ନୂଆଦିଲ୍ଲୀ, ୧୨/୧୦ : ଦକ୍ଷିଣ କୋରିଆର ବଡ଼ ସଫଳତା । ଏବେ ଚିନ୍ତାରେ ଚାଇନା ଏବଂ ଉତ୍ତର କୋରିଆ ଭଳି ଦେଶ । କାରଣ ନିଜ ମାଟିରେ ବିକଶିତ ହୋଇଥିବା ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲର ସଫଳ ପରୀକ୍ଷଣ କରିଛି ଦକ୍ଷିଣ କୋରିଆ । ଏହାର ଘଣ୍ଟା ପ୍ରତି ଗତି ୬୧୭୪ କିମିରୁ ବେଶି ବୋଲି ଜଣା ପଡିଛି । ଏହା ସମୁଦ୍ରରେ ଲକ୍ଷ୍ୟରୁ ସଠିକ ଭେଦ କରିବାରେ ସଫଳ ହୋଇଛି । ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ପରୀକ୍ଷଣରେ ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ୍ ବୁଷ୍ଟରରୁ ଅଲଗା ହେବା ପରେ ନିର୍ଧାରିତ ପଥ ଅତିକ୍ରମ କରିଥିଲା । ଏହା ଆକାଶରୁ ତଳକୁ ଖସି ଲକ୍ଷ୍ୟକୁ ଭେଦ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହା ଉଚ୍ଚ ତାପମାତ୍ରାକୁ ସହ୍ୟ କରିପାରିବ । ଏପରିକି ତାପମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରିପାରିବ ।

Also Read :- ଅଭିଜିତ ଦୀପକେଙ୍କୁ ଧରିବା ପାଇଁ ବିମାନ ଭିତରକୁ କେମିତି ପହଞ୍ଚିଲା ପୋଲିସ ? ଜବାବ ମାଗିଲା ଏୟାର ଇଣ୍ଡିଆ

ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍ ନିଜେ ଏହି ପରୀକ୍ଷଣରେ ଉପସ୍ଥିତ ଥିଲେ । ପୂର୍ବରୁ ୨୦୨୨ ମସିହାରେ ଏପରି ପରୀକ୍ଷଣ ଉତ୍ତର କୋରିଆ ସରିସାରିଛି । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ରହିଛି । ଉତ୍ତର କୋରିଆକୁ ଚେକ୍ ଦେବା ପାଇଁ ଦକ୍ଷିଣ କୋରିଆକୁ ଏପରି ପରୀକ୍ଷଣ ଅତି ଆବଶ୍ୟକ ଥିଲା ।

ଅନ୍ୟ ଦିଗରେ ଗୋଟିଏ ମାସରେ ହିଁ ଦକ୍ଷିଣ କୋରିଆ ଦୁଇଟି ସଫଳ ପରୀକ୍ଷଣ କରିଛି । ଯାହା ପୂର୍ବାପେକ୍ଷା କୋରିଆ ଶକ୍ତି ବୃଦ୍ଧି ନେଇ ସ୍ପଷ୍ଟ ବାର୍ତ୍ତା ଦେଉଛି ।

ସୂଚନାଯୋଗ୍ୟ, ହାଇପରସୋନିକ୍ ଗ୍ଲାଇଡେଡ୍ ମିସାଇଲ୍ ପାରମ୍ପରିକ ବାଲିଷ୍ଟିକ୍ ମିସାଇଲରୁ ଭିନ୍ନ ଅଟେ । କାରଣ ଏହା ଉଡାଣ ବେଳେ ନିଜର ଦିଗ ପରିବର୍ତ୍ତନ କରିପାରିବ । କମ୍ ଉଚ୍ଚତାରେ ମଧ୍ୟ କ୍ଷୀପ୍ର ବେଗରେ ଉଡିପାରିବ । ଏହି ପରୀକ୍ଷଣ ଦେଶର ସୁରକ୍ଷାରେ ନୂଆ ଅଧ୍ୟାୟ ଲେଖିଥିବା ରାଷ୍ଟ୍ରପତି ମ୍ୟୁଙ୍ଗ୍ ପ୍ରକାଶ କରିଛନ୍ତି ।