ନୂଆଦିଲ୍ଲୀ: ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହେବା ସ୍ୱାଭାବିକ। କେବେ ଛୋଟ କଥାକୁ ନେଇ ଝଗଡ଼ା, ତ କେବେ ଘରକାମ, ଚାକିରି, ପିଲା କିମ୍ବା ପରିବାରକୁ ନେଇ ମନୋମାଳିନ୍ୟ। ତେବେ ଏକ ସୁଖୀ ବିବାହର ଅର୍ଥ କଣ ଆଦୌ ଝଗଡ଼ା ନକରିବା? ଏହି ପ୍ରଶ୍ନର ଉତ୍ତରରେ ଭିନ୍ନ ମତ ରଖିଛନ୍ତି ଲେଖିକା ତଥା ସମାଜସେବୀ ସୁଧା ମୂର୍ତ୍ତି।ଇନଫୋସିସ୍‌ର ସହ-ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ସହ ଇଣ୍ଡିଆ ଟୁଡେ କନକ୍ଲେଭ୍‌ରେ ଯୋଗ ଦେଇଥିବା ସମୟରେ ସୁଧା ମୂର୍ତ୍ତି ଯୁବ ଦମ୍ପତିଙ୍କୁ ବିବାହ ଜୀବନ ନେଇ କିଛି ସରଳ କଥା କହିଥିଲେ।


ସୁଧା ମୂର୍ତ୍ତିଙ୍କ କହିବା ଅନୁସାରେ, ବିବାହିତ ଜୀବନରେ ଝଗଡ଼ା ହେବା ଅସ୍ୱାଭାବିକ ନୁହେଁ। ଦୁଇ ଜଣ ମଣିଷଙ୍କ ଚିନ୍ତାଧାରା ସବୁବେଳେ ସମାନ ହୋଇପାରିବ ନାହିଁ। ତାଙ୍କ ମତରେ, ଯଦି କୌଣସି ଦମ୍ପତି କହନ୍ତି ଯେ ସେମାନଙ୍କ ମଧ୍ୟରେ କେବେ ଝଗଡ଼ା ହୋଇନାହିଁ, ତେବେ ତାହା ଟିକେ ଅସ୍ୱାଭାବିକ ଲାଗିପାରେ। ତେବେ ଝଗଡ଼ା ହେବାଠାରୁ ଅଧିକ ଜରୁରୀ ହେଉଛି ଝଗଡ଼ା ସମୟରେ ଦୁଇ ଜଣ କିପରି ପରିସ୍ଥିତିକୁ ସମ୍ଭାଳୁଛନ୍ତି।

ସୁଧା ମୂର୍ତ୍ତିଙ୍କ ପରାମର୍ଶର ସବୁଠାରୁ ଚର୍ଚ୍ଚିତ ଅଂଶ ହେଉଛି ଦୁଇ ଜଣ ଏକାସାଙ୍ଗରେ ରାଗିବା ଉଚିତ ନୁହେଁ। ସେ ନିଜ ବିବାହ ଜୀବନର ଉଦାହରଣ ଦେଇ କହିଥିଲେ, ଯେତେବେଳେ ନାରାୟଣ ମୂର୍ତ୍ତି ରାଗନ୍ତି, ସେ ସେହି ସମୟରେ ତର୍କ ନକରି ତାଙ୍କୁ କଥା କହିବାକୁ ଦିଅନ୍ତି। ଆଉ ଯେତେବେଳେ ସେ ରାଗନ୍ତି, ନାରାୟଣ ମୂର୍ତ୍ତି ମଧ୍ୟ ସେହିପରି ଶାନ୍ତ ରହନ୍ତି।
ଅର୍ଥାତ୍, ଜଣେ ରାଗିଥିବା ସମୟରେ ଅନ୍ୟ ଜଣ ଶାନ୍ତ ରହିଲେ ଅନେକ ଛୋଟ ଝଗଡ଼ା ବଡ଼ ବିବାଦର ରୂପ ନେବାରୁ ବଞ୍ଚିପାରେ। 

also read - ଗୋଟିଏ ଜାଗାରେ ବସି ଧ୍ୟାନ କରିପାରୁନାହାନ୍ତିକି ? ମାନସିକ ଶାନ୍ତି ପାଇଁ ରହିଛି ଅନେକ ସରଳ ଉପାୟ

ସୁଧା ମୂର୍ତ୍ତି କହିଛନ୍ତି, ବିବାହରେ ନିଜ ସାଥୀଙ୍କୁ ସବୁବେଳେ ବଦଳାଇବାକୁ ଚେଷ୍ଟା କରିବା ଠିକ୍ ନୁହେଁ। ପ୍ରତ୍ୟେକ ମଣିଷଙ୍କର କିଛି ଭଲ ଗୁଣ ଥାଏ, ଆଉ କିଛି ଦୁର୍ବଳତା ମଧ୍ୟ ଥାଏ। ଦୁନିଆରେ  କେହି ବି ପରଫେକ୍ଟ ନୁହନ୍ତି l ତେଣୁ ସ୍ୱାମୀ କିମ୍ବା ସ୍ତ୍ରୀ ସବୁ କ୍ଷେତ୍ରରେ ପରଫେକ୍ଟ ହେବେ ବୋଲି ଆଶା ରଖିବା ଦାମ୍ପତ୍ୟ ଜୀବନରେ ଚାପ ବଢ଼ାଇପାରେ। ପରସ୍ପରର ଭଲ ଗୁଣକୁ ସମ୍ମାନ କରିବା ସହ ଦୁର୍ବଳତାକୁ ବୁଝିବା ମଧ୍ୟ ଜରୁରୀ। 

ଆଜିର ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ଚାକିରି କରୁଛନ୍ତି। ତେଣୁ ଘରକାମ କେବଳ ମହିଳାଙ୍କ ଦାୟିତ୍ୱ ହେବା ଉଚିତ ନୁହେଁ ବୋଲି ସୁଧା ମୂର୍ତ୍ତି କହିଥିଲେ। ତାଙ୍କ ମତରେ, ଯଦି ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଚାକିରି କରୁଛନ୍ତି, ତେବେ ଘରର ଦାୟିତ୍ୱ ମଧ୍ୟ ଦୁଇ ଜଣ ମିଶି ବାଣ୍ଟିନେବା ଦରକାର। ରୋଷେଇ, ପିଲାଙ୍କ ଦେଖାଶୁଣା, ସ୍କୁଲ୍‌ ସମ୍ପର୍କିତ କାମ କିମ୍ବା ଅନ୍ୟ ଘରୋଇ ଦାୟିତ୍ୱ ସବୁ କିଛି ଜଣେ ଲୋକଙ୍କ ଉପରେ ଛାଡ଼ିଦେବା ଠିକ୍ ନୁହେଁ।


ଭାରତୀୟ ପରିବାରରେ ଶୁଣିବାକୁ ମିଳୁଥିବା ଆଉ ଏକ କଥା ଉପରେ ମଧ୍ୟ ସୁଧା ମୂର୍ତ୍ତି ଆଲୋକପାତ କରିଥିଲେ।
କେତେକ ସ୍ୱାମୀ ନିଜ ସ୍ତ୍ରୀଙ୍କ ରୋଷେଇକୁ ମା’ଙ୍କ ରୋଷେଇ ସହ ତୁଳନା କରନ୍ତି। କିନ୍ତୁ ଦୁଇ ଜଣଙ୍କ ଜୀବନ ପରିସ୍ଥିତି ସମାନ ନୁହେଁ। ଜଣେ ମହିଳା ଯଦି ଦିନସାରା ଚାକିରି କରି ଘରକୁ ଫେରୁଛନ୍ତି, ତେବେ ତାଙ୍କଠାରୁ ସବୁ ଘରକାମ ସମାନ ଭାବରେ କରିବାର ଆଶା ରଖିବା ନ୍ୟାୟସଙ୍ଗତ ନୁହେଁ। ଘର ଚଳାଇବା ଏକ ସାମୂହିକ ଦାୟିତ୍ୱ ବୋଲି ସୁଧା ମୂର୍ତ୍ତିଙ୍କ ପରାମର୍ଶରୁ ସ୍ପଷ୍ଟ ହୁଏ।

ସୁଧା ମୂର୍ତ୍ତିଙ୍କ ସନ୍ଦେଶର ମୁଖ୍ୟ କଥା ହେଉଛି ବିବାହିତ ଜୀବନରେ ମତଭେଦ ହେବ, ରାଗ ଆସିବ, କେବେ କେବେ ଦୁଇ ଜଣଙ୍କୁ ଅଲଗା ସମୟ ମଧ୍ୟ ଦରକାର ହୋଇପାରେ। କିନ୍ତୁ ସେହି ସମୟରେ କିଏ ଜିତିଲା ତାହାଠାରୁ ଅଧିକ ଜରୁରୀ ହେଉଛି, ଦୁଇ ଜଣ ପରସ୍ପରକୁ କେତେ ବୁଝୁଛନ୍ତି।  କେତେବେଳେ ଚୁପ୍ ରହିବା, କେତେବେଳେ ଶୁଣିବା, କେତେବେଳେ କଥାକୁ ଛାଡ଼ିଦେବା ଏବଂ କେତେବେଳେ ନିଜ ସାଥୀଙ୍କ ଦାୟିତ୍ୱ ବାଣ୍ଟିନେବା ଏହି ଛୋଟ ଛୋଟ କଥା ହିଁ ଦାମ୍ପତ୍ୟ ଜୀବନକୁ ଅଧିକ ସୁନ୍ଦର କରିପାରେ।