ ଏୟାର-ଟୁ-ଗ୍ରାଉଣ୍ଡ ଆକ୍ରମଣ ପାଇଁ ଶକ୍ତିଶାଳି ମନେ କରାଯାଉଛି। ଆମେରିକାର ଧ୍ୱଂସ ହୋଇଥିବା ଚତୁର୍ଥ ବିମାନ ଏକ କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ଥିଲା। ଏହା ଇରାକ ଉପରେ ଏକ ରିଫ୍ୟୁଲିଂ ମିସନ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ସମସ୍ତ ୬ ଜଣ ଚାଳକଦଳ ସଦସ୍ୟ ପ୍ରାଣ ହରାଇଥିଲେ। କେସି-୧୩୫ ଟ୍ୟାଙ୍କର ବିମାନ ଦୀର୍ଘ ମିସନ ଲାଗି ଅତ୍ୟନ୍ତ ଜରୁରି। କାରଣ ଏହା ବିନା ଏଫ-୧୫ ଓ ଏଫ-୩୫ ଯୁଦ୍ଧ ବିମାନ ଅଧିକ ସମୟ ଧରି ଆକାଶରେ ରହି ପାରିବେନି।

Also Read..
​​​​​​​ଆରବ ସାଗରରେ ବ୍ରିଟେନର ପରମାଣୁ ବୁଡ଼ାଜାହାଜ, ଯୁଦ୍ଧ ବଢ଼ିଲେ ଇରାନ ଉପରେ ହୋଇପାରେ ମିସାଇଲ୍ ଆକ୍ରମଣ