ନୂଆଦିଲ୍ଲୀ: କଥା କହିପାରୁ ନଥିବା ବ୍ୟକ୍ତିଙ୍କ ପାଇଁ ବରଦାନ ଭଳି କାମ କରୁଛି ନ୍ୟୁରାଲିଙ୍କ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଜଣେ ବାକ୍‌-ହୀନ ବା କଥା କହିପାରୁ ନଥିବା ବ୍ୟକ୍ତି ନିଜ ପତ୍ନୀଙ୍କୁ ଆଇ ଲଭ୍‌ ୟୁ ବୋଲି କହିଛନ୍ତି । ପ୍ରକୃତରେ ବ୍ୟକ୍ତିଜଣଙ୍କ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ପାଟିରୁ ଏକ ଧ୍ବନୀ ବାହାର କରିଥିଲେ । ଏନେଇ ତାଙ୍କ ପତ୍ନୀ ପଚାରିବାରୁ, ନ୍ୟୁରାଲିଙ୍କ ଏହାକୁ ଡିକୋଡ୍‌ କରିଥିଲା।  ବ୍ୟକ୍ତିଜଣଙ୍କ ପତ୍ନୀଙ୍କୁ ‘ଆଇ ଲଭ୍‌ ୟୁ’ କହିଥିଲେ ବୋଲି ଜଣାଇଥିଲା ନ୍ୟୁରାଲିଙ୍କ । ଅର୍ଥାତ, କଥା କହିପାରୁନଥିବା ବା ମୂକ ବ୍ୟକ୍ତିଙ୍କ କହିବାର ମାଧ୍ୟମ ପାଲଟିଛି ଏହି ବ୍ରେନ୍‌ ଚିପ୍‌ ନ୍ୟୁରାଲିଙ୍କ ।  

ଏଲନ୍ ମସ୍କଙ୍କ ମାଲିକାନାରେ ଥିବା କମ୍ପାନୀ 'ନ୍ୟୁରାଲିଙ୍କ' ନିଜର ଏକ୍ସ ହ୍ୟାଣ୍ଡେଲରେ ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତର ଭିଡିଓ ସେୟାର କରିଛି। ଏହି ବ୍ୟକ୍ତିଜଣଙ୍କ କମ୍ପାନୀର କ୍ଲିନିକାଲ୍ ଟ୍ରାୟଲରେ ଜଣେ ସ୍ୱେଚ୍ଛାସେବୀ ଭାବରେ ଅଂଶଗ୍ରହଣ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତିଜଣଙ୍କ ପାଖରେ ତାଙ୍କ ପତ୍ନୀ ଛିଡ଼ା ହୋଇଛନ୍ତି। ଯେତେବେଳେ ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟକ୍ତିଙ୍କ ମନର ଭାବନା/ଚିନ୍ତାଧାରାକୁ ସିନ୍ଥେଟିକ୍ ଭଏସ୍‌ (ସୃଷ୍ଟି କରାଯାଇଥିବା ସ୍ୱର) ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଶବ୍ଦରେ ପରିଣତ କରି ବଡ଼ ପାଟିରେ ଶୁଣାଇଲା, ସେତେବେଳେ ତାଙ୍କ ପତ୍ନୀ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।

ଏଲନ୍ ମସ୍କ ନିଜେ ଏହି ଭିଡିଓକୁ ପୁନଃ ସେୟାର କରିବା ସହ ସେହି ତିନୋଟି ଶବ୍ଦକୁ କ୍ୟାପସନ୍ ଭାବେ ଲେଖିଛନ୍ତି। ଏହି ମୁହୂର୍ତ୍ତ କମ୍ପାନୀ ପାଇଁ ଏକ ବଡ଼ ସଫଳତା। ଏହା ପୂର୍ବରୁ ମାର୍ଚ୍ଚ ମାସରେ 'କେନେଥ୍' ନାମକ ଜଣେ ଅଂଶଗ୍ରହଣକାରୀଙ୍କ ସହ ନ୍ୟୁରାଲିଙ୍କ ଏହିପରି ଏକ ସଫଳ ପରୀକ୍ଷଣ କରିଥିଲା। ବ୍ରେନ୍ ଇମ୍ପ୍ଲାଣ୍ଟ (ମସ୍ତିଷ୍କରେ ଚିପ୍ ବସାଇବା) ପ୍ରଯୁକ୍ତିବିଦ୍ୟାର ଏହି ବାସ୍ତବ ପ୍ରୟୋଗ ଏହାର ବୃଦ୍ଧିପାଉଥିବା କ୍ଷମତାକୁ ଦର୍ଶାଉଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି।

Also Read: Human Brain: ମଣିଷ ମସ୍ତିଷ୍କ ଗୋଟିଏ ନୁହେଁ, ଦୁଇଟି ଅଙ୍ଗର ସମାହାର; ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଗବେଷକମାନେ ଦୀର୍ଘ ଦଶନ୍ଧି ଧରି ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (BCI) ଉପରେ କାମ କରିଆସୁଥିଲେ ସୁଦ୍ଧା, ଏହି କ୍ଷେତ୍ରଟି ଏବେ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମାତ୍ର କିଛି ଲୋକଙ୍କ ମସ୍ତିଷ୍କରେ ଏହିପରି ଚିପ୍‌ ଲଗାଯାଇପାରିଛି।

ନ୍ୟୁରାଲିଙ୍କ (Neuralink) କ’ଣ?
ନ୍ୟୁରାଲିଙ୍କ ହେଉଛି ଏଲନ୍ ମସ୍କଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ କମ୍ପାନୀ, ଯାହା ଶରୀରର ପାରାଲିସିସ୍ (ପକ୍ଷାଘାତ), ଦୃଷ୍ଟିହୀନତା, ଶ୍ରବଣହୀନତା ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପୁନର୍ବାର ସାଧାରଣ ଜୀବନଜାପନରେ ସାହାଯ୍ୟ କରିବା ପାଇଁ ତିଆରି କରାଯାଇଛି। ଏହି ବୈଷୟିକ ଜ୍ଞାନକୌଶଳ ମସ୍ତିଷ୍କକୁ ସିଧାସଳଖ ଇଲେକ୍ଟ୍ରୋନିକ୍ ଡିଭାଇସ୍‌ ସହ ଯୋଡ଼ିଥାଏ, ଯାହା ଫଳରେ ଶରୀରର ସ୍ନାୟୁ ପ୍ରଣାଳୀ ଉପରେ ନିର୍ଭର କରିବାକୁ ପଡ଼ିନଥାଏ। ମସ୍ତିଷ୍କରୁ ବାହାରୁଥିବା ଇଲେକ୍ଟ୍ରିକାଲ ସିଗ୍ନାଲଗୁଡ଼ିକୁ ଏହି ଚିପ୍ ପଢ଼ିଥାଏ ଏବଂ ସେଗୁଡ଼ିକୁ କମାଣ୍ଡରେ ପରିଣତ କରି ଯନ୍ତ୍ରପାତି ବା କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିଥାଏ।