ଭୁବନେଶ୍ୱର ୨୮।୧୦ : ଶେଷ ହେଲା ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ବାତ୍ୟା ଅର୍ଣ୍ଣବ ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗକୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍ ପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହେବ। ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ମାଲକାନଗିରି ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତ କିମ୍ବା ଅବପାତର ରୂପ ନେଇପାରେ।

ବାତ୍ୟାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ରହିଛି। ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି।

Also Read:-ବାତ୍ୟା ‘ଅର୍ଣ୍ଣବ’ର କରୁଣ ପରିଣତି! ଅସ୍ତରଙ୍ଗରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

ସେହିପରି କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ଏହା ସହ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ହୋଇଛି। ସେହିପରି କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୧୮୮ ମିଲିମିଟର, ଗଞ୍ଜାମରେ ୧୬୧.୪ ମିଲିମିଟର ଏବଂ ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Watch Video:-