କୋଲକାତା: ନନ୍ଦୀଗ୍ରାମରେ ନିରାଶ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ଼ ଝଟକା। ରେଜିନଗରରୁ ମମତାଙ୍କ ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ପଛ ଘୁଞ୍ଚା ଦେଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏହା ପୂର୍ବରୁ ନନ୍ଦୀଗ୍ରାମରୁ ମମତାଙ୍କ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ସଞ୍ଚିତା ଏହି ପଦକ୍ଷେପ ନେଇଥିଲେ। ସବୁଠୁ ବଡ଼ କଥା ମମତା ବାନାର୍ଜୀ ନନ୍ଦଗ୍ରାମରେ କଂଗ୍ରେସର ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛନ୍ତି ଶୁଭେନ୍ଦୁ ସରକାର।

ନିଜର ନାମାଙ୍କନପତ୍ର ଫେରାଇ ନେବା ସମ୍ପର୍କରେ ସୂଚନା ଦେଇ ରବିଉଲ ଆଲମ ଚୌଧୁରୀ କହିଛନ୍ତି ଯେ, ସେ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବା ପରେ ହିଁ ଏହି ନିଷ୍ପତ୍ତି ନେଇଛନ୍ତି। ଦଳର ନାମ ଓ ଦଳୀୟ ଚିହ୍ନକୁ ନେଇ ଚାଲିଥିବା ଆଇନଗତ ବିବାଦ ଏବଂ କର୍ମୀଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ସେ ନିର୍ବାଚନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି।

Also Read: ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପ୍ରଥମତଃ ଆମକୁ ଏକ ନୂଆ ନିର୍ବାଚନ ଚିହ୍ନରେ ଲଢ଼ିବାକୁ ପଡ଼ୁଛି। ଅନ୍ୟପଟେ ଆମ ଦଳର କର୍ମୀମାନଙ୍କୁ ନିର୍ଯାତିତ କରାଯାଉଛି, ଧମକ ଦିଆଯାଉଛି ଏବଂ ଗିରଫ ମଧ୍ୟ କରାଯାଉଛି। ଏପରି ସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦେବାରେ ଆମେ ଅସମର୍ଥ। ଏଭଳି ପରିବେଶ ମଧ୍ୟରେ କିପରି ନିର୍ବାଚନ ଲଢ଼ାଯାଇପାରିବ? ସେଥିପାଇଁ ମୁଁ ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲି।

ଉଲ୍ଲେଖନୀୟ ଅକ୍ଟୋବର ୬ରେ ନନ୍ଦୀଗ୍ରାମ ଏବଂ ରେଜିନଗର ସିଟରେ ଉପନିର୍ବାଚନ ହେବାକୁ ଯାଉଛି। ନନ୍ଦୀଗ୍ରାମ ଆସନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ବହୁତ ଗୁରୁତ୍ଵ ବହନ କରେ। ଶୁଭେନ୍ଦୁ ନନ୍ଦୀଗ୍ରାମ ଓ ଭବାନୀପୁର ଉଭୟ ସିଟରୁ ନିର୍ବାଚନ ଜିତିବା ପରେ ଭବାନୀପୁଟ ସିଟ୍ ନିଜ ପାଖରେ ରଖିଥିଲେ। ଏହି ଆସନରେ ଏବେ ଉପନିର୍ବାଚନ ହେବାକୁ ଯାଉଛି। ବିଜେପି ରେଜିନଗର ଆସନରୁ ଶାଖା ରାଓଙ୍କୁ ପ୍ରାର୍ଥୀ କରିଛି।