SRH vs DC IPL 2026: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ପରେ ଇଶାନ ମାଲିଙ୍ଗାଙ୍କ ଶାଣିତ ବୋଲିଂ। ଆଇପିଏଲ୍ ୨୦୨୬ର ୩୧ତମ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୪୭ ରନରେ ହରାଇଛି। ବିଜୟ ସହ ହାଇଦ୍ରାବାଦ ଅଙ୍କ ତାଲିକାର ତୃତୀୟକୁ ଉଠିଛି। ଦିଲ୍ଲୀକୁ ଷଷ୍ଠ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ୧୩୫ ରନ ବଳରେ ୨ ଓ୍ଵିକେଟ୍ ହରାଇ ୨୪୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦିଲ୍ଲୀ ୧୯୫ ରନ କରି ପାରିଛି। ଦଳ ପକ୍ଷରୁ ନୀତିଶ ରାଣା ସର୍ବାଧିକ ୫୭ ରନ କରିଥିଲେ। ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ୩୨ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିଲେ। ହର୍ଷ ଦୁବେ ୧୨ ରନରେ ୩ ଓ୍ଵିକେଟ୍ ନେଇଥିଲେ।

୨୪୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ଦିଲ୍ଲୀକୁ ୨୧ ରନରେ ପ୍ରଥମ ଝଟକା ଲାଗିଥିଲା। ପଥୁମ ନିଶଙ୍କା ୮ ରନ କରି ଆଉଟ୍ ହୋଇଥିଲେ। ୧୦୭ ରନ ସ୍କୋରରେ ଦିଲ୍ଲୀକୁ ଲଗାତାର ୩ ଝଟକା ଲାଗିଥିଲା। କେଏଲ ରାହୁଲ ୨୩ ବଲରୁ ୩୭ ରନ କରିଥିଲେ ହେଁ ଆବଶ୍ୟକ ଗତିରେ ରନ ସଂଗ୍ରହ କାରି ପାରି ନ ଥିଲେ। ପୁଣି ନୀତିଶ ରାଣା ୩୦ ବଲରୁ ୫୭ ରନର ଇନିଂସ ଖେଳିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଡେଭିଡ ମିଲର ନିଜର ପ୍ରଥମ ବଲରେ ଆଉଟ୍ ହେବା ଦିଲ୍ଲୀକୁ ସବୁଠୁ ବଡ଼ ଝଟକା ଲାଗିଥିଲା।

ଟ୍ରିଷ୍ଟନ ଷ୍ଟବ୍ସ ୨୭ ରନ ଓ ଆଶୁତୋଷ ଶର୍ମା ୧୪ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଓଭରରେ ସମୀର ରିଜଭି ୪୧ ରନ କରିଥିଲେ। ଦିଲ୍ଲୀ ଶେଷ ଓଭରରେ ୩ ଓ୍ଵିକେଟ୍ ହରାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୯୫ ରନ କରି ପାରିଛି। ଆଉ ହାଇଦ୍ରାବାଦ ମ୍ୟାଚକୁ ୪୭ ରନରେ ଜିତି ନେଇଛି। ବୋଲିଂରେ ଇଶାନ ମାଲିଙ୍ଗା ୪ ଓଭରରେ ୩୨ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ହର୍ଷ ଦୁବେ ୧୨ ରନରେ ୩ ଓ୍ଵିକେଟ୍ ନେଇଥିଲେ।

SRH ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଅଭିଷେକ ଶର୍ମା ଓ ଟ୍ରେଭିସ ହେଡ୍ ମଜବୁତ ଆରମ୍ଭ ଦେଇଥିଲେ। ଅଭିଷେକ ଶର୍ମା ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଓପନିଂରେ  ୮.୫ ଓଭରରେ ୯୭ ରନ ଯୋଡ଼ିଥିଲେ। ହେଡ୍ ୩୭ ରନ କରି ଆଉଟ୍ ହୋଇଥିଲେ। ଅଭିଷେକ ଅର୍ଦ୍ଧଶତକ ହାସଲ ପରେ ଅଟକି ନ ଥିଲେ। ଅନ୍ୟପଟେ ତାଙ୍କୁ ସହଯୋଗ ଦେଇଥିଲେ ଅଧିନାୟକ ଇଶାନ କିଶନ ଓ ହେନରିକ କ୍ଲାସେନ।

ଇଶାନ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ କ୍ଲାସେନ ଓ ଅଭିଷେକ ଅବିଭାଜିତ ତୃତୀୟ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡ଼ିଥିଲେ। ଅଭିଷେକ ଆଜିର ମ୍ୟାଚରେ କେବଳ ଶତକ ହାସଲ କରି ନ ଥିଲେ, ଏହି ଶତକ ଜରିଆରେ ଅନେକ କିର୍ତ୍ତୀମାନ ରଚିଥିଲେ। ସେ ନିଜର ଆଇପିଏଲ୍ କ୍ୟାରିୟରରେ ଦ୍ଵିତୀୟ ସର୍ବାଧିକ ୧୩୫ ରନ କରିଛନ୍ତି। ୬୮ ବଲର ଏହି ଇନିଂସରେ ୧୦ ଚୌକା ଓ ୧୦ ଛକା ସାମିଲ୍। କ୍ଲାସେନ ୧୩ ବଲରୁ ୩ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। ଶେଷରେ ହାଇଦ୍ରାବାଦ ୨ ଓ୍ଵିକେଟ୍ ହରାଇ ୨୪୨ ରନର ବିଶାଳ ସ୍କୋର କରିଛି।