ଉଦଳା ୧୮।୬: ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା । ଆଉ ହଠାତ୍ ଅଢେଇ ବର୍ଷ ପରେ ବାପାକୁ ଖୋଜି ଖୋଜି ଆସି ଥାନାରେ ପହଞ୍ଚିଲା ପୁଅ । ଆଉ ପୋଲିସ ଜବତ କରିଥିବା ଅଲଗା ଅଲଗା ଚପଲକୁ ଦେଖି ଅଢେଇ ବର୍ଷ ତଳୁ ମିଳିଥିବା ମୃତଦେହକୁ ନିଜ ବାପାର ମୃତଦେହ ବୋଲି କହିଲା ପୁଅ । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ ।

୨୦୨୩ ମସିହା ନଭେମ୍ବର ୮ ତାରିଖରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲ ଭିତରେ ଥିବା ଏକ କୂଅରୁ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହକୁ କୂଅରୁ ବାହାରକୁ ଆଣିବା ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା । କାହିଁକି ନା ମୃତଦେହର ହାତ ଏବଂ ଗୋଡ଼କୁ ଦୌଡ଼ିରେ ବନ୍ଧାଯାଇଥିବା ବେଳେ ଦୁଇଟି ବୋରା ଭିତରେ ମୃତଦେହକୁ ପୁରାଇ ଦିଆଯାଇଥିଲା । ସେହି ବୋରାରେ ୫ ଗୋଟି ବଡ଼ ପଥର ବାନ୍ଧି କୂଅ ଭିତରକୁ ଫୋପାଡ଼ି ଦିଆଯାଇଥିଲା । ଯାହା କୂଅରୁ ମୃତଦେହ ଉଦ୍ଧାର ହେବା ପରେ ସ୍ପଷ୍ଟ ହୋଇଥିଲା ଯେ ଜଣେ ପୁରୁଷ ଲୋକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଦୁଇଟି ଅଲଗା ଅଲଗା ଚପଲ ମଧ୍ୟ ଜବତ କରିଥିଲା । ସେହି ମୃତଦେହର ପରିଚୟ ଖୋଜି ଖୋଜି ପୋଲିସ ନୟାନ୍ତ ହୋଇଥିବା ବେଳେ ଘଟଣା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ।

Also Read:- ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ୍ ସକାଳୁଆ, ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏଁ ଚାଲିବ

ହେଲେ ଅଚାନକ ଅଢେଇ ବର୍ଷ ପରେ ଉଦଳା ଥାନା ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ ତାଙ୍କ ନିଖୋଜ ବାପାଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସନ୍ଦେହରେ ଉକ୍ତ ଘଟଣାର ଜବତ ଚପଲ ଦେଖାଇଥିଲା । ଯାହା ଦେଖିବା ପରେ ତାହା ତାଙ୍କ ବାପା ଦୁବରାଜ ସିଂଙ୍କର ବୋଲି ଦାବି କରିଥିଲେ ବିଶ୍ଵନାଥ । ଏପରିକି ତାଙ୍କ ବାପାକୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିବେ ବୋଲି ସେ ପୋଲିସ ଆଗରେ କହିଛନ୍ତି । ଯାହା ଜଣାପଡିବା ପରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଉଦଳାରେ ପହଞ୍ଚି ବିଶ୍ୱନାଥଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହିତ ଉକ୍ତ ମୃତଦେହ ତାଙ୍କ ବାପାଙ୍କର କି ନୁହେଁ ତାହାର ଖୋଳତାଡ଼ କରୁଛି ।