ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍-୧ ର ୨୦୨୨-୨୦୨୬ ବ୍ୟାଚର ବିଏସ୍.ସି ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ଡିଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ ଫ୍ରେମ୍ୱାକ୍ (ଏନଆଇଆରଏଫ୍) ରାଙ୍କିଙ୍ଗ୍ ଅନୁଯାୟୀ ଭାରତର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ । ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିବା କେବଳ ଏକ ଶିକ୍ଷାଗତ ସଫଳତା ନୁହେଁ ବରଂ ଜୀବନର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ । ଏହି ଶିକ୍ଷାନୁଷ୍ଠାନରୁ ହାସଲ କରିଥିବା ଜ୍ଞାନ, ପ୍ରଶିକ୍ଷଣ ଓ ଅଭିଜ୍ଞତାକୁ ଛାତ୍ରଛାତ୍ରୀମାନେ ସମାଜ, ମାନବ ଜାତିର ସେବାରେ ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଆହ୍ୱାନପୂର୍ଣ୍ଣ ବୃତି ଭାବେ ଗ୍ରହଣ କରି କାର୍ଯ୍ୟ କରିବାକୁ ପ୍ରଫେସର ନନ୍ଦ କହିଥିଲେ ।

Also Read: ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ, ରହିଛି ସାମାଜିକ ଓ ପରିବେଶଗତ ଗୁରୁତ୍ୱ

ସେମାନଙ୍କର ବୃତିଗତ ଆଚରଣ, ଦକ୍ଷତା ଓ ସେବା ମାଧମ୍ୟରେ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ପ୍ରତିଫଳିତ ହେବ । ତେଣୁ ଛାତ୍ରଛାତ୍ରୀମାନେ ନିଜ ଡିଗ୍ରୀର ମର୍ଯ୍ୟାଦା ରକ୍ଷା କରି ସଚ୍ଚୋଟତା, ଦାୟିତ୍ୱବୋଧ ଓ ମାନବିକତା ସହ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜ-୧ ର ଡିନ୍ ପ୍ରଫେସର ସସ୍ମିତା ଦାସ, କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଆଡିସ୍ନାଲ୍ ଡିନ୍ ପ୍ରଫେସର ତପତୀ ଶାହା, କଂଟ୍ରୋଲର ଅଫ୍ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ୟୁନିଭର୍ସିଟି ଆଉଟ୍ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନସନ୍ସ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।