ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଏବେ ବିବାହର ଦୃଷ୍ଟିଭଙ୍ଗୀ ବଦଳିଛି। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ହୋଇଛି ବଡ଼ ପରିବର୍ତ୍ତନ। ଗାଁରେ ଚାଷବାଷ କରୁଥିବା ଯୁବକଙ୍କୁ ବିବାହ କରିବାକୁ ଚାହୁଁ ନାହାନ୍ତି ଗ୍ରାମୀଣ ଯୁବତୀ। ସେମାନଙ୍କର ଏବେ ଦରକାର କଟକଣାଶୂନ୍ୟ ସୁବିଧାଯୁକ୍ତ ସହରୀ ଆବହାୱା।

ଗାଁରେ ଗୁଡ଼ାଏ କଟକଣା, ସାମାଜିକ ନୀତିନିୟମ। ଏତେସବୁ ଭିତରେ ଘାଣ୍ଟି ହେବା ଅପେକ୍ଷା ସହରର ସ୍ୱାଧୀନ ଜୀବନ ଖୁବ୍ ଭଲ ବୋଲି ବିଚାର କରୁଛନ୍ତି ଗାଁ ଯୁବତୀ। ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ଜାନୀ କିଛି ଏଭଳି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଗ୍ରାମୀଣ ଯୁବତୀଙ୍କ ଏହି ଦୃଷ୍ଟିଭଙ୍ଗୀ ପରିବର୍ତ୍ତନର ମୂଳ କାରଣ ହୋଇଛି ସୋସିଆଲ୍ ମିଡିଆ। ସୋସିଆଲ୍ ମିଡିଆରେ ରିଲ୍ସ ମାଧ୍ୟମରେ ଦେଖାଯାଉଥିବା ସହରୀ ସ୍ୱାଧୀନ ଜୀବନ ସେମାନଙ୍କୁ ପ୍ରଭାବିତ କରିଛି। ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ବ୍ୟାପକ ପ୍ରସାର ଯୁବପିଢ଼ିଙ୍କୁ ବିଭିନ୍ନ ପ୍ରକାରର ଜୀବନଶୈଳୀ ସହ ପରିଚିତ କରାଉଛି। ବର୍ତ୍ତମାନ କିଛି ମହିଳା ସହରୀ ଜୀବନ ସହ ଜଡ଼ିତ ସୁଯୋଗ, ସ୍ୱାଧୀନତା ଏବଂ ଜୀବନଶୈଳୀକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଜାନୀ ମତ ଦେଇଛନ୍ତି।



ଜୀବନ ସାଥୀ ଖୋଜିପାଉନି ଚାଷୀ ଯୁବକ

ଜାନୀଙ୍କ କହିବା କଥା ହେଲା ସେ ଯେତେବେଳେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଏକ କୃଷକଙ୍କ ସହ କଥା ହେଲେ, ସେତେବେଳେ ସେ ଏହି ପରିବର୍ତ୍ତନ ବିଷୟରେ ଜାଣିବାକୁ ପାଇଲେ। ଜଣେ ଚାଷୀ ତାଙ୍କୁ କହିଲେ ଯେ ନିକଟସ୍ଥ ଗ୍ରାମଗୁଡ଼ିକର ମହିଳାମାନେ ଗ୍ରାମାଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିବା ପ୍ରତି କମ୍ ଆଗ୍ରହ ଦେଖାଉଛନ୍ତି।

ଏହି ପରିସ୍ଥିତି ଯୋଗୁ କିଛି ଚାଷୀ ପରିବାର ନିଜ ଅଞ୍ଚଳରୁ ବାହାରି ଅନ୍ୟ ଅଞ୍ଚଳରେ କନ୍ୟା ସନ୍ଧାନ କରୁଛନ୍ତି। ପରିବାରଗୁଡ଼ିକ ଉପଯୁକ୍ତ ବିବାହ ପାଇଁ ଦୂର ଦୂରାନ୍ତର କନ୍ୟା ଖୋଜିବାକୁ ବାଧ୍ୟ ହେଉଛନ୍ତି।

ଝିଅଘର ନୁହେଁ ଏବେ ପୁଅଘର ଦେଉଛନ୍ତି ଡିମାଣ୍ଡ
 

କଥା କେବଳ ଦୂରଦୂରାନ୍ତରେ କନିଆ ଖୋଜିବାରେ ସରିନି। କିଛି କିଛି ସ୍ଥାନରେ ବିବାହକୁ ନେଇ ସାମାଜିକ କୁପ୍ରଥାର ଓଲଟା ପ୍ରବାହ ଦେଖିବାକୁ ମିଳିଛି। ମାନେ ପୂର୍ବରୁ ପୁଅଘର ଲୋକେ ଡିମାଣ୍ଡ କରୁଥିଲେ, ହେଲେ ବର୍ତ୍ତମାନ କେତେକ ସ୍ଥାନରେ ପରିବାରକୁ ଭଲ ବୋହୂଟେ ଆଣିବା ପାଇଁ ପୁଅଘର ଲୋକେ ଟଙ୍କା ପଇସା ଯାଚୁଥିବା ଦେଖାଯାଉଛି।

ତେବେ ଏହିସବୁ ପରିବର୍ତ୍ତନକୁ ସେ ସୋସିଆଲ୍ ମିଡିଆର ପ୍ରଭାବ ସହ ଯୋଡ଼ିଛନ୍ତି। ଯେଉଁଥିରେ ସହରୀ ଜୀବନକୁ ଖୁବ୍ ପ୍ରଭାବିତ କରି ଦେଖାଯାଉଛି। ହେଲେ ଜଣେ ଚାଷୀ ଯୁବକ ପାଇଁ ସହର ଯିବା ବି କଷ୍ଟକର। କାରଣ ତା’ର ସବୁଯାକ ଦକ୍ଷତା କ୍ଷେତରେ ସୁନା ଫସଳ ଫଳାଇବାରେ ସୀମିତ ରହିଯାଇଛି। ସହର ପାଇଁ ଯେଉଁ ଦକ୍ଷତା ଦରକାର ତାହା ହାସଲ କରିବା କଷ୍ଟକର ବର୍ତ୍ତମାନ ସମୟରେ କଷ୍ଟକର ହୋଇପଡ଼ିଛି। ତେଣୁ ଗ୍ରାମାଞ୍ଚଳରେ ବିବାହର ଦୃଶ୍ୟପଟ କିଛି ଏମିତି ପରିବର୍ତ୍ତନ ହୋଇଛି ବୋଲି ଜାନୀ ଦାବି କରିଛନ୍ତି।

ଏନେଇ ଲୋକଙ୍କ ମତ କଣ ?

ଜାନୀ ସୋସିଆଲ୍ ମିଡିଆରେ ଏହି ପୋଷ୍ଟ କରିବା ପରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏ ଦିଗରେ ନାନା ଲୋକ ନାନା ମତ ଦେଇଥିଲେ। ଏନେଇ ଜଣେ ୟୁଜର ଲେଖିଥିଲେ ଆଜିର ଯୁବପିଢ଼ି ବିଭିନ୍ନ ଜୀବନଶୈଳୀକୁ ଦେଖିବାର ସୁଯୋଗ ପାଉଛନ୍ତି। ତେଣୁ ଅଧିକ ବିକଳ୍ପ ରହିଲେ ସେମାନେ ଚୟନମୁଖର ହୋଇପଡ଼ୁଛନ୍ତି। ତେଣୁ ଗ୍ରାମାଞ୍ଚଳର ବିବାହ ପ୍ରଥାଗୁଡ଼ିକରେ ପରିବର୍ତ୍ତନ ପରିଲଖିତ ହେଉଛି।

Also Read- ଭାରତର ଭବିଷ୍ୟତ ଭଲ: ଜିଡିପି ଅଭିବୃଦ୍ଧି ହାର ବଢ଼ାଇଲା ବିଶ୍ୱ ବ୍ୟାଙ୍କ, ଅର୍ଥବ୍ୟବସ୍ତା ମଜଭୁତ ହେବାର ମୁଖ୍ୟ କାରଣ ହେଲା…

ସେହିପରି ଅନ୍ୟ ଜଣେ ୟୁଜର ଗ୍ରାମୀଣ ଭାରତରେ "କିଣା କନ୍ୟା" (bride price) ପ୍ରଥାର ପୁନଃ ଆରମ୍ଭ ହୋଇପାରେ ବୋଲି କହିଛନ୍ତି। ସେ ଯୁକ୍ତି କରିଛନ୍ତି ଯେ ଆର୍ଥିକ ଓ ସାମାଜିକ ପରିବର୍ତ୍ତନଗୁଡ଼ିକ ବିବାହ ସମ୍ବନ୍ଧୀୟ ପୁରୁଣା ପ୍ରଥାଗୁଡ଼ିକୁ ବଦଳାଇପାରେ।

ପୂର୍ବ ସମୟରେ ମଧ୍ୟ ଏଭଳି କିଣା କନ୍ୟା ବ୍ୟବସ୍ଥା ଚାଲୁଥିଲା। ଲୋକେ ଆଖପାଖ ଗାଁରୁ କିମ୍ବା ପଡୋଶୀ ରାଜ୍ୟରୁ କନ୍ୟା କିଣି ବିବାହ କରୁଥିଲେ। ବର୍ତ୍ତମାନର ପରିସ୍ଥିତି କିଛି ଏଭଳି ସଂକେତ ଦେଉଛି ବୋଲି ୟୁଜର ଜଣଙ୍କ କହିବାକୁ ଚାହିଁଛନ୍ତି।

ସେହିପରି ଅନ୍ୟ ଜଣେ ୟୁଜର ବର୍ତ୍ତମାନର ପରିବର୍ତ୍ତନକୁ ସ୍ୱାଭାବିକ ବୋଲି କହିଛନ୍ତି। କାରଣ ସାଧାରଣତଃ ଲୋକେ ଭଲ ସୁବିଧା ସୁଯୋଗ ସ୍ୱାଧୀନତା ଖୋଜନ୍ତି। ମତାମତ ଦେଇଥିବା ବ୍ୟକ୍ତିଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନେ କ୍ରମାଗତ ଭାବେ ଏପରି ଜୀବନଶୈଳୀ ବାଛିବାକୁ ପସନ୍ଦ କରୁଛନ୍ତି ଯାହା ସେମାନଙ୍କୁ ପୂର୍ବ ପିଢ଼ି ତୁଳନାରେ ଅଧିକ ସ୍ୱାଧୀନତା ଓ ନିୟନ୍ତ୍ରଣ ପ୍ରଦାନ କରେ।

ବିଦ୍ର- ଏହି ଲେଖାଟି ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିବା ବିଚାର ଓ ଏହା ଉପରେ ଲୋକଙ୍କ ମତାମତା ଉପରେ ଆଧାରିତ। ନ୍ୟୁଜ-୭ ଏହି ଦାବିକୁ ଯାଞ୍ଚ କରି ନାହିଁ।