ଖୋର୍ଦ୍ଧା ୧୮।୬: ଖୋର୍ଦ୍ଧା ଜିଲ୍ଲା ରେ ସକାଳୁଆ ସ୍କୁଲ୍‌ । ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ନିର୍ଦ୍ଦେଶ ଦିଆଯାଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌ । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଖରା ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଖୋର୍ଦ୍ଧା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଗ୍ରୀଷ୍ମ ଛୁଟି ପରେ ଆଜିଠୁ କିଛି ଜିଲ୍ଲାରେ ସ୍ୱାଭାବିକ ହୋଇଥିଲା ପାଠପଢ଼ା । ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଯଥେଷ୍ଟ ବର୍ଷା ହୋଇନଥିବାରୁ ଦିନବେଳା ତାପମାତ୍ରା ଓ ଆର୍ଦ୍ରତାସ୍ତର ଅଧିକ ରହୁଛି । ଏପରି ପରିସ୍ଥିତିରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସକାଳୁଆ ସ୍କୁଲ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଆଜିଠୁ ୧୦ଟାରୁ ୪ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଥିଲା । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ସକାଳୁଆ କରାଯାଇଛି ।