ମୁମ୍ବାଇ : ଭାରତୀୟ ସିନେମା ଜଗତରେ ଆଉ ଶୁଭୁନି ସେହି ଦମଦାର ସ୍ୱର। ନିଜର ନିଆରା ଅଭିନୟ, ଦମଦାର ଡାଏଲଗ ଏବଂ ଚରିତ୍ରକୁ ଜୀବନ୍ତ କରିବାର ଅସାଧାରଣ କଳା ପାଇଁ ପରିଚିତ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଅକ୍ଟୋବର ୮ ତାରିଖରେ ଗୋଆରେ ତାଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଭାଙ୍ଗିପଡିଛି ପୁରା ବଲିଉଡ ଇଣ୍ଡଷ୍ଟ୍ରି । ତାଙ୍କ ବିୟୋଗ ପରେ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା । କିନ୍ତୁ ନାନା ପାଟେକରଙ୍କ ଜୀବନ କେବଳ ଅଭିନୟ ଓ ସଫଳତାର କାହାଣୀରେ ସୀମିତ ହୋଇନଥିଲା । ତାଙ୍କ ବଲିଉଡ୍ ଯାତ୍ରାରେ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଭୂମିକା ଏବଂ ନିଜ ପୁଅ ମଲହାରଙ୍କୁ ଫିଲ୍ମ ଜଗତରେ ପ୍ରତିଷ୍ଠିତ କରିବା ନେଇ ତାଙ୍କର ନିଆରା ଚିନ୍ତାଧାରା ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି।

ସ୍ମିତା ପାଟିଲଙ୍କ ପାଇଁ ବଲିଉଡ୍ରେ ମିଳିଥିଲା ସୁଯୋଗ :

ଆଜି ପ୍ରତି ଦର୍ଶକଙ୍କ ହୃଦୟରେ ପରିଚିତ ନାନା ପାଟେକର ଦିନେ ନିଜ ଅଭିନୟ ଜୀବନ ମରାଠୀ ରଙ୍ଗମଞ୍ଚରୁ ଆରମ୍ଭ କରିଥିଲେ। ମଞ୍ଚରେ ତାଙ୍କ ଅଭିନୟ ଦେଖି ଅନେକ ଲୋକ ପ୍ରଭାବିତ ହୋଇଥିଲେ। କିନ୍ତୁ ହୁଏତ ସମସ୍ତେ ଜାଣିନଥିବେ ଯେ ହିନ୍ଦୀ ସିନେମାରେ ତାଙ୍କ ପ୍ରବେଶ ପଛରେ ରହିଥିଲା କାହାର ହାତ ? ଏହା ପଛରେ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।ସ୍ମିତା ପାଟିଲ ନାନାଙ୍କ ଅଭିନୟ ପ୍ରତିଭାକୁ ଚିହ୍ନିପାରିଥିଲେ ଏବଂ ତାଙ୍କୁ ହିନ୍ଦୀ ଫିଲ୍ମରେ କାମ କରିବା ପାଇଁ ଉତ୍ସାହିତ ମଧ୍ୟ କରିଥିଲେ। ଏହାପରେ ନାନା ପାଟେକର ହିନ୍ଦୀ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ଅବ୍ ତକ୍ ଛପ୍ପନ୍’ ଏବଂ ‘ୱେଲକମ୍’ ଭଳି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା।

କାହିଁକି ପୁଅ ମଲହାରଙ୍କୁ ଲଞ୍ଚ୍ କରିନଥିଲେ ନାନା ?

ନାନା ପାଟେକରଙ୍କ ପୁଅ ମଲହାର ପାଟେକର ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିବାକୁ ଚାହୁଁଥିଲେ। ୨୦୦୯ ମସିହାରେ ମଲହାର ବାପା ନାନା ପାଟେକରଙ୍କୁ ଅଭିନେତା ହେବାର ଇଚ୍ଛା ଜଣାଇଥିଲେ। ଏହାପରେ ନାନା ତାଙ୍କ ପାଇଁ ଏକ ଫିଲ୍ମ ନିର୍ମାଣ କରିବା ନେଇ ଯୋଜନା କରିଥିଲେ। ନିର୍ଦ୍ଦେଶକ ପ୍ରକାଶ ଝା ମଧ୍ୟ ଏହି ପ୍ରକଳ୍ପ ସହ କାମ କରିବାକୁ ରାଜି ହୋଇଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ନାନା ଓ ପ୍ରକାଶଙ୍କ ମଧ୍ୟରେ ମତଭେଦ ହେବାରୁ ଏହି ଯୋଜନା ଆଗକୁ ବଢ଼ିପାରିନଥିଲା। ପରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଏକ ପ୍ରକଳ୍ପରେ ମଲହାରଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିବା କୁହାଯାଏ। ହେଲେ ନାନା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଏହା ପରିବର୍ତ୍ତେ ମଲହାର ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଦ ଆଟାକ୍ସ ଅଫ୍ ୨୬/୧୧’ରେ ସହକାରୀ ଭାବେ କାମ କରିଥିଲେ।

ନାନା ପାଟେକରଙ୍କ ଚିନ୍ତାଧାରା ଅନ୍ୟ ଷ୍ଟାରଙ୍କଠାରୁ ଭିନ୍ନ ଥିଲା। ନିଜର ଲୋକପ୍ରିୟତାକୁ ବ୍ୟବହାର କରି ପୁଅଙ୍କୁ ସିନେମାରେ ସହଜରେ ସୁଯୋଗ ଦେବା ପରିବର୍ତ୍ତେ ସେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଆଗକୁ ବଢ଼ିବାକୁ ଗୁରୁତ୍ୱ ଦେଉଥିଲେ। ସେ କେବଳ ଜଣେ ସଫଳ ଅଭିନେତା ନଥିଲେ; କୃଷକଙ୍କ ସହାୟତା ଓ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ମଧ୍ୟ ଯଥେଷ୍ଟ ରହିଥିଲା। ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ, ସରଳ ଜୀବନଶୈଳୀ ଓ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚିତ ଥିଲେ। ତାଙ୍କ ବିୟୋଗରେ ଭାରତୀୟ ସିନେମା ଜଣେ ମହାନ କଳାକାରଙ୍କୁ ହରାଇଛି।