ନୟାଗଡ଼: ମୃତଦେହ ନେଇ ଯାଉଥିବାବେଳେ ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଣିଗୋଛା ଥାନା ଶାଳଭଙ୍ଗା ଜଙ୍ଗଲରେ ହୋଇଛି ଦୁର୍ଘଟଣା ।

ସୂଚନା ଅନୁସାରେ ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳକୁ ଆମ୍ବୁଲାନ୍ସଟି ଯାଉଥିଲା । ଦେଓଗାଁ ଅଞ୍ଚଳର ଇଶ୍ୱର ସାହୁଙ୍କ ମୃତଦେହକୁ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ଗାଁକୁ ନିଆଯାଉଥିଲା । ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ଇଶ୍ୱରଙ୍କ ପୁଅ ରାଜୁ ଏବଂ ତାଙ୍କ ଦୁଇ ବନ୍ଧୁ ପ୍ରତାପ ବାଗ ଓ ଶୀର୍ଷ ବାଗ ମଧ୍ୟ ଥିଲେ । ସନ୍ଧ୍ୟା ସମୟରେ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଥିବା ଏକ କଲଭର୍ଟରେ ଗାଡ଼ିଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।

ଦୁର୍ଘଟଣା ଖବର ପାଇ ବାଣିଗୋଛା ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ିରୁ ସମସ୍ତଙ୍କୁ ବାହାର କରି ଦଶପଲ୍ଲା ମେଡିକାଲକୁ ପଠାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ପ୍ରତାପ ବାଗ, ଶୀର୍ଷ ବାଗ ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ରାଜୁ ସାହୁଙ୍କ ଅବସ୍ଥା ଗୁରୁତର ରହିଛି ।