ନୂଆଦିଲ୍ଲୀ: ୨୨ ଏପ୍ରିଲ ତାରିଖ । ଭାରତ ପାଇଁ କଳାଦିନ । କାଲି ପହଲଗାମ ହମ୍ଲାକୁ ପୁରିଯିବ ବର୍ଷେ । ୨୨ ଏପ୍ରିଲ୍, ୨୦୨୨ କେବଳ ଗୋଟିଏ ତାରିଖ ନୁହେଁ, ବରଂ ସାରା ଦେଶବାସୀଙ୍କ କରୁଣ ଚିତ୍କାର । କାହାର ସିନ୍ଦୂର ଲିଭିଥିଲା ତ ଆଉ କାହାର ଉଜୁଡିଥିଲା କୋଳ । ଏମିତି କ୍ଷତ ଯାହାକୁ ପୂରଣ କରିବା କଷ୍ଟକର । ଲହୁ, ଲୁହରେ ଭାସୁଥିଲା ଭାରତର ବୂସ୍ୱର୍ଗରେ ଥିବା ପହଲଗାମ ଉପତ୍ୟକା ।

କାରଣ ଭାରତୀୟ ନାରୀଙ୍କ ସିନ୍ଦୂରରେ ରକ୍ତର ହୋଲି ଖେଳିଥିଲା ଆତଙ୍କିସ୍ତାନ । ନୀରିହ ଲୋକଙ୍କୁ ଟାର୍ଗେଟ କରି ନେଇଥିଲା ଜୀବନ । ପାଖାପାଖି ୨୬ ଜୀବନ ଯାଇଥିଲା ଏହି ପହଲଗାମ ଆକ୍ରମଣରେ । ତେବେ ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ବରୁ ଚିହିଁକି ଉଠିଛି ଭାରତୀୟ ସେନା । ପାକିସ୍ତାନକୁ ଦେଇଛି କଡ଼ା ମେସେଜ ।

ଭାରତୀୟ ସେନାର ପୋଷ୍ଟ:

ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ । ଭାରତୀୟ ସେନା କହିଛି, "ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ । ନ୍ୟାୟ ମିଳିଛି ସତ କିନ୍ତୁ ଭାରତ ଭୁଲିନି ପ୍ରକୃତ କ୍ଷତ । ଭାରତ ଏକତ୍ରିତ ହୋଇ ଠିଆ ହୋଇଛି । ଏପ୍ରିଲ ୨୨ ତାରିଖ ୨୦୨୫ ମସିହା । ବୈସରନର ସୁନ୍ଦର ଉପତ୍ୟକା ହଠାତ୍ ଚିତ୍କାର ଏବଂ ବାରୁଦ ଧୂଆଁରେ ପରିପୂର୍ଣ୍ଣ ହୋଇଗଲା । କାରଣ ଆତଙ୍କବାଦୀମାନେ ଧର୍ମ ପଚାରି ଜଣଙ୍କ ପରେ ଜଣଙ୍କୁ ଗୁଳି ମାରି କରିଥିଲେ ହତ୍ୟା ।

 

ଏହି ଆକ୍ରମଣର କ୍ଷତ ପୀଡିତଙ୍କ ପରିବାର ପାଇଁ ଏବେ ବି ସତେଜ ରହିଛି । ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଶାନ୍ତ କୁମାର ସତପଥୀଙ୍କ ପତ୍ନୀ ANI ସହିତ କଥାବାର୍ତ୍ତା କରି କହିଛନ୍ତି ଯେ ଗୋଟିଏ ବର୍ଷ ବିତିବା ସତ୍ତ୍ୱେ ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ନ ଥିବା ଗୋଟିଏ ଦିନ ବିତି ନାହିଁ । ସେ ତାଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଯୋଗାଇବାକୁ ସରକାରଙ୍କୁ ନିବେଦନ ମଧ୍ୟ କରିଥିଲେ।

 

'ଅପରେସନ ସିନ୍ଦୂର'ରେ ମିଳିଥିଲା ଜବାବ:

​​​​​​​ପହଲଗାମ ଆକ୍ରମଣରେ ପ୍ରତିଟି ଭାରତୀୟଙ୍କ ମନରେ କ୍ରୋଧ ଏବଂ କୋହ ଥିଲା । କିଏ ସ୍ୱାମୀ ତ କିଏ ବାପା ତ ପୁଣି ଆଉ କିଏ ପୁଅକୁ ହରାଇଥିଲା । ଆଜି ମଧ୍ୟ ସେହି ଦୃଶ୍ୟ ମନେ ପଡ଼ିଲେ ଛତା ଥରିଯାଉଛି । ଆକ୍ରମଣର କିଛି ଦିନ ପରେ, ଭାରତ 'ଅପରେସନ ସିନ୍ଦୂର' କରିଥିଲା। ମେ ୬-୭ ତାରିଖରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା ।