SRH vs PBKS: ପ୍ରଥମରୁ କ୍ରମାଗତ ୬ଟି ମ୍ୟାଚ୍ ଜିତି ଅଜୟ ରହିଥିବା ପଞ୍ଜାବ କିଙ୍ଗ୍ସ ହ୍ୟାଟ୍ରିକ ପରାଜୟ ଭୋଗିଛି। ଆଇପିଏଲ୍ ୨୦୨୬ର ୪୯ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ନିଜର ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍ସକୁ ସହଜରେ ୩୩ ରନରେ ହରାଇଛି। କୁପର କଲୋନି ୧୦୭ ରନର ଶତକୀୟ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇ ପାରି ନାହାନ୍ତି। ହାଇଦ୍ରାବାଦ ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ପଞ୍ଜାବ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ SRH ଦଳ ପ୍ରଥମେ ବ୍ୟାଟିଂ କରି ୨୩୫ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ପଞ୍ଜାବ କୁପର କନୋଲିଙ୍କ ୧୦୭ ରନ ବଳରେ ୨୦୨ ରନ କରି ପାରିଛି।

୨୩୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବର ଆରମ୍ଭ ନିରାଶଜନକ ଥିଲା। ଟପ୍ ଅର୍ଡରରେ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ବିଫଳ ହୋଇଥିଲେ। ଅଧିନାୟକ ଶ୍ରେୟସ ଆୟର ୫ ରନ କରି ଆଉଟ୍ ହୋଇଥିଲେ। କୁପର କନୋଲି ଦ୍ଵିତୀୟ ଓଭରରୁ ବ୍ୟାଟିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ମାତ୍ର ୫୯ ବଲ୍ରୁ ୧୦୭ ରନ୍ର (୭ ଚୌକା, ୮ ଛକା) ପାଳି ଖେଳିଥିଲେ। ମାର୍କସ ଷ୍ଟୋଇନିସ ୨୮ ରନ୍ ଏବଂ ସୂର୍ଯ୍ୟାଂଶ ଶେଡଗେ ୨୫ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର କନୋଲିଙ୍କୁ ସାଥ୍ ଦେଇପାରିନଥିଲେ।

ହାଇଦ୍ରାବାଦ ଇନିଂସ

ଇଶାନ କିଷାନ ଓ ହେନରିକ୍ କ୍ଲାସେନ୍ ଉଭୟ ବ୍ୟାଟର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ପଞ୍ଜାବର ଖରାପ ଫିଲ୍ଡିଂ ଯୋଗୁଁ ସେମାନଙ୍କୁ ଅନେକ ଜୀବନଦାନ ମିଳିଥିଲା, ଯାହାର ପୂରା ଫାଇଦା ଉଠାଇଥିଲେ ଦୁଇ ବ୍ୟାଟର। ଇଶାନ ୩୨ ବଲରୁ ୫୫ ରନ କରିଥିବା ବେଳେ ହେନରିକ କ୍ଲାସେନ ୪୩ ବଲରୁ ୬୯ କରିଥିଲେ। ଅଭିଷେକ ଶର୍ମା ୧୩ ବଲରୁ ୩୫ ରନ, ଟ୍ରେଭିସ ହେଡ ୧୯ ବଲରୁ ୩୮ ରନ ଏବଂ ନିତିଶ ରେଡ୍ଡୀ ୧୩ ବଲରୁ ୨୯ ରନର ଯୋଗଦାନ ଦେଇଥିଲେ। ଫଳରେ ହାଇଦ୍ରାବାଦ ୨୩୫ ରନର ବିଶାଳ ସ୍କୋର କରି ପାରିଥିଲା।

ପଞ୍ଜାବର କ୍ରମାଗତ ତୃତୀୟ ପରାଜୟ

ସିଜିନ୍ର ପ୍ରଥମ ୭ଟି ମ୍ୟାଚ୍ରେ ଗୋଟିଏ ହେଲେ ବି ହାରିନଥିବା ପଞ୍ଜାବ ଦଳ ଏବେ କ୍ରମାଗତ ୩ଟି ମ୍ୟାଚ୍ ହାରିସାରିଛି। ଏହି ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ (Playoffs) ଦୌଡ଼ରେ ନିଜକୁ ବହୁତ ଆଗରେ ରଖିଛି। ହାଇଦ୍ରାବାଦ ପାଖରେ ଏବେ ୧୪ ପଏଣ୍ଟ ରହିଛି।