ମୁମ୍ବାଇ: ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ଅମ୍ବୋଲି ଜଳପ୍ରପାତ'ରୁ ଏକ ଛାତି ଥରାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଓ୍ବାଟରଫଲର ମଜା ନେଉଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ହଠାତ୍ ଏକ ଜୀବନ୍ତ ସାପ ଖସିପଡ଼ିଥିଲା। ସବୁଠାରୁ ଭୟଙ୍କର କଥା ହେଉଛି, ସେହି ସମୟରେ ବ୍ୟକ୍ତିଜଣକ ଜଣେ ଶିଶୁକୁ ଧରିଥିଲେ। ଏହି ପୂରା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ସିନ୍ଧୁଦୁର୍ଗ ଜିଲ୍ଲାରେ ଅବସ୍ଥିତ ଅମ୍ବୋଲି ଜଳପ୍ରପାତ ବର୍ଷା ଦିନେ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ଘଟଣାଦିନ ଅନେକ ପର୍ଯ୍ୟଟକ ଝରଣା ପାଣି ତଳେ ଛିଡ଼ା ହୋଇ ସ୍ନାନ କରୁଥିଲେ ଏବଂ ମଜା ନେଉଥିଲେ। ହଠାତ୍ ଆସିଲା ବିପଦ । ଜଣେ ବ୍ୟକ୍ତି ଛୋଟ ପିଲାଟିକୁ ଧରି ପାଣି ନିକଟରେ ଛିଡ଼ା ହୋଇଥିଲେ। ସେହି ସମୟରେ ପାହାଡ଼ ଉପରୁ ପାଣି ସ୍ରୋତ ସହ ଏକ ସାପ ଖସିଆସି ସିଧାସଳଖ ସେହି ବ୍ୟକ୍ତିଙ୍କ କାନ୍ଧ ଓ ପିଠି ଉପରେ ପଡ଼ିଥିଲା।

ସାପଟି ପଡ଼ିବା ମାତ୍ରେ ବ୍ୟକ୍ତିଜଣକ ଆତଙ୍କିତ ନହୋଇ ଅତ୍ୟନ୍ତ ସାହସିକତାର ସହ ଶିଶୁଟିକୁ ସୁରକ୍ଷିତ ଧରି ରଖିଥିଲେ ଏବଂ ସାପଟିକୁ ନିଜ ଦେହରୁ ତଳକୁ ଫିଙ୍ଗି ଦେଇଥିଲେ।  ଘଟଣା ସମୟରେ ପାଖରେ ଥିବା ଅନ୍ୟ ପର୍ଯ୍ୟଟକମାନେ ଭୟରେ ଚିତ୍କାର କରିବାକୁ ଲାଗିଥିଲେ, କିନ୍ତୁ ସୌଭାଗ୍ୟବଶତଃ ସାପଟି କାହାକୁ କାମୁଡ଼ି ନଥିଲା ଏବଂ ପାଣି ସ୍ରୋତରେ ଭାସି ଯାଇଥିଲା।

ପାଖରେ ଥିବା ଜଣେ ପର୍ଯ୍ୟଟକ ନିଜ ମୋବାଇଲରେ ଜଳପ୍ରପାତର ଭିଡିଓ ସୁଟିଂ କରୁଥିବା ବେଳେ ଏହି ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଥିଲା। ସୋସିଆଲ୍ ମିଡିଆରେ ଭିଡିଓଟି ଅପଲୋଡ୍ ହେବା ପରେ ନେଟିଜେନ୍ସମାନେ ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ଏବଂ ଧୈର୍ଯ୍ୟକୁ ପ୍ରଶଂସା କରୁଛନ୍ତି।