ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାରେ ୨୦୨୬-୨୭ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଶନିବାର ଆୟୋଜିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ହ୍ୱାଇଟ୍ କୋଟ ଉତ୍ସବରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତ୍ତିକ ଚିକିତ୍ସା କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

ଏଥିରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଉତ୍କର୍ଷତାର କେନ୍ଦ୍ର ଭାବେ ଉଭା ହୋଇଛି । ଶ୍ରୀମତି ଦାସ ଆହୁରି ମଧ୍ୟ କହିଥିଲେ ଯେ ଯେଉଁମାନେ ଡାକ୍ତରଙ୍କ ଠାରୁ ଯତ୍ନ ଓ ସେବାର ଆକାଂକ୍ଷା ରଖିଥାନ୍ତି ସେମାନଙ୍କ ପ୍ରତି ଏହି ହ୍ୱାଇଟ କୋଟ ଉପଯୁକ୍ତ ଦାୟିତ୍ୱ, ଉଚିତ ଆଚରଣ ଏବଂ ସମ୍ମାନ ପ୍ରଦର୍ଶନ କରିବାର ନିଦର୍ଶନ ।

ଚିକିତ୍ସା କ୍ଷେତ୍ରରେ ବୈଷୟିକ ଜ୍ଞାନ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ସହିତ ସମବେଦନା ଓ ମାନବିକତାର ମଧ୍ୟ ଆବଶ୍ୟକତା ରହିଛି । ଜଣେ ଡାକ୍ତରଙ୍କ ପାଇଁ ରୋଗୀଙ୍କ କଥା ଧୈର୍ଯ୍ୟର ସହ ଶୁଣିବା, ସ୍ପଷ୍ଟ ଭାବେ ନିଜର ମତ ପ୍ରକାଶ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଓ ସମ୍ମାନର ସହ ଚିକିତ୍ସା କରିବା ସେତିକି ଗୁରୁତ୍ୱପୂର୍ଣ୍ଣ, ଯେତିକି ସଠିକ୍ ରୋଗ ନିରୂପଣ ପାଇଁ ଜରୁରୀ ।

ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସ୍ୱାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍ ବୋଲି ଶ୍ରୀମତି ଦାସ କହିବା ସହ ଏହି ହ୍ୱାଇଟ କୋଟ୍ ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା । ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ (ଏନଆଇଆରଏଫ୍) ରାଙ୍କିଙ୍ଗ୍ସ ୨୦୨୫ରେ ସୋଆ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ମଧ୍ୟ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି । ଏଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ପୋଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ପୂର୍ବତନ ଉପକୁଳପତି ତଥା ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୂର୍ବତନ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତରୀ ବୃତିକୁ କେବଳ ଏକ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖି ଏହା ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ ।

ବିଭିନ୍ନ ଶିକ୍ଷଣୀୟ ଗଳ୍ପ ଓ ଶ୍ରୀମଦ୍ ଭଗବତଗୀତାରୁ ଶ୍ଲୋକ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାର ମହତ୍ୱ ବିଷୟରେ ବୁଝାଇବା ସହିତ ଏହି ବୃତିଗତ ଶିକ୍ଷାରେ ନିଜକୁ ସୁଦକ୍ଷ କରାଇବା ସହିତ ନିଜର ଲକ୍ଷ୍ୟ ସ୍ଥିର କରିବା, ସମୟର ସଦୁପଯୋଗ କରିବା ଏବଂ ଶିକ୍ଷା ସହିତ ଦୈନିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ କେବଳ ଏକ ଡିଗ୍ରୀଧାରୀ ହେବା ପାଇଁ ନୁହେଁ ବରଂ ଜଣେ ଦକ୍ଷ, ସମ୍ବେଦନଶୀଳ ଓ ଦାୟିତ୍ୱବାନ ସେବା ପ୍ରଦାନକାରୀ ଭାବେ ନିଜକୁ ଗଢି ତୋଳିବା ଆବଶ୍ୟକ । ସମାଜର ଉଚ୍ଚ ଓ ଅବହେଳିତ ବର୍ଗର ଲୋକଙ୍କ ପ୍ରତି ସମାନ ଦୃଷ୍ଟିଭଙ୍ଗୀ ରଖିବା ସହ ସେବା ମନୋଭାବକୁ ନିଜ ଜୀବନର ମୂଳମନ୍ତ୍ର କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ କଣ୍ଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ଜଣେ ଭଲ ଡାକ୍ତର ହେବା ସହିତ ଜଣେ ଉତ୍ତମ ମଣିଷ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଜଣେ ଡାକ୍ତରଙ୍କ ଉପରେ ସମାଜ ମଣିଷର ସବୁଠାରୁ ମୂଲ୍ୟବାନ ସଂପଦ ଜୀବନର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରିଥାଏ । ତେଣୁ ଛାତ୍ରଛାତ୍ରୀମାନେ ଜ୍ଞାନ, ଶୃଙ୍ଖଳା, ସେବା ଓ ମାନବିକତାକୁ ନିଜ ଜୀବନର ମୂଳମନ୍ତ୍ର କରିବା ଆବଶ୍ୟକ ବୋଲି ପ୍ରଫେସର ଦାସ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ସମୟର ସଠିକ୍ ଉପଯୋଗ ହିଁ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ବୋଲି କହିଥିଲେ । ବିଶେଷକରି ଚିକିତ୍ସା ବିଜ୍ଞାନର ଛାତ୍ରଛାତ୍ରୀମାନେ ନିଜ ଜୀବନର ଏକ ସ୍ପଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହ ଭବିଷ୍ୟତରେ ରୋଗୀଙ୍କ ମନରେ ବିଶ୍ୱାସ ଓ ଭରସା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିିଥିଲେ ।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ସ୍ନିଗ୍ଧାପ୍ରଭା ମିଶ୍ର କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମହର୍ଷି ଚରକଙ୍କ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍-୨ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।